ନୂଆଦିଲ୍ଲୀ: ରେସ୍ଲର ଭିନେଶ ଫୋଗାଟଙ୍କୁ ଘରୋଇ ଇଭେଣ୍ଟସ୍ ରେ ଖେଳିବା ଲାଗି ଅଯୋଗ୍ୟ ଘୋଷଣା କରିବା କାରଣରୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫଆଇ)କୁ କଡା ତାଗିଦ କରିଛନ୍ତି। ଏହା ସହିତ କୋର୍ଟ କେନ୍ଦ୍ରକୁ ଏକ ପ୍ୟାନେଲ ଗଠନ କରିବାକୁ କହିଛନ୍ତି, ଯାହା ଭିନେଶଙ୍କ ମୂଲ୍ୟାଙ୍କନ କରିବ। ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.କେ.ଉପାଧ୍ୟାୟ ଓ ଜଷ୍ଟିସ୍ ତେଜସ କରିୟାଙ୍କ ପୀଠ କହିଛନ୍ତି ଯେ କୁସ୍ତି ସଂଘ ପୂର୍ବରୁ ଯେପରି ପ୍ରତିଷ୍ଠିତ ଆଥଲେଟଙ୍କୁ ଭାଗ ନେବାକୁ ଅନୁମତି ଦେଉଥିଲା ସେହି ପ୍ରଥାରୁ ସଂଘ ପଛକୁ ହଟିବା ‘ଅନେକ କିଛି କହୁଛି’।

ଏହା ସହିତ କୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ ଭିନେଶ ଫୋଗାଟ ଯିଏ ମେଟରନିଟି ଲିଭ୍ ପରେ ଏସିୟାନ ଗେମସ୍ ଟ୍ରାୟଲରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେ ସୁଯୋଗ ଯେପରି ପାଆନ୍ତି ତାହା ସୁନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି। ପୀଠ ଏହି କଥା ଉପରେ ଜୋର ଦେଇଛନ୍ତି ଯେ ‘ଆମେ ଦେଶରେ ମାତୃତ୍ୱକୁ ସମ୍ମାନ ଦିଆଯାଏ, ଏହାକୁ କୌଣସି ଖେଳାଳିଙ୍କ କ୍ୟାରିୟର ବିରୋଧରେ ଅସ୍ତ୍ର କରାଯାଇ ପାରିବନି।

ଉଲ୍ଲେଖଯୋଗ୍ୟ ଯେ ଡବ୍ଲୁଏଫଆଇ ୨୬ ଜୁନ ୨୦୨୬ ପର୍ଯ୍ୟନ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରିଥିଲା। ସଂଘ କହିଥିଲା ଯେ ସନ୍ୟାସ ପରେ ପ୍ରତ୍ୟାବର୍ତ୍ତନ କରୁଥିବା ଖେଳାଳିଙ୍କୁ ଆଣ୍ଟି ଡୋପିଂ ନିୟମ ଅନୁସାରେ ୬ ମାସ ପୂର୍ବରୁ ନୋଟିସ୍ ଦେବା ଜରୁରି। ତେବେ ଜୁଲାଇ ୨୦୨୫ରେ ମା ହେବା ପରେ ପ୍ରତ୍ୟାବର୍ତ୍ତି ପ୍ରସ୍ତୁତି କରୁଥିବା ଭିନେଶ ଏହା ସତ୍ତ୍ୱେ ଗୋଣ୍ଡାରେ ଅନୁଷ୍ଠିତ ନ୍ୟାସନାଲ ଓପନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ପହଞ୍ଚି ଯାଇଛନ୍ତି।

ଭିନେସଙ୍କ ପକ୍ଷରୁ କୋର୍ଟରେ ତର୍କ ଦିଆଯାଇଛି ଯେ ୯ ମେ ରେ ଜାରି ସୋ କଜ ନୋଟିସ୍ କେବଳ ତାଙ୍କୁ ବାହାର କରିବାକୁ ଉଦ୍ୟମ ଥିଲା। କୋର୍ଟ ଡବ୍ଲୁଏଫଆଇଙ୍କ ନୋଟିସକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ମାମଲାରେ କଡା ଆଭିମୁଖ୍ୟ ଅବଲମ୍ବନ କରିଥିବା ବେଳେ କହିଛନ୍ତି ଯେ ଖେଳ କୌଣସି ବ୍ୟକ୍ତିଗତ ଶତ୍ରୁତାଠାରୁ ବଡ଼, ଖେଳାଳିଙ୍କ ଭବିଷ୍ୟତ ସହିତ ଏପରି ବ୍ୟବହାର ଖେଳ ପାଇଁ ହୀତକର ନୁହେଁ।