ନୂଆଦିଲ୍ଲୀ: ଉତ୍ତର ଓ ମଧ୍ୟ ଭାରତରେ ଲୋକଙ୍କୁ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ମିଳିବ ନାହିଁ। ଏଥି ପାଇଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ରବିବାର ଏକ ସ୍ପଷ୍ଟ ତଥା ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛନ୍ତି। ଦେଶର ଏକ ବିସ୍ତୃତ ଅଞ୍ଚଳରେ ଏବେ ହିଟ୍ ୱେଭ୍ ବହୁଛି। ଏଥିରେ ପରିସ୍ଥିତି ସୁଧୁରିବା ପୂର୍ବରୁ ବିଗିଡିବାର ଅନେକ ଆଶଙ୍କା କରାଯାଉଛି। ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, କୋଙ୍କଣ ଓ ଗୋଆରେ ଅନୁନ୍ୟ ମେ ୨୨ତାରିଖ ପର୍ଯ୍ୟନ୍ତ ଲୁ ପରିସ୍ଥିତି ଲାଗି ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି।

ଜାତୀୟ ରାଜଧାନୀ ଦିଲ୍ଲୀରେ ଆଗାମୀ ୩ ଦିନରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢିବାର ଆଶଙ୍କା କରାଯାଉଛି। ଏଥିରେ ଆାଗମୀ ସପ୍ତାହରେ ଜାତୀୟ ରାଜଧାନୀର ତାପମାତ୍ରା ୪୫ ଡିଗ୍ରି ସେଲସିୟସକୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏଣୁ ଲୋକଙ୍କୁ ରାତିରେ ବି ଗରମରୁ ଆଶ୍ୱସ୍ତି ମିଳି ନ ପାରେ ବୋଲି ପାଣିପାଗ ବିଭାଗ କହିଛନ୍ତି। କାରଣ ଉତ୍ତର ଓ ପଶ୍ଚିମ ଭାରତରେ ମେ ୨୧ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢିପାରେ। ପଶ୍ଚିମ ହିମାଳୟ କ୍ଷେତ୍ରରେ ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ୍ ବଢିବ।

ଏଣୁ ବିଶେଷ କରି ଉତ୍ତରପ୍ରଦେଶ ନିମନ୍ତେ ଗ୍ରୀଷ୍ମପ୍ରବାହ ଚେତାବନୀ ଜାରି ହୋଇଛି। ରାଜ୍ୟରେ ୧୯ରୁ ୨୩ ମେ ପର୍ଯ୍ୟନ୍ତ ତାମାତ୍ରା ସ୍ୱଭାବିକରୁ ୬.୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବଢିବ। ଅନ୍ୟପଟେ ପୂର୍ବୋତ୍ତର ରାଜ୍ୟ ଆସାମ, ମେଘାଲୟ, ଅଋଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ସପ୍ତାହ ସାରା ସାମାନ୍ୟରୁ ଭୀଷଣ ବର୍ଷା ସାଙ୍ଗକୁ ଗଡ଼ଘଡ଼ି ବିଜୁଳି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଆସାମ ଓ ମେଘାଳୟରେ ୧୭, ୨୨ ଓ ୨୩ ମେରେ ତଥା ଅଋଣାଚଳ ପ୍ରଦେଶରେ ୧୭ ଓ ୧୮ ମେରେ ଅଲଗା ଅଲଗା ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ଆକଳନ କରାଯାଉଛି।

ସେହିପରି ଦକ୍ଷିଣ ଭାରତରେ କେରଳ ଓ ମାହେରେ ୧୭ରୁ ୨୧ ମେ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ଏବଂ ଝଡ଼ତୋଫାନ ଆଶଙ୍କା କରାଯାଉଛି। ତାମିଲନାଡୁ, ପୁଡୁଚେରୀ ଓ କରାକଲରେ ୧୭ରୁ ୧୯ ମେ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ଝଡତୋଫାନ ଆଶଙ୍କା କରାଯାଉଥିବା ବେଳେ କେଉଁଠି କେଉଁଠି ଭୀଷଣ ବର୍ଷା ମଧ୍ୟ ହୋଇପାରେ। ଉପକୂଳ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ରାୟଲସୀମାରେ ଆଗାମୀ ସପ୍ତାହରେ ବର୍ଷା ଓ ଘଡ଼ଘଡ଼ି ବିଜୁଳି ସହ ଝଡ଼ତୋଫାନ ଆଶଙ୍କା କରାଯାଉଛି। ୧୭ ଓ ୧୮ ମେରେ ଅନ୍ତରୀଣ କର୍ଣ୍ଣାଟକରେ କୁଆପଥର ବର୍ଷା ମଧ୍ୟ ହୋଇପାରେ।