ନୂଆଦିଲ୍ଲୀ: ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ମଙ୍ଗଳବାର ହଠାତ୍‌ ତୀବ୍ର ଝଟକା (ଟର୍ବୁଲାନ୍ସ) ଅନୁଭୂତ ହେବା ଯୋଗୁଁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ସୂଚନା ଅନୁଯାୟୀ, ଏହି ଘଟଣାରେ ୨ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୨ ଜଣ ଆହାତ ହୋଇଛନ୍ତି। ଏହାସହ ବିମାନର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଏହି ଘଟଣାକୁ ସ୍ୱୀକାର କରି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୪ ତାରିଖରେ ଫୁକେଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ AI379 ଆକାଶମାର୍ଗରେ ଗତି କରୁଥିବା ସମୟରେ ହଠାତ୍‌ ଟର୍ବୁଲାନ୍ସର ସାମ୍ନା କରିଥିଲା, ଫଳରେ ବିମାନର ଉଚ୍ଚତାରେ କିଛି ସମୟ ପାଇଁ ପରିବର୍ତ୍ତନ ଘଟିଥିଲା। ତେବେ ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଓହ୍ଲାଇଛନ୍ତି। ସେହି ସମୟରେ ବିମାନରେ ମୋଟ ୧୩୪ ଜଣ ଯାତ୍ରୀ ଥିଲେ।

ଏୟାରଲାଇନ୍ସ ପକ୍ଷରୁ ଆହୁରି କୁହାଯାଇଛି ଯେ, କୌଣସି ଯାତ୍ରୀଙ୍କୁ ଗୁରୁତର ଆଘାତ ଲାଗିନାହିଁ। ସାମାନ୍ୟ ଆହାତ ହୋଇଥିବା କିଛି ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସାବଧାନତା ମୂଳକ ପଦକ୍ଷେପ ସ୍ୱରୂପ ବିମାନବନ୍ଦରରେ ଥିବା ମେଡିକାଲ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ବିମାନ ଅବତରଣ ପରେ ଯାତ୍ରୀମାନେ କହିଛନ୍ତି ଯେ, ବିମାନଟି ହଠାତ୍‌ ତଳକୁ ଖସିଆସିବା ପରି ଅନୁଭୂତ ହୋଇଥିଲା, ଫଳରେ କିଛି ଲୋକ ଆହାତ ହୋଇଥିଲେ। ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ‘ବିମାନର ଉଚ୍ଚତା ହଠାତ୍‌ କମିଯାଇଥିଲା। ମୋ ମୁଣ୍ଡ ଉପର ଛାତରେ ବାଜିଥିଲା ଏବଂ ମୁଁ ତଳେ ପଡ଼ିଯାଇଥିଲି।’ ଏହି କାରଣରୁ କିଛି ଯାତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିବା ସହ ଶରୀରରେ କ୍ଷତ ସୃଷ୍ଟି ହୋଇଛି।

ଏୟାର ଇଣ୍ଡିଆ କହିଛି, ‘ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ଏବଂ ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି।’