ନୂଆଦିଲ୍ଲୀ: ସବୁଦିନ ପାଇଁ ପାରମ୍ପରିକ ଡାକ ସେବାକୁ ବନ୍ଦ କରିବାରେ ପ୍ରଥମ ଦେଶ ହୋଇଛି ଡେନମାର୍କ । ଏହି ନିଷ୍ପତ୍ତି ଦେଶ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଭାବରେ ଦେଖାଯାଉଥିବା ବେଳେ, ସରକାରୀ ଡାକ କମ୍ପାନି ପୋଷ୍ଟନର୍ଡ (PostNord) ଡିସେମ୍ବର ୩୦ରେ ଶେଷ ଥର ପାଇଁ ଚିଠି ଡେଲିଭରି କରିଛି।

ପୋଷ୍ଟନର୍ଡ ପକ୍ଷରୁ କୁହାଯାଇଛି, ଏବେ ଲୋକେ ବହୁତ କମ୍ ଚିଠି ପଠାଉଛନ୍ତି। ଅଧିକାଂଶ ଡିଜିଟାଲ ମାଧ୍ୟମର ବ୍ୟବହାର କରୁଛନ୍ତି।ଏମିତିରେ ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୪୦୧ ବର୍ଷ ପରେ ଚିଠିର ଡେଲିଭରି ବନ୍ଦ କରାଯାଇଛି। ମଙ୍ଗଳବାର ଡେନମାରିକରେ ଶେଷ ଚିଠି ବିତରଣ କରାଯାଇଥିଲା। ଏହି ସେବାର ଆରମ୍ଭ ୧୬୨୪ରେ ହୋଇଥିଲା।

କମ୍ପାନି ଆହୁରି କହିଛି, ଇମେଲ, ମୋବାଇଲ ଫୋନ, ଡିଜିଟାଲ ମେଲବକ୍ସ ଏବଂ ଅନଲାଇନ ସେବା କାରଣରୁ ଚିଠିର ବ୍ୟବହାରେ ଦ୍ରୁତ ଭାବରେ ହ୍ରାସ ହୋଇଛି। ଏବେ ଲୋକେ ବ୍ୟାଙ୍କ, ସରକାରୀ କାମ ଏବଂ ବ୍ୟକ୍ତିଗତ କାମ ପାଇଁ ଇଣ୍ଟରନେଟ ଏବଂ ମୋବାଇଲ ଆପ୍ର ସାହାରା ନେଉଛନ୍ତି। ଏହି କାରଣରୁ କମ୍ପାନି ଚିଠି ଡେଲିଭରି ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତେବେ କମ୍ପାନି ବର୍ତ୍ତମାନ ପାର୍ସଲ ଡେଲିଭରି ଉପରେ ଧ୍ୟାନ ଦେବା ନେଇ ମଧ୍ୟ ସୂଚନା ଦେଇଛି।

ପୋଷ୍ଟନର୍ଡ ସିଇଓ କିମ ପେଡରସନ ଏହି ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି। ସେ କହିଛନ୍ତି କମ୍ପାନି ଏକ ପରୁଣା ଅଧ୍ୟାୟକୁ ଶେଷ କରୁଛି। କିନ୍ତୁ ଏକ ନୂଆ ଯୁଗର ଆରମ୍ଭ ମଧ୍ୟ କରୁଛି। ଇ- କମର୍ସର ବ୍ୟବହାର ବଢ଼ୁଥିବାରୁ ପାର୍ସଲର ଆବଶ୍ୟକତା ଦ୍ରୁତ ଭାବରେ ବଢ଼ୁଛି। ଏବେ ପାର୍ସଲର ସଂଖ୍ୟା ଚିଠି ଠାରୁ ବହୁ ଅଧିକ।

ପୋଷ୍ଟାଲ ସର୍ଭିସରୁ ଆୟ ବଦଳରେ କ୍ଷତି

ସୂଚନାଯୋଗ୍ୟ, ଡେନମାର୍କରେ ଡିଜିଟାଲ ବ୍ୟବହାର ବହୁତ ଦ୍ରୁତ ଗତିରେ ବଢ଼ୁଛି। ଗତ ୨୫ ବର୍ଷରେ ଚିଠି ସଂଖ୍ୟାରେ ୯୦%ରୁ ଅଧିକ ହ୍ରାସ ହୋଇଛି। ୨୦୦୦ ମସିହା ପରେ ଏହି ହ୍ରାସ ସବୁଠୁ ଅଧିକ ହୋଇଛି। ଗତ ବର୍ଷ ପୋଷ୍ଟନର୍ଡକୁ ପ୍ରାୟ ୪୨୮ ମିଲିୟନ ଡାନିଶ କ୍ରୋନର ବା ପ୍ରାୟ ୫୭ ମିଲିୟନ ୟୁରୋ କ୍ଷତି ସହିବାକୁ ପଡ଼ିଥିଲା। ଲଗାତାର ହେଉଥିବା କ୍ଷତି ମଧ୍ୟ ଏକ ବଡ଼ କାରଣ ଥିଲା।

କମ୍ପାନି କହିଛି ୨୦୨୬ରେ ସଂପୂର୍ଣ୍ଣ ଭାବରେ ପାର୍ସଲ ଡେଲିଭରି କମ୍ପାନି ହୋଇଯିବ। ଅନଲାଇନ ସପିଂ ଯୁଗରେ ଡେନମାର୍କର ସବୁଠୁ ପସନ୍ଦଯୋଗ୍ୟ ଏବଂ ଭରସାଯୋଗ୍ୟ ପ୍ୟାକେଜ ଡେଲିଭରି ସର୍ଭିସ ହେବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଡେନମାର୍କରେ ଚିଠି ଡେଲିଭରି ସେବା ବନ୍ଦ ହୋଇଛି। କିନ୍ତୁ ଚିଠି ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇନାହିଁ। DAO ଭଳି ଘରୋଇ କୁରିୟର କମ୍ପାନି ଏବେ ବଜାର ଦରରେ ଲେଟର ଡେଲିଭରି କରିବେ। ପରିବହନ ମନ୍ତ୍ରୀ ଥମସ ଡାନିୟଲସନ କହିଛନ୍ତି ଦେଶରେ ଲୋକେ ଏବେବି ଚିଠି ପଠାଇପାରିବେ।