ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳା ଯିବାର ଥିଲା। ମାତ୍ର ମଇଦାନରେ ଘନ କୁହୁଡ଼ି କାରଣରୁ ମ୍ୟାଚ୍ ଆରମ୍ଭ ହେବା ତ ଦୂରର କଥା ଟସ୍ ବି ପଡ଼ିଲା ନାହିଁ। ଶେଷରେ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଛି। ଆଉ ଦର୍ଶକଙ୍କୁ ନିରାଶର ସହ ଫେରିବାକୁ ପଡ଼ିଛି। ଟସ୍ ସନ୍ଧ୍ୟା ୬ଟା ୩୦ରେ ପଡ଼ିବାର ଥିଲା। ଆଉ ମ୍ୟାଚ୍ ୭ଟାରେ ଆରମ୍ଭ ହେବାର ଥିଲା। ମାତ୍ର ଷ୍ଟାଡିୟମରେ ଘନ କୁହୁଡ଼ିର ଚାଦର ହଟିବାର ନାଁ ନେଇ ନ ଥିଲା। ମ୍ୟାଚ୍ ଅଧିକାରୀ ପୂରା ଉଦ୍ୟମ କରିଥିଲେ। ଛଅ ଥର ଟସ୍ ସମୟ ଘୁଞ୍ଚାଗଲା, ତଥାପି ମ୍ୟାଚ୍ ଖେଳା ଯାଇ ପାରିଲା ନାହିଁ।

କୁହୁଡ଼ି କାରଣରୁ ମ୍ୟାଚ୍ ଅଧିକାରୀ ପ୍ରଥମ ନିରୀକ୍ଷଣ ୬ଟା ୫୦ ମିନିଟରେ ରଖିଥିଲେ। ସ୍ଥିତି ଠିକ୍ ନ ହେବା କାରଣରୁ ନିରୀକ୍ଷଣ ସମୟକୁ ବାରମ୍ବାର ବଢା ଯାଇଥିଲା। ଏହା ପରେ ନିରୀକ୍ଷଣର ସମୟ ୭ଟା ୩୦, ୮ଟା, ୮ଟା ୩୦ ଏବଂ ୯ଟା ୨୫ ମିନିଟ୍ ପର୍ଯ୍ୟନ୍ତ ବଢି ଚାଲି।  ଆଇସିସି ନିୟମ ଅନୁସାରେ ମ୍ୟାଚ୍ ୫-୫ ଓଭର ବିଶିଷ୍ଟ ଖେଳା ଯିବାର ଥିଲା। ପ୍ରଥମ ବଲ୍ ୯ଟା ୪୬ ମିନିଟରେ ପଡ଼ିବାର ଥିଲା। ମାତ୍ର ୯ଟା ୨୫ରେ ନିରୀକ୍ଷଣ ପରେ ପାଗରେ କୌଣସି ସୁଧାର ଆସି ନ ଥିଲା। ଷ୍ଟାଡିୟମ ଉପରେ ଛାଇ ରହିଥିବା କୁହୁଡିର ଆସ୍ତରଣ ହଟି ନ ଥିଲା। ଫଳରେ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମ୍ପାୟର ମ୍ୟାଚ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍ ଡିସେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତିଲେ ଭାରତ ୩-୧ରେ ସିରିଜ୍ ଜିତିବ। ହାରିଲେ ସିରିଜ୍ ୨-୨ରେ ଡ୍ର ହେବ। ତେବେ ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ୍ ହେବା ଦର୍ଶକ ଓ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି। ଦର୍ଶକ କାନମୁଣ୍ଡ ଆଉଁସି ଷ୍ଟାଡିୟମରୁ ଫେରିଛନ୍ତି। ​​​​​​​