ନୂଆଦିଲ୍ଲୀ: ବ୍ରିଟିଶ୍ ବ୍ରାଣ୍ଡ 'ଡେଟଲ୍' ଚୀନରେ ଏକ ବିଜ୍ଞାପନକୁ ନେଇ ବଡ଼ ବିବାଦର ସମ୍ମୁଖୀନ ହୋଇଛି । ଟକ୍ସିକ୍ ମେଲ୍ ବିହେଭିୟରକୁ ସମାଲୋଚନା କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ବିଜ୍ଞାପନ ଓଲଟା ମହିଳା-ବିଦ୍ୱେଷୀ ଏବଂ ନାରୀମାନଙ୍କୁ ବସ୍ତୁ ଭାବେ ଚିତ୍ରଣ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସେଠାକାର ଲୋକଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି ।

ଚୀନର ଲୋକପ୍ରିୟ ମାଇକ୍ରୋ-ଡ୍ରାମା ଶୈଳୀରେ ନିର୍ମିତ ଏହି ପ୍ରାୟ ୫ ମିନିଟର ବିଜ୍ଞାପନରେ ଜଣେ ଯୁବକ ନିଜର ପୂର୍ବତନ ପ୍ରେମିକାକୁ "ସେକେଣ୍ଡ ହ୍ୟାଣ୍ଡ" ବୋଲି କହୁଥିବା ଦେଖାଯାଇଛି । କାରଣ ସେ ପୂର୍ବରୁ ଅନ୍ୟ ଜଣେ ପୁରୁଷଙ୍କ ସହ ରହୁଥିଲେ । ବିବାହ ପାଇଁ ସେ ଜଣେ "ଭର୍ଜିନ୍" ମହିଳା ଚାହୁଁଥିବା କହିଥିଲେ ।

ବିଜ୍ଞାପନରେ ବ୍ୟକ୍ତିଜଣକ କହୁଛନ୍ତି, "ମୁଁ ନିଜେ ଭର୍ଜିନ୍ ନପାରେ ପାରେ, କିନ୍ତୁ ମୋର ଭବିଷ୍ୟତର ସ୍ତ୍ରୀ ନିଶ୍ଚିତ ଭାବେ କୁମାରୀ (ଭର୍ଜିନ୍) ହୋଇଥିବା ଦରକାର ।" ଏହାପରେ ଯୁବକ ଜଣକ ନିଜ ବର୍ତ୍ତମାନ ପ୍ରେମିକାକୁ ନେଇ କୁହନ୍ତି, "ଭଗବାନଙ୍କୁ ଧନ୍ୟବାଦ, ମୁଁ ତାଙ୍କୁ ଭେଟିଲି । ସଫା ଏବଂ ପବିତ୍ର, କୌଣସି ପୁରୁଷ ଦ୍ୱାରା କେବେ ଦୂଷିତ ହୋଇନାହିଁ । ମୁଁ ଏକ ଡଜନରୁ ଅଧିକ ଝିଅଙ୍କ ସହିତ ଡେଟ୍ କରିଛି । ଶେଷରେ ମୁଁ ଏପରି ଜଣେ ପବିତ୍ର (ଭର୍ଜିନ)କୁ ପାଇଲି... ଯିଏ ପୂର୍ବରୁ ଏହା କରିନାହିଁ ?"

ବିଜ୍ଞାପନର ଶେଷ ଆଡ଼କୁ ଏକ ଟ୍ୱିଷ୍ଟ ରହିଥିଲା । ଯୁବକଙ୍କ ବର୍ତ୍ତମାନର ପ୍ରେମିକା ତାର ଏହି ମହିଳା-ବିଦ୍ୱେଷୀ ଓ ଦୋମୁହାଁ ନୀତିକୁ ବିରୋଧ କରି ସମ୍ପର୍କ ଭାଙ୍ଗି ଦେଉଛନ୍ତି । ଏହାପରେ ସେହି ବ୍ୟକ୍ତିର ମଇଳା ମୋଜାକୁ ଡେଟଲ୍ ଲଣ୍ଡ୍ରି ସାନିଟାଇଜର୍ ସହ ୱାଶିଂ ମେସିନରେ ପକାଇଥିଲେ । ଏହି ସମୟରେ ଏକ ଭଏସ୍-ଓଭର ଶୁଣାଯାଉଛି, "ଏଭଳି ବିଷାକ୍ତ ପୁରୁଷମାନେ ହେଉଛନ୍ତି ଜୀବାଣୁ ଭଳି, ଏବଂ ମନକୁ ଶାନ୍ତି ଦେବା ପାଇଁ ଏମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଦୂର କରିବାକୁ ହେଲେ ଡେଟଲ୍ ବ୍ୟବହାର କରିବା ଉଚିତ୍ ।"

କମ୍ପାନିର ଉଦ୍ଦେଶ୍ୟ ପୁରୁଷବାଦୀ ଚିନ୍ତାଧାରାକୁ ସମାଲୋଚନା କରିବା ଥିଲେ ମଧ୍ୟ, ଚୀନର ସୋସିଆଲ ମିଡିଆ ୟୁଜର ଏହି ବିଜ୍ଞାପନ ନାରୀମାନଙ୍କର ସମ୍ମାନକୁ କ୍ଷତି ପହଞ୍ଚାଇଛି ବୋଲି ଅଭିଯୋଗ କରିଛନ୍ତି । ଚୀନର ସୋସିଆଲ ମିଡିଆ ପ୍ଲାଟଫର୍ମ ୱିଇବୋରେ ଏହି ଭିଡିଓକୁ କୋଟି କୋଟି କମ୍ପାନିକୁ ବୟକଟ୍ କରିବା ପାଇଁ ଦାବି କରିଛନ୍ତି ।

ତୀବ୍ର ବିରୋଧର ସମ୍ମୁଖୀନ ହେବା ପରେ ଡେଟଲ୍ ସେହି ବିଜ୍ଞାପନକୁ ସବୁ ପ୍ଲାଟଫର୍ମରୁ ହଟାଇ ଦେଇଛି । ଏହା ସହ ଏକ ସାର୍ବଜନୀନ କ୍ଷମାପ୍ରାର୍ଥନା ପତ୍ର ଜାରି କରିଛି । କମ୍ପାନି କହିଛି ଯେ, ଏହି ବିଜ୍ଞାପନଟି ଏକ ତୃତୀୟ ପକ୍ଷ ଏଜେନ୍ସି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଏବଂ ସେମାନଙ୍କର ଉଦ୍ଦେଶ୍ୟ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ଥିଲା । କିନ୍ତୁ ଇଣ୍ଟରନେଟରେ ଏହାର କିଛି ଛୋଟ ଛୋଟ କ୍ଲିପ୍ ଭାଇରାଲ ହେବା ଯୋଗୁଁ ଭୁଲ ବୁଝାମଣା ସୃଷ୍ଟି ହେଲା। ବିଜ୍ଞାପନର ବିଷୟବସ୍ତୁ ଯୋଗୁଁ ମହିଳାମାନଙ୍କ ଭାବନାକୁ ଆଘାତ ଲାଗିଥିବାରୁ କମ୍ପାନି ନିଜର ଭୁଲ୍ ସ୍ୱୀକାର କରିଛି ।