ନୂଆଦିଲ୍ଲୀ, ୨୭।୧୧: ସୀମା ପୁନଃ ନିର୍ଧାରଣ ବିଲ ପ୍ରସଙ୍ଗରେ କଂଗ୍ରେସକୁ ଲାଗିବାକୁ ଯାଉଛି ବଡ଼ ଝଟକା । କାରଣ ଦଳର ପୂର୍ବତନ ସହଯୋଗୀ ଡିଏମକେ ଇଣ୍ଡି ମେଣ୍ଟର ହାତ ଛାଡି଼ବାକୁ ନିଶ୍ପତ୍ତି ନେଇଛି । ଡିଏମକେ ଏହି ପ୍ରସଙ୍ଗରେ ଏନଡିଏ ସରକାରକୁ ସମର୍ଥନ କରିପାରେ ବୋଲି ଆଲୋଚନା ହେଉଛି । ଏମିତି କିଛି ଦାବି କରିଛନ୍ତି କଂଗ୍ରେସ ସାଂସଦ ମନୋଜ କୁମାର ।

ମନୋଜ କୁମାର କହିଛନ୍ତି ଯେ, ବୁଧବାର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେ କିଛି ଡିଏମକେ ସାଂସଦଙ୍କ ସହ ଆଲୋଚନା କରିଥିଲେ । ଡିଏମକେ ସାଂସଦମାନେ ସୀମା ପୁନଃନିର୍ଧାରଣ ବିଲ୍ ପ୍ରସଙ୍ଗରେ ଏନଡିଏକୁ କିଛି ସର୍ତ୍ତର ସହ ସମର୍ଥନ କରିପାରନ୍ତି । ଅର୍ଥାତ ସଂସଦରେ ସରକାରଙ୍କ ପକ୍ଷ ନେଇପାରନ୍ତି ।

ଆହୁରି ମଧ୍ୟ ମନୋଜ କହିଛନ୍ତି ଯେ, ତେବେ କେଉଁ ସର୍ତ୍ତରେ ଡିଏମକେ ସାଂସଦମାନେ ସରକାରଙ୍କୁ ସମର୍ଥନ କରିବେ ତାହା ସ୍ପଷ୍ଚ ହୋଇନାହିଁ । ଏହା କଂଗ୍ରେସକୁ ଚକିତ କରିଛି । କାରଣ ଡିଏମକେ କେବେ ସରକାରଙ୍କୁ ସମର୍ଥନ କରିବ ନାହିଁ ବୋଲି ସମସ୍ତେ ବାବୁଥିଲେ । ତେବେ ପ୍ରକୃତରେ କଣ ହେବ ସେଥିପାଇଁ ୩୦ ତାରିଖକୁ ଅପେକ୍ଷା କରିବାକୁ ହେବ ।

Also Read :- ବ୍ରିଟେନରେ ଆଉ ରହିବାକୁ ଚାହୁଁନାହାନ୍ତି ଭାରତୀୟ, ବର୍ଷକରେ ଛାଡ଼ିଲେ ୮୫ ହଜାର

ଅନ୍ୟ ଦିଗରେ ଡିଏମକେ ପ୍ରବକ୍ତା ଟିକେଏସ ଆଲଗୋବନ କହିଛନ୍ତି ଯେ, ଦଳ ପୂର୍ବରୁ ସୀମା ପୁନଃ ନିର୍ଧାରଣ ବିଲକୁ ବିରୋଧ କରିଥିଲା । କିନ୍ତୁ ନୂଆ ବିଲ୍ ଆସିଛି । ଏହାକୁ ଦେଖିବା ପରେ ହିଁ ନିଷ୍ପତ୍ତି ନିଆଯିବ । ସରକାର ନୂଆ ବିଲରେ କଣ ପରିବର୍ତ୍ତନ କରିଛନ୍ତି ତାହା ପ୍ରଥମେ ଦେଖିବାକୁ ହେବ । ଏହାଦ୍ୱାରା ରାଜ୍ୟର ହିତ ପ୍ରଭାବିତ ହେବ ନା ନାହିଁ ତାହା ମୁଖ୍ୟ ପ୍ରସଙ୍ଗ ରହିବ । ଯଦି ବିଲ୍ ଦ୍ୱାରା ରାଜ୍ୟର କ୍ଷତି ହୁଏ ତେବେ ପାର୍ଟି ନିଷ୍ପତ୍ତି ଉପରେ ବିଚାର କରିବ ।

ସୂଚନାଯୋଗ୍ୟ, ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସୀମା ନିର୍ଧାରଣ ଏବଂ ମହିଳା ସଂରକ୍ଷଣକୁ ନେଇ ରାଜନୀତି ଜୋର୍ ଧରିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜଜୁ ବୁଧବାର ଲୋକସଭା ନଭେମ୍ବର ୩୦ରୁ ଆରମ୍ଭ ହେବ ବୋଲି କହିଥିଲେ । ଏହାସହ ରାଜ୍ୟସଭାର ଅଧିବେଶନ ୨ ତାରିଖରୁ ଆରମ୍ଭ ହେବ ବୋଲି ସେ କହିଥିଲେ ।

ତେବେ ତାମିଲନାଡୁରେ ନିର୍ବାଚନ ହାରିବା ପରଠୁ ଡିଏମକେ ସହ କଂଗ୍ରେସର ସମ୍ପର୍କ ଖରାପ ହୋଇଥିଲା । କଂଗ୍ରେସ ବିଜୟଙ୍କ ଟିଭିକେକୁ ସମର୍ଥନ କରିଥିଲା । ଯାହା ଫଳରେ ବିଜୟ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ।