ନୂଆଦିଲ୍ଲୀ, ୧୮ ଅକ୍ଟୋବର: ଦଶହରାରେ ରାବଣ ପୋଡ଼ି ପରମ୍ପରା ସହ ଏଥର ଆଉ ଏକ ନୂଆ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି ଦିଲ୍ଲୀର ରାମଲୀଳା ଉତ୍ସବ। ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ  ସହିତ ଏଥର ୩୦ ଫୁଟ ଉଚ୍ଚତାର ଏକ ‘ଅସରପା’ କୁଶପୁତଳିକା ମଧ୍ୟ ଦହନ କରାଯିବାକୁ ଯୋଜନା କରାଯାଇଛି। ଦିଲ୍ଲୀର ପୀତମପୁରାସ୍ଥିତ ଶ୍ରୀ କେଶବ ରାମଲୀଳା କମିଟିର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଇଛି।

କମିଟିର କହିବା ଅନୁଯାୟୀ, ଅସରପା ଅପରିଷ୍କାର ପରିବେଶ ଓ ମଇଳାର ପ୍ରତୀକ। ତେଣୁ ଏହାର କୁଶପୁତଳିକା ଦହନ ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ସହ ‘ସ୍ୱଚ୍ଛ ଭାରତ’ ଓ ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନର ବାର୍ତ୍ତା ପହଞ୍ଚାଇବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

କମିଟିର ଅଧ୍ୟକ୍ଷ ତଥା ବିଜେପି ବିଧାୟକ ଅଶୋକ ଗୋୟଲ କହିଛନ୍ତି ଯେ, ଏହି ନିଷ୍ପତ୍ତି ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ସହ ସ୍ୱଚ୍ଛତାର ଗୁରୁତ୍ୱକୁ ମଧ୍ୟ ଲୋକଙ୍କ ସାମ୍ନାକୁ ଆଣିବାକୁ କମିଟି ଚାହୁଁଛି। ରାବଣ ସେନାର ଅସୁରମାନଙ୍କ ମଧ୍ୟରେ ଅସରପାକୁ ଦର୍ଶାଯିବ ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପଟେ, ଧାର୍ମିକ ଉତ୍ସବରେ ଏଭଳି ଏକ ନୂଆ ପ୍ରତୀକକୁ ସାମିଲ କରିବା ନେଇ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ, ଦଶହରାର ପାରମ୍ପରିକ ଧାର୍ମିକ ମହତ୍ତ୍ୱ ଓ ସାଂସ୍କୃତିକ ବାର୍ତ୍ତା ଉପରେ ଏଭଳି ପଦକ୍ଷେପର ପ୍ରଭାବ ପଡ଼ିପାରେ। ଏହାକୁ ସାମ୍ପ୍ରତିକ ରାଜନୈତିକ ଘଟଣା ସହ ଯୋଡ଼ି ମଧ୍ୟ ଆଲୋଚନା କରାଯାଉଛି।

ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ଚାଲିଥିବା ପ୍ରତିବାଦ କାର୍ଯ୍ୟକ୍ରମ ମଧ୍ୟରେ ଏହି ନିଷ୍ପତ୍ତି ସାମ୍ନାକୁ ଆସିଥିବାରୁ ବିବାଦ ଆହୁରି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସଂଗଠନ ପୂର୍ବରୁ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରତିବାଦ କରିଥିବାବେଳେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ହେଉଥିବା ପ୍ରଦର୍ଶନରେ ମଧ୍ୟ ସାମିଲ ହୋଇଛି।

also read-କୋଲକତା ଦଳାଚକଟା ମାମଲାରେ ଆୟୋଜଙ୍କ ସମେତ ୭ ଗିରଫ, ଆହତଙ୍କୁ ଭେଟିଲେ ଅମିତ ଶାହ

ତେବେ ଅସରପା କୁଷପୁତୁଳିକା ଦହନକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଆୟୋଜକ କମିଟି ନିଜ ନିଷ୍ପତ୍ତିକୁ ସ୍ୱଚ୍ଛତା ସଚେତନତା ସହ ଯୋଡିଥିବା ବେଳେ ଏହି ପଦକ୍ଷେପକୁ ନେଇ ବର୍ତ୍ତମାନ ମତଭେଦ ଦେଖିବାକୁ ମିଳିଛି l ଦଶହରାର ମୂଳ ବାର୍ତ୍ତା ହେଉଛି ଅସତ୍ୟ ଓ ଅଧର୍ମ ଉପରେ ସତ୍ୟ ଓ ଧର୍ମର ବିଜୟ। ଏହି ବାର୍ତ୍ତା ସହ ସ୍ୱଚ୍ଛତାର ଗୁରୁତ୍ୱକୁ କିପରି ଯୋଡ଼ାଯାଉଛି, ତାହା ଏବେ ଆଲୋଚନାର ବିଷୟ ହୋଇଛି।