ନୂଆଦିଲ୍ଲୀ: ବନ୍ଧୁତାର ହାତ ବଢ଼ାଇ ପଛପଟୁ ମାରୁଛି ଛୁରୀ। ଡ୍ରାଗନର ଦୋମୁହାଁ ନୀତି। ସୀମା ଆରପଟେ ରଚୁଛି ଭୟଙ୍କର ଷଡ଼ଯନ୍ତ୍ର। ଭାରତକୁ ଘେରିବାକୁ ଚାଲିଛି ବଡ଼ ରଣନୀତି। ଗୋଟିଏ ପଟେ ପାକିସ୍ତାନ, ଅନ୍ୟପଟେ ଚୀନ୍ ! ଦୁଇ ପଡ଼ୋଶୀ ଦେଶଙ୍କ ମଧ୍ୟରେ ବଢ଼ୁଥିବା ସାମରିକ ସହଯୋଗ ଏବେ ଭାରତର ସୁରକ୍ଷା ପାଇଁ ସୃଷ୍ଟି କରିଛି ନୂଆ ଚ୍ୟାଲେଞ୍ଜ । ନୂଆଦିଲ୍ଲୀକୁ ଟକ୍କର ଦେବାକୁ ଇସଲାମାବାଦକୁ ଉସକାଉଛି ବେଜିଂ। ଭାରତ ସହ ସିଧାସଳଖ ଯୁଦ୍ଧ ନକରି ମଧ୍ୟ ପାକିସ୍ତାନକୁ ସାମରିକ ଓ ରଣନୈତିକ ସହଯୋଗ ଯୋଗାଇ ଭାରତ ପାଇଁ ସଙ୍କଟ ବଢ଼ାଉଛି ଚୀନ। ଏନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି ଆମେରିକା।

ଆମେରିକୀୟ ରିପୋର୍ଟରେ ଭାରତର ଶକ୍ତି ଓ ଚୀନ ରଣନୀତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଭାରତ କେବଳ ଜନସଂଖ୍ୟା ଦୃଷ୍ଟିରୁ ନୁହେଁ, ବରଂ ଆର୍ଥିକ, ସାମରିକ ଓ ଭୌଗୋଳିକ ଦୃଷ୍ଟିରୁ ମଧ୍ୟ ଏକ ବଡ଼ ଶକ୍ତି। ଭାରତର ଏହି ବଢ଼ୁଥିବା କ୍ଷମତା ଚୀନ୍ର ଆଞ୍ଚଳିକ ପ୍ରଭାବ ଓ ରଣନୈତିକ ସ୍ୱାର୍ଥ ଉପରେ ପ୍ରଭାବ ପକାଇପାରେ। ତେଣୁ ଭାରତର ବିକାଶକୁ ସହିପାରୁନି ଚୀନ।

ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ପାକିସ୍ତାନ ଓ ଚୀନ୍ର ଘନିଷ୍ଠ ସାମରିକ ସମ୍ପର୍କ। ପାକିସ୍ତାନକୁ ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର, ନୌସେନା ଉପକରଣ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଆସୁଛି ଚୀନ୍ । ଏହା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶର ସହଯୋଗ ମଧ୍ୟ ବଢ଼ୁଛି। ଏଭଳି ସ୍ଥିତିରେ ଭାରତକୁ ପଶ୍ଚିମ ସୀମାରେ ପାକିସ୍ତାନ ଏବଂ ଉତ୍ତର ଓ ପୂର୍ବ ସୀମାରେ ଚୀନକୁ ମୁକାବିଲା କରିବାକୁ ପଡ଼ିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସେହିପରି ଅପରେସନ୍ ସିନ୍ଦୂର ସମୟରେ ଚୀନ୍ ସିଧାସଳଖ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇନଥିଲେ ମଧ୍ୟ ପାକିସ୍ତାନକୁ ଚୀନ୍ର ସମର୍ଥନ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଏହା ଦର୍ଶାଇଥିଲା ଯେ ଦୁଇ ଦେଶ ମଧ୍ୟରେ ଥିବା ସାମରିକ ସହଯୋଗ ସଙ୍କଟ ସମୟରେ ପାକିସ୍ତାନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଭବିଷ୍ୟତରେ ଭାରତ-ପାକିସ୍ତାନ ସଂଘର୍ଷ ହେଲେ ଚୀନ୍ ପରୋକ୍ଷ ଭାବେ ପାକିସ୍ତାନକୁ ସହଯୋଗ କରିବାର ଆଶଙ୍କାକୁ ମଧ୍ୟ ଏହା ବଢ଼ାଇଛି। ଏହାର ଅର୍ଥ ନୁହେଁ ଯେ ଭାରତ ବିରୋଧରେ ଦୁଇ ଦେଶ ମିଳିତ ଭାବେ ଯୁଦ୍ଧ କରିବାକୁ ଯାଉଛନ୍ତି। କିନ୍ତୁ ଯଦି ଦୁଇ ସୀମାରେ ଏକକାଳୀନ ସାମରିକ ଚାପ ସୃଷ୍ଟି ହୁଏ, ତେବେ ଭାରତର ପ୍ରତିରକ୍ଷା ରଣନୀତି ଓ ସାମରିକ ପ୍ରସ୍ତୁତି ପାଇଁ ତାହା ଏକ ବଡ଼ ପରୀକ୍ଷା ହେବ

୨୦୨୦ ଗଲଓ୍ୱାନ ସଂଘର୍ଷ ପରଠୁ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ହୋଇଆସୁଛି। କିନ୍ତୁ ସୀମା ବିବାଦ ଏବେ ବି ଦୁଇ ଦେଶ ମଧ୍ୟରେ ଅବିଶ୍ୱାସର ଏକ ପ୍ରମୁଖ କାରଣ ହୋଇ ରହିଛି। ଭାରତର ଆଭିମୁଖ୍ୟ ସ୍ପଷ୍ଟ ଯେ, ସୀମାରେ ଶାନ୍ତି ଓ ସ୍ଥିରତା ନ ଫେରିବା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସ୍ୱାଭାବିକ ଓ ବ୍ୟାପକ ସମ୍ପର୍କ ସମ୍ଭବ ନୁହେଁ। ସୀମା ବିବାଦର ସମାଧାନ ପାଇଁ ଅନେକ ଥର ସାମରିକ ଓ କୂଟନୈତିକ ସ୍ତରରେ ବୈଠକ ହୋଇଥିଲେ ମଧ୍ୟ ପରସ୍ପର ପ୍ରତି ସନ୍ଦେହ ଦୂର ହୋଇନାହିଁ।

ଏବେ ପ୍ରଶ୍ନ ହେଉଛି, ଭାରତକୁ ଘେରିବା ପାଇଁ ଚୀନ୍ ପାକିସ୍ତାନକୁ ନିଜର ରଣନୈତିକ ସହଯୋଗୀ ଭାବେ ଆହୁରି ଶକ୍ତିଶାଳୀ କରୁଛି କି? ନା ଏହା କେବଳ ଦକ୍ଷିଣ ଏସିଆରେ ନିଜର ପ୍ରଭାବ ବଜାୟ ରଖିବାର ଏକ କୂଟନୈତିକ ରଣନୀତି? ଆମେରିକୀୟ ରିପୋର୍ଟର ଏହି ଆକଳନ ଏବେ ଭାରତର ରଣନୀତି କଣ ରହିବ, ତାହା ଦେଖିବାକୁ ବାକି ରହିଲା।