ନୂଆଦିଲ୍ଲୀ ୦୯।୦୮; ଗତ ଅଗଷ୍ଟ ୪ ତାରିଖରେ ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (ଏଆର-୨୩୭୯) ଆକାଶରେ ପ୍ରବଳ ଝଡ଼ ଓ ଟର୍ବୁଲାନ୍ସ (ଅସ୍ଥିରତା)ର ସମ୍ମୁଖୀନ ହେବା ଘଟଣାର ତଦନ୍ତ ବର୍ତ୍ତମାନ ଏକ ନୂଆ ମୋଡ଼ ନେଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ପରେ କରାଯାଇଥିବା ଡୋପ୍ ଟେଷ୍ଟ କିମ୍ବା ଡ୍ରଗ୍ସ ପରୀକ୍ଷାରେ ବିମାନର କ୍ୟାପଟେନଙ୍କ ନମୁନାରେ ଏକ ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିବା ''ସାଇକୋଆକ୍ଟିଭ୍'' ପଦାର୍ଥ ରହିଥିବା ଜଣାପଡ଼ିଛି। ଜଣେ ପାଇଲଟଙ୍କ ପରୀକ୍ଷା ପଜିଟିଭ୍ ଆସିଛି ଏବଂ ସମ୍ପୂର୍ଣ୍ଣ ତଦନ୍ତ ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଗ୍ରାଉଣ୍ଡେଡ୍ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୪ ତାରିଖରେ ଏୟାର ଇଣ୍ଡିଆର ଏ-୩୨୦ ବିମାନଟି ଫୁକେଟରୁ ଦିଲ୍ଲୀ ଆସୁଥିବା ସମୟରେ ରାଜଧାନୀ ନିକଟତର ହେବା ବେଳେ ହଠାତ୍ ପ୍ରବଳ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ବିମାନଟି ପ୍ରାୟ ୩୦୦ ଫୁଟ ତଳକୁ ଖସି ଆସିଥିଲା, ଯାହା ଫଳରେ କେତେକ ଯାତ୍ରୀ ଓ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ। ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ଆହତମାନଙ୍କୁ ବିମାନବନ୍ଦରର ମେଡିକାଲ ସେଣ୍ଟରରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ବେସାମରିକ ବିମାନ ଚଳାଚଳ ମାନକ ସଂସ୍ଥା (ଡିଜିସିଏ) ଏହି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଜାରି ରଖିଛି। ହଠାତ୍ ବିମାନର ଉଚ୍ଚତା ପରିବର୍ତ୍ତନ ହେବାର ପ୍ରକୃତ କାରଣ କ’ଣ ଏବଂପାଇଲଟମାନେ ସୁରକ୍ଷା ନିୟମାବଳୀର ସଠିକ୍ ପାଳନ କରିଥିଲେ କି ନାହିଁ, ସେ ନେଇ ଯାଞ୍ଚ କରାଯାଉଛି। ଏହାସହ ଅନ୍ୟ କୌଣସି ପରିସ୍ଥିତି ଏହାକୁ ପ୍ରଭାବିତ କରିଥିଲା କି ନାହିଁ ଏବଂ ଉକ୍ତ ପରିସ୍ଥିତିରେ ବିମାନକୁ ଦିଲ୍ଲୀ ପର୍ଯ୍ୟନ୍ତ ଆଣିବା ନିଷ୍ପତ୍ତି କେତେ ଦୂର ସଠିକ୍ ଥିଲା, ତାହାର ମଧ୍ୟ ତଦନ୍ତ ଚାଲିଛି। ବିମାନ ଚଳାଉଥିବା ପାଇଲଟମାନଙ୍କ ପାଇଁ କୌଣସି ନିଶାଦ୍ରବ୍ୟ କିମ୍ବା ମାନସିକ ଅବସ୍ଥାକୁ ପ୍ରଭାବିତ କରୁଥିବା ପଦାର୍ଥ ସେବନ ଉପରେ କଠୋର କଟକଣା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ୟାପଟେନ ନିଶାସକ୍ତ ଥିବା ନେଇ କୌଣସି ଆନୁଷ୍ଠାନିକ ନିଶ୍ଚିତତା ମିଳିନାହିଁ। ଡିଜିସିଏ କିମ୍ବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ସମ୍ପର୍କରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ। ତେଣୁ ଏହାକୁ ବର୍ତ୍ତମାନ ଚୂଡ଼ାନ୍ତ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଡିଜିସିଏର ଆନୁଷ୍ଠାନିକ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ସଚ୍ଚୋଟତା, କାରଣ ଏବଂ କ୍ରୁ ସଦସ୍ୟଙ୍କ ଭୂମିକା ସ୍ପଷ୍ଟ ହୋଇପାରିବ।

ମଝି ଆକାଶରେ ଦୋହଲିଲା Air India ବିମାନ, ୧୨ ଜଣ ଆହତ