କେନ୍ଦ୍ରାପଡ଼ା: ଚାମେଲି ଓଝାଙ୍କୁ ପୋଲିସ ଉଠାଇ ନେବା ଘଟଣା ଜୋର ଧରିଲା। ଚାମେଲିଙ୍କ ସମର୍ଥନରେ ବାହାରିଛି ଜିଲ୍ଲା ସରପଞ୍ଚ ସଂଘ। କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସମର୍ଥନରେ ଏବେ ବାହାରିଛି ଜିଲ୍ଲା ସରପଞ୍ଚ ସଂଘ।

ଘଟଣାଟି ଥିଲା ଏମିତି-

ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଯାଇଥିବା ସରପଞ୍ଚ ଚାମେଲି ଓଝା ଓ ବିଡିଓଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏହି ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ନେଇଥିଲା ପୋଲିସ l ମହାକାଳପଡ଼ା ପୋଲିସ ତାଙ୍କୁ ନେବା ବେଳେ ସୋସିଆଲ ମିଡିଆରେ ଲାଇଭ କରି ନିଜେ ଚାମେଲି ଏକଥା ଜଣାଇଥିଲେ l କେବଳ ଚାମେଲି ନୁହଁନ୍ତି ତାଙ୍କ ଭାଇଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିବା ଭିଡିଓ ସେ ସେୟାର କରିଥିଲେ l ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ଏହା କରିଥିବା ଚାମେଲି ଅଭିଯୋଗ କରିଛନ୍ତି l ଏଥିରେ ଚାମେଲିଙ୍କୁ ଦୁର୍ବ୍ଯବହାର କରାଯିବା ଓ ମାଡ ମରାଯିବା ଅଭିଯୋଗ ହୋଇଥିଲାl ଏଥିରେ ଅସୁସ୍ଥ ହୋଇ ଚାମେଲି ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l

ସାନ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ମହାକାଳପଡ଼ା ପୋଲିସ l ଆଜି ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ପଶି ତାଙ୍କ ଭିଡିଓ ରେକର୍ଡ କରିବା, ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ପୋଲିସକୁ ମାଡ ମାରିବା ଅଭିଯୋଗରେ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି l

ସେପଟେ ଚାମେଲିଙ୍କ ବିରୁଦ୍ଧରେ ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିଛନ୍ତି l ତେବେ ଚାମେଲିଙ୍କୁ ରାଜନୈତିକ ଆକ୍ରୋଶ ରଖି ଅତ୍ୟାଚାର କରାଯାଉଥିବା ତାଙ୍କ ବାପା ନିରଂଜନ ଓଝା ଅଭିଯୋଗ କରିଛନ୍ତି l ଏହି ଘଟଣାରେ ଅଭିଯୋଗ ପାଇବା ପରେ ତଦନ୍ତ ହେବ ବୋଲି କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି l

ଚାମେଲି ଓଝାଙ୍କୁ ପୋଲିସ ଉଠାଇ ନେବା ଘଟଣାରେ ଜୋର ଧରିଛି। ରାଜନୈତିକ ଉଷ୍ମତା ଦେଖାଦେଇଛି। ଚାମେଲିଙ୍କ ସମର୍ଥନରେ ବାହାରିଛି ଜିଲ୍ଲା ସରପଞ୍ଚ ସଂଘ। ଏହାର ପ୍ରତିବାଦରେ ଆଜି ଏସପି ଅଫିସ ଘେରାଉ କରିବ ସଂଘ।