ମୁମ୍ଵାଇ ୨୬।୦୭; ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିବା ଆରମ୍ଭ କରିଛି । ଯୁଦ୍ଧ ଯୋଗୁଁ ହର୍ମୁଜ୍ ଦେଇ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହେଉଥିବାରୁ ଡାଏଟ୍-କୋକ୍‌ର ଯୋଗାଣ ଉପରେ ସଙ୍କଟ ଦେଖାଦେଇଛି । ଏହାର ପ୍ରଭାବରେ ଭାରତରେ ଡାଏଟ୍-କୋକ୍‌ର ଦର ବଢ଼ିଥିବା ବେଳେ, ଆଗାମୀ ଦିନରେ ଏହାର ଉପଲବ୍ଧତା ମଧ୍ୟ ପ୍ରଭାବିତ ହୋଇପାରେ ।

ସୂଚନା ଅନୁସାରେ, ହର୍ମୁଜ୍ ପ୍ରଣାଳୀରେ ପରିବହନ ସମସ୍ୟା ଯୋଗୁଁ ଆଲୁମିନିୟମ୍ କ୍ୟାନ୍‌ର ଯୋଗାଣ ବ୍ୟାହତ ହୋଇଛି । ଡାଏଟ୍-କୋକ୍‌ର ପ୍ୟାକେଜିଂ ପାଇଁ ଏହି କ୍ୟାନ୍‌ ଅତ୍ୟନ୍ତ ଜରୁରୀ ହୋଇଥିବାରୁ କୋକା-କୋଲା କମ୍ପାନିକୁ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ୁଛି । କମ୍ପାନି ବର୍ତ୍ତମାନ ଦକ୍ଷିଣ-ପୂର୍ବ ଏସିଆରୁ ଆଲୁମିନିୟମ୍ କ୍ୟାନ୍ ଆମଦାନୀ କରୁଛି । ତେବେ ଏନେଇ କୋକା-କୋଲା ପକ୍ଷରୁ କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ । ଯୁଦ୍ଧ ଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିବା ସହ କ୍ୟାନ୍ ଯୋଗାଣରେ ବାଧା ସୃଷ୍ଟି ହୋଇଥିବାରୁ ଭାରତରେ କୋକା-କୋଲା ପ୍ରଡକ୍ଟର ଦର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଉଛି ।

ଭାରତରେ ଡାଏଟ୍-କୋକ୍ ପ୍ରାୟତଃ ଆଲୁମିନିୟମ୍ କ୍ୟାନ୍‌ରେ ବିକ୍ରି ହୁଏ । ପୂର୍ବରୁ ୩୦୦ ମିଲି କ୍ୟାନ୍‌ର ଦାମ ୪୦ ଟଙ୍କା ଥିବାବେଳେ, ବର୍ତ୍ତମାନ ୩୩୦ ମିଲି କ୍ୟାନ୍‌ର ମୂଲ୍ୟ ୫୦ ଟଙ୍କା କରାଯାଇଛି । ଅର୍ଥାତ୍ ପ୍ରତି ମିଲିଲିଟର ହିସାବରେ ଏହାର ମୂଲ୍ୟ ପ୍ରାୟ ୧୩.୬ ପ୍ରତିଶତ ବଢ଼ିଛି । ତେବେ ଏହି ଦର ବୃଦ୍ଧିକୁ ନେଇ କମ୍ପାନି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଏପଟେ କ୍ୟାନ୍‌ର ଅଭାବକୁ ଦୃଷ୍ଟିରେ ରଖି କୋକା-କୋଲାର କିଛି ଭାରତୀୟ ବୋତଲ ତିଆରି କରୁଥିବା ସଂସ୍ଥା ଅସ୍ଥାୟୀ ଭାବେ ୨୦୦ ମିଲି କାଚ ବୋତଲରେ ଡାଏଟ୍-କୋକ୍ ବିକ୍ରି ଆରମ୍ଭ କରିଛନ୍ତି । ହେଲେ ଏହି ପ୍ୟାକ୍‌ର ମୂଲ୍ୟ ମଧ୍ୟ ପୂର୍ବ ତୁଳନାରେ ଅଧିକ ରହିଛି । ଯଦି ହର୍ମୁଜ୍ ପ୍ରଣାଳୀରେ ପରିବହନ ସମସ୍ୟା ଦୀର୍ଘସ୍ଥାୟୀ ହୁଏ, ତେବେ ଆଗାମୀ ଦିନରେ ଡାଏଟ୍-କୋକ୍‌ର ଯୋଗାଣ ଆହୁରି କମିପାରେ ଏବଂ ଦରରେ ମଧ୍ୟ ଅଧିକ ବୃଦ୍ଧି ଦେଖିବାକୁ ମିଳିପାରେ ।