ଦେବଗଡ:  ଦେବଗଡର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠରେ ୨୪ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ଦାବୀ ନେଇ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଆସନ୍ତା ସତର ତାରିଖ ଦେବଗଡ ବନ୍ଦ ଡାକରା ଦିଆଯାଇଛି। ଦେବଗଡ ଜିଲ୍ଲା ଯୁବ ଏକତା ମଞ୍ଚ ଓ ଦେବଗଡ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ବହୁ ସଦସ୍ଯ ସଦସ୍ଯା ପ୍ରତିଦିନ ପୁରୁଣା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସମ୍ମୁଖରେ ଧାରଣା ରେ ବସୁଥିବା ବେଳେ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ଏହି ବନ୍ଦ ଡାକରା ଦିଆଯାଇଛି।  

ପୂର୍ବରୁ ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ପଚାଶ ଦିନ ଧରି ଅନଶନରେ ବସିଥିବା ବେଳେ ତାଙ୍କ ପରେ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲା। ମାତ୍ର କୌଣସି ପ୍ରକାର ସମାଧାନ ନହେବାରୁ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ ବନ୍ଦ ଡାକରା ଦିଆଯାଇଛି। ସେହି ଦିନ ଦେବଗଡ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥରେ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ସହ ସମସ୍ତ ସ୍କୁଲ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ପ୍ରତିଷ୍ଠାନ, ବ୍ୟାଙ୍କ ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ବିଭିନ୍ନ  ପ୍ରକାର ଅତ୍ୟାବଶ୍ୟକ ଗାଡି ଚଳାଚଳ, ଆମ୍ବୁଲାନ୍ସ ସେବା, ପରୀକ୍ଷାର୍ଥୀଙ୍କୁ ବନ୍ଦ ପାଳନ କୋହଳ କରାଯାଇଛି। ମହିଳାମାନଙ୍କ ପକ୍ଷରୁ ଆହୁତ ଏହି ବନ୍ଦ ପାଳନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।

ସୋମବାର ସନ୍ଧ୍ୟାରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ବୌଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ନୂତନ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୋଠାକୁ ସମସ୍ତ ଆସବାବ ପତ୍ର ସ୍ଥାନାନ୍ତରିତ ହୋଇ କାର୍ଯ୍ୟକ୍ଷମ ହେବା ପରେ ସହର ମଝିରେ ଥିବା ପୁରୁଣା କୋଠାରେ କେବଳ ଜଣେ ଡାକ୍ତର ସକାଳେ ଚାରିଘଣ୍ଟା ଓ ଅପରାହ୍ନ ସମୟରେ ଦୁଇ ଘଣ୍ଟା ବସି ଚିକିତ୍ସାସେବା ଯୋଗାଉଛନ୍ତି। କିନ୍ତୁ ସହରବାସୀ ଏହି କୋଠାରେ ଚବିଶଘଣ୍ଟିଆ ସହରାଞ୍ଚଳ ଡାକ୍ତରଖାନା ଆରମ୍ଭ କରି ଚିକିତ୍ସାସେବା ଯୋଗାଇ ଦେବାପାଇଁ ଦାବି କରୁଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ଏନେଇ ଅନେକ ଦାବିପତ୍ର ଦିଆଯିବା ସହ ସହର ବନ୍ଦ ପାଳନ ମ କରାଯାଇଛି। ମାତ୍ର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପୁରୁଣା ଡାକ୍ତରଖାନା କୋଠା ସମ୍ମୁଖରେ ପ୍ରତ୍ୟେକ ଦିନ ଧାରଣା ଦିଆଯାଉଛି। ଏହି ଦାବି ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି।