ଭୁବନେଶ୍ୱର: ବହୁଚର୍ଚ୍ଚିତ ଚାନ୍ଦବାଲିରେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ସଭିଙ୍କୁ ବ୍ୟଥିତ କରିଛି। ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି। ତଥାପି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି। ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲାକୁ ରେଡ୍ ଫ୍ଲାଗ ତାଲିକାଭୁକ୍ତ  କରାଯାଉଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚାନ୍ଦବାଲି ଥାନା ରାମପଲ୍ଲୀ ଗାଁର ସତ୍ୟବ୍ରତ ଦାସ । ପୋଲିସ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି। ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଡିଜିପି କହିଛନ୍ତି । 

ଉଲ୍ଲେଖନୀୟ ମଙ୍ଗଳବାର ଭଦ୍ରକ ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ସଂଧ୍ୟା ସମୟରେ ନାବାଳିକାଙ୍କ ମୃତଦେହ ଏକ ବୁଦାରୁ ଠାବ କରାଯାଇଥିଲା । ପାରିପାର୍ଶ୍ଵିକ ସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ରୋକ କହିଥିଲେ । ଶେଷରେ ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଅନେକ ସ୍ଥାନରେ ଚଢାଉ କରିଥିଲା । ଜଗତସିଂହପୁରର ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କିଛି ସାଥୀଙ୍କୁ ବାନ୍ଧିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ପୋଲିସ ଥାନାରେ ଅଟକ ରଖି ଜେରା କରିଥିଲା । ସ୍ଥାନୀୟ ଲୋକେ ବୁଧବାର ଅଭିଯୁକ୍ତର ଘର ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।

ସେପଟେ ଚାନ୍ଦବାଲି ଘଟଣାକୁ ରାଜନୀତି ଜୋର ଧରିଛି। ନ୍ୟାୟ ଦାବିରେ ବିଜେଡି  ଓ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏପିରିକି ବିଜେଡି ଗୁରୁବାର ଦିନ ୬ ଘଣ୍ଟା ଚାନ୍ଦବାଲି ବନ୍ଦ ଡାକରା ଦେଇଥିଲା । ଆଉ ଏବେ କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି। ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ପୀଡ଼ିତ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘାେଷଣା କରିଛନ୍ତି।