ଦିଲ୍ଲୀ: ଆଇପିଏଲ ୨୦୨୬ର ୬୨ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ ୫ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଅଫ୍ ଦୌଡ଼ରେ ନିଜକୁ ବଜାୟ ରଖିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୮ ୱିକେଟ ହରାଇ ୧୯୩ ରନ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ୧୯.୨ ଓଭରରେ ୫ ୱିକେଟ ହରାଇ ୧୯୭ ରନ କରି ମ୍ୟାଚ୍ ଜିତିଥିଲା। ଦିଲ୍ଲୀ ପାଇଁ ଦୁଇ ଓପନର କେଲ୍ ରାହୁଲ (୫୬) ଏବଂ ଅଭିଷେକ ପୋରେଲ (୫୧) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ରାଜସ୍ଥାନ ପାଇଁ ଜୋଫ୍ରା ଆର୍ଚର ଏବଂ ବ୍ରିଜେଶ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସର ଆରମ୍ଭ ଖରାପ ହୋଇଥିଲା । ଓପନର ଯଶସ୍ୱୀ ଜୟସୱାଲ ୯ ବଲରୁ ୧୨ ରନ କରି ଆଉଟ ହୋଇଥିଲେ । ବୈଭବ ସୂର୍ଯ୍ୟବଂଶୀ ୨୧ ବଲରୁ ୪୬ ରନ କରି ମାଧବଙ୍କ ଦ୍ୱାରା ଆଉଟ ହୋଇଥିଲେ । ମିଚେଲ ଷ୍ଟାର୍କ ତାଙ୍କ ତୃତୀୟ ଓଭରରେ ରିୟାନ ପରାଗ, ଫେରେରା ଏବଂ ରବିଙ୍କୁ ଆଉଟ କରିଥିଲେ । ରିୟାନ ପରାଗ ୨୬ ବଲରୁ ୫୧ ରନ କରିଥିଲେ । ୧୪ତମ ଓଭର ପରେ ରୟାଲ୍ସର ସ୍କୋର ୨ ୱିକେଟରେ ୧୬୦ ରନ ଥିଲା ଏବଂ ଦଳ ପ୍ରାୟ ୨୩୦ ରନରେ ପହଞ୍ଚିବ ବୋଲି ମନେ ହେଉଥିଲା । କିନ୍ତୁ, ଶେଷ ଛଅ ଓଭରରେ କେବଳ ୩୩ ରନ ହୋଇଥିଲା ଏବଂ ଛଅଟି ୱିକେଟ ପଡ଼ିଥିଲା । ଷ୍ଟାର୍କ ଚାରି ଓଭରରେ ୪୦ ରନ ଦେଇ ୪ଟି, ଲୁଙ୍ଗି ଏନଗିଡି ଚାରି ଓଭରରେ ୨୪ ରନ ଦେଇ ଦୁଇଟି ଏବଂ ମାଧବ ତିୱାରୀ ୨୭ ରନ ଦେଇ ଦୁଇଟି ୱିକେଟ ନେଇଥିଲେ ।