ମୁମ୍ଵାଇ ୧୭।୦୯; ଦେଶର ସବୁଠୁ ଖାସ୍ ଏବଂ ଆକର୍ଷଣୀୟ ଗଣେଶୋତ୍ସବର କଥା କହିଲେ, ମନକୁ ଆସେ ମୁମ୍ବାଇର ଅମ୍ବାନୀ ପରିବାରର ବାସଭବନ 'ଆଣ୍ଟିଲିଆ'। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଣ୍ଟିଲିଆରେ ଆୟୋଜିତ ହୋଇଥିଲା ଏକ ଜାକଜମକପୂର୍ଣ୍ଣ ଗଣେଶୋତ୍ସବ। ଯେଉଁଠି ଦେଶର କୋଣ ଅନୁକୋଣରୁ ଛୁଟିଆସିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବଲିଉଡ୍ ତାରକା ଏବଂ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ!

ହେଲେ ଏସବୁ ଭିତରେ ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ପ୍ରସିଦ୍ଧ କଥାବାଚିକା ଜୟା କିଶୋରୀ ଏବଂ ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ନିଜର ସରଳ ଓ ସୁନ୍ଦର ବ୍ୟକ୍ତିତ୍ୱ ପାଇଁ ପରିଚିତ ଜୟା କିଶୋରୀ ଏହି ଉତ୍ସବରେ ଏକ ଭବ୍ୟ ପାରମ୍ପରିକ ପୋଷାକରେ ନଜର ଆସିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସେପଟେ, ବାଗେଶ୍ୱର ଧାମ ସରକାର ଅର୍ଥାତ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ନିଜର ଦିବ୍ୟ ଶୈଳୀ ଏବଂ ସନାତନ ବେଶଭୂଷାରେ ଆଣ୍ଟିଲିଆରେ ପହଞ୍ଚିଥିଲେ। ଭାଇରାଲ ହେଉଥିବା ଭିଡିଓରେ ତାଙ୍କର ପାରମ୍ପରିକ ବେଶ, 'ଗୋଲ୍ଡେନ ଖଡ଼ଉ' ଏବଂ ସବୁଠାରୁ ବଡ କଥା ପାଦରେ ଥିଲା ନାଲି ଅଳତା । ଅମ୍ବାନୀ ପରିବାର ପକ୍ଷରୁ ମିଳିଥିବା ଆଦରପୂର୍ଣ୍ଣ ସମ୍ବର୍ଦ୍ଧନା ଏବେ ସମସ୍ତଙ୍କ ମନ ଜିଣିନେଇଛି।କେବଳ ଏତିକି ନୁହେଁ, ଏହି ଦିବ୍ୟ ଉତ୍ସବରେ ଯୋଗଗୁରୁ ରାମଦେବ ନିଜର ଶିଷ୍ୟମାନଙ୍କ ସହ ଯୋଗଦେଇଥିବା ବେଳେ; ବଲ୍ଉଡ୍ର ସୁଲତାନ ଅର୍ଥାତ ସଲମାନ୍ ଖାନ୍ ମଧ୍ୟ ମୁଣ୍ଡରେ ରୁମାଲ୍ ବାନ୍ଧି ଏହି ପୂଜାରେ ସାମିଲ୍ ହୋଇଥିଲେ।

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଏହି ପରମ୍ପରା କେବଳ ଏକ ଉତ୍ସବ ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ ସୁନ୍ଦର ସଂଗମ। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ପ୍ରତିବର୍ଷ ଅତ୍ୟନ୍ତ ଶ୍ରଦ୍ଧାର ସହ ଆଣ୍ଟିଲିଆରେ ଗଣପତି ବାପ୍ପାଙ୍କ ପ୍ରତିମା ସ୍ଥାପନ କରନ୍ତି। ଗଣେଶ ଚତୁର୍ଥୀ ଅବସରରେ ଦେଶର ପ୍ରମୁଖ ସାଧୁ, ସନ୍ଥ, କଥାବାଚକ ଏବଂ ଧାର୍ମିକ ଗୁରୁମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କ ଆଶୀର୍ବାଦ ନେବା ଅମ୍ବାନୀ ପରିବାରର ଏକ ପରମ୍ପରା ପାଲଟିଛି। ଆଣ୍ଟିଲିଆର ଗଣପତି ଉତ୍ସବରୁ ଭାଇରାଲ ହୋଇଥିବା ଏହି ଭିଡିଓଗୁଡ଼ିକରେ ଜୟା କିଶୋରୀ ଏବଂ ଧୀରେନ୍ଦ୍ର ଶାସ୍ତ୍ରୀ ବାପ୍ପାଙ୍କ ଦର୍ଶନ କରିବା ସହ ଅମ୍ବାନୀ ପରିବାରର ସଦସ୍ୟମାନଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି।