ନୂଆଦିଲ୍ଲୀ: ପାଠ୍ୟପୁସ୍ତକ ଲାଗି କାଗଜ ଯୋଗାଣ ଦାୟିତ୍ୱରେ ଥିବା ଏକ ସଂସ୍ଥାକୁ ‘କଳା ତାଲିକା ଭୁକ୍ତ’ କରିବା ନିଷ୍ପତ୍ତି ମାମଲାରେ ହାଇକୋର୍ଟରେ ପକ୍ଷ ରଖିବାକୁ ଏନସିଆଇରଟି ଅଧିକାରୀଙ୍କ ବିଫଳତା କାରଣରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ ଭୂମିକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୪ ତାରିଖରେ ବାଫନା ଗ୍ଲୋବାଲ ଭେଞ୍ଚର ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ଆବେଦନ ଋଜୁ କରି ଏନସିଇଆରଟି ଦ୍ୱାରା ଜୁନ ୨୨ରେ ଜାରି ବ୍ଲାକ୍ ଲିଷ୍ଟିଂ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା, ଯେଉଁଥିରେ ସଂସ୍ଥାକୁ ୨ ବର୍ଷ ପର୍ଯ୍ୟନ୍ତ ଏନସିଇଆରଟି କ୍ରୟ ପ୍ରକ୍ରିୟାରେ ଭାଗ ନେବାକୁ ନିଷିଦ୍ଧ କରାଯାଇଥିଲା।

ତେବେ ଶୁଣାଣି ଦିନ ଏନସିଇଆରଟିର କୌଣସି ସଦସ୍ୟ ହାଇକୋର୍ଟରେ ଉପସ୍ଥିତ ନଥିଲେ। ଏଣୁ ହାଇକୋର୍ଟ ବାଫନା ଗ୍ଲୋବାଲ ଭେଞ୍ଚର ପ୍ରାଇଭେଟ ଲିମିଟେଡକୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନରୁ ଆଶ୍ୱସ୍ତି ଦେଇଛନ୍ତି। ଏହା ଛଡା ହାଇକୋର୍ଟ ଏନସିଇଆରଟିକୁ କାଗଜଯୋଗାଣକାରୀ ଦେଇଥିବା ୬ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଗ୍ୟାରେଣ୍ଟିର ଉପଯୋଗ ଉପରେ ମଧ୍ୟ ରୋକ ଲଗାଇଛନ୍ତି। ସୂତ୍ର ଅନୁସାରେ ଦିଲ୍ଲୀ ହାଇକୋର୍ଟରେ କାଗଜ ଯୋଗାଣକାରୀଙ୍କୁ କଳାତାଲିକାଭୁକ୍ତ କରିବାର ନିଷ୍ପତ୍ତିକୁ ପ୍ରଭାବଶାଳୀ ଢଙ୍ଗରେ ସମର୍ଥନ କରିବାକୁ ଏନସିଇଆରିଟି ବିଫଳ ହେବା ରିପୋର୍ଟକୁ ଶିକ୍ଷାମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଭୁଲ ପାଇଁ ଦାୟି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ମାମଲାରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାରେ ବିଫଳ ଅଧିକାରୀଙ୍କ ଲାଗି ଉତ୍ତରଦାୟିତ୍ୱ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ପ୍ରଶାସନିକ ଓ ଆଇନଗତ ତ୍ରୁଟି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ସୁଦୃଢ କରାଯିବ ଓ ପାଠ୍ୟପୁସ୍ତକ ଉତ୍ପାଦନ ଓ କ୍ରୟରେ ଅଧିକ ଦାୟିତ୍ୱ ସୁନିଶ୍ଚିତ କରାଯିବ। ଶିକ୍ଷାମନ୍ତ୍ରୀ ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଉଲ୍ଲଂଘନ କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା ଆଇଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସହମତି ଦେଇଛନ୍ତି।

ମନ୍ତ୍ରାଳୟ ଏନସିଇଆରଟିକୁ ଏହା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବାଫନା ଗ୍ଲୋବାଲ ଭେଞ୍ଚର ପ୍ରାଇଭେଟ ଲିମିଟେଡ ଚୟନର ଆବଶ୍ୟକ ସର୍ତ୍ତ ପୂରଣ କରୁନଥିଲେ ମଧ୍ୟ ଏହାକୁ କିପରି ଚୟନ କରାଯାଇଥିଲା? ପରେ କାଗଜ ଯୋଗାଣ ଅନୁସୂଚୀ ପାଳନ କରିବାରେ କାହିଁକି ବିଫଳ ହୋଇଥିଲା? ସେହିପରି ପରିଷଦର ମାମଲା କୋର୍ଟରେ କାହିଁକି ଉଠାନଗଲା?ତେବେ କମ୍ପାନୀ କୋର୍ଟରେ ତର୍କ ଦେଇଛି ଯେ ଇରାନ ଯୁଦ୍ଧ କାରଣରୁ ହାଇଡ୍ରୋଜନ ପେରୋକ୍ସାଇଡ ଅଭାବ କାରଣରୁ ପୁସ୍ତକ ପ୍ରିଣ୍ଟିଂ ରେ ବିଳମ୍ବ ହୋଇଥିଲା। ଏହି ମାମଲାର ପରବର୍ତ୍ତି ଶୁଣାଣି ଜୁଲାଇ ୨୦ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ହେବ।