ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କାଳରେ କଥିତ ପେଲେଟ ଗନ ଉପଯୋଗ ମାମଲାରେ ଦିଲ୍ଲୀ ପୋଲିସ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ କରିଛି। ସାହିଲ ଲୋଚଭଙ୍କ ଅଭିଯୋଗ ଆଧାରରେ ଅଜ୍ଞାତ ଲୋକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରିଛି। ଏ ନେଇ ଏଫଆଇଆର ରୁଜୁ କରିବା ଦାବିରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦମାର୍ଗ ଥାନାକୁ ଯାଇଥିଲେ। ସେଠାରେ ପୋଲିସ ଅଧିକାରୀଙ୍କୁ ଭେଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ରାହୁଲ ଅଭିଯୋଗ କରିଥିଲେ ଯେ ଜନ୍ତର-ମନ୍ତର ପ୍ରଦର୍ଶନ କାଳରେ ଦିଲ୍ଲୀ ପୋଲିସର କିଛି ଜବାନ ପେଲେଟ ଗନ ଉପଯୋଗ କରିଥିଲେ, ଏଣୁ ଅନେକ ଛାତ୍ର ଆହତ ହୋଇଛନ୍ତି। ରାହୁଲ ଗାନ୍ଧି ଏହି ମାମଲାରେ ସମ୍ବଦ୍ଧିତ ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ। ତେବେ ରାହୁଲଙ୍କ ଦାବି ଅନୁସାରେ ପୋଲିସ ଏଫଆଇଆର ରୁଜୁ କରିବାକୁ ପ୍ରଥମ ଥତମତ ହୋଇଥିଲା। ଏଣୁ ଏଫଆଇଆର ରୁଜୁ ନ ହେବାରୁ ରାହୁଲ ଡିସିପିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ। କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ପୋଲିସ ପେଲେଟ ଗନ ମାମଲାରେ ଏଫଆଇଆର ରୁଜୁ ନ କରିଛି ସେ ଥାନାରୁ ଯିବେ ନାହିଁ।

ଧାରଣା କାଳରେ ରାହୁଲ ଗାନ୍ଧି ଦିଲ୍ଲୀ ପୋଲିସ ଉପରେ ଛାତ୍ରମାନଙ୍କ ବିରୋଧରେ କଥିତ ବର୍ବରତାର ଅଭିଯୋଗ କରିଥିଲେ। ରାହୁଲଙ୍କ ଏହି ଧାରଣାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ଭାଗନେବାକୁ ପହଞ୍ଚିଥିଲେ। ଏଣୁ ଥାନା ଆଖପାଖର ସୁରକ୍ଷା ବଢା ଯାଇଥିଲା। କନଟ ପ୍ଲେସରୁ ସଂସଦ ମାର୍ଗ ଥାନା ଆଡକୁ ଆସୁଥିବା ବାହନଙ୍କ ଯାତାୟାତ ରୋକାଯାଇଥିଲା। ଏବେ ସାହିଲ ଲୋଚଭଙ୍କ ଏଫଆଇଆର ଆଧାରରେ ପୋଲିସ ମାମଲାର ଯାଞ୍ଚ କରିବ। ଏଫଆଇଆରରେ କେଉଁଧାରାରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ଓ ଯାଞ୍ଚରେ ଆଗକୁ କଣ ସାମ୍ନାକୁ ଆସିବ, ଏହା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ହେବ।