ମହାରାଷ୍ଟ୍ର ୨୯/୦୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ଶୋକର ଛାୟା । ଏଥିପାଇଂ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳୁଛି ରାଜ୍ୟ । ସେପଟେ ଆଜି ତାଙ୍କ ପୈତୃକ ଗାଁରେ ତାଙ୍କର ଅନ୍ତ୍ୟେଷ୍ଟି କରାଯିବ ବୋଲି ସୂଚନା ମିଳିଛି। ପୂର୍ବାହ୍ନ ୧୧ଟାରେ ପୁଣେ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗାଁ ବାରମତୀରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କାର ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ।

ସକାଳେ ଡାକ୍ତରଖାନାରୁ ସଡ଼କ ପଥରେ ମୃତଦେହକୁ ବାରମତୀ ଆଣିବା ପରେ ପ୍ରଥମେ କାଠେବାଡ଼ି ସ୍ଥିତ ବାସଭବନକୁ ନିଆଯିବ। ସେଠାରେ ଦଳୀୟ କର୍ମୀ, ଜ୍ଞାତିପରିଜନ, ରାଜନୈତିକ ସହକର୍ମୀ ଓ ବାରମତୀର ଜନତା ଦାଦାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେବେ । ଏହାପରେ ବିଦ୍ୟାପ୍ରତିଷ୍ଠାନକୁ ପାର୍ଥୀବ ଶରୀରକୁ ଆଣି ସେଠାରେ ସାଧାରଣ ଜନତା, ଦଳୀୟ କର୍ମୀ ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ସମୟ ରଖାଯିବ । ଏହାପରେ ବିଦ୍ୟା ପ୍ରତିଷ୍ଠାନ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତଯ୍ କରାଯିବ ନେଇ ସମସ୍ତ ପ୍ରକାର ବନ୍ଦେବସ୍ତ କରାଯାଇଛି ।

ଅଜିତ ପାୱାରଙ୍କ ଅନ୍ତିମ ଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ସମେତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାମିଲ ହେବେ । ଏହାଛଡ଼ା ଉଦ୍ଧବ ଠାକରେ, ରାଜ ଠାକରେଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଓ ଅନ୍ୟ ରାଜ୍ୟର ନେତା ସାମିଲ ହେବେ ବୋଲି ସୂଚନା ମିଳିଛି । ବିଦାୟୀ ସମାରୋହରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ପ୍ରମୁଖ ନେତା ସାମିଲ ହେବେ । ​​​