ଲକ୍ଷ୍ନୌ: ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ସମୀର ରିଜଭିଙ୍କ ମ୍ୟାଚ୍ ବିଜୟୀ ଇନିଂସ। ଦିଲ୍ଲୀ କ୍ୟାପିଟାଲ୍ସ IPL 2026ର ପଞ୍ଚମ ମ୍ୟାଚରେ ସହଜ ବିଜୟ ହାସଲ କରିଛି। ଦିଲ୍ଲୀ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ତାରି ଘରୋଇ ମାଟିରେ ୬ ଓ୍ଵିକେଟରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏହା ସହିତ ଦିଲ୍ଲୀ ଲଗାତାର ଏଲଏସଜିକୁ ପାଞ୍ଚ ଥର ହରାଇଛି। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୧୪୧ ରନ କରିଥିଲା। ଜବାବରେ ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ସମୀର ରିଜଭିଙ୍କ ମ୍ୟାଚ୍ ବିଜୟୀ ୭୦ ରନ ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କ ୩୯ ରନ ବଳରେ ମ୍ୟାଚକୁ ୧୭.୧ ଓଭରରେ ଜିତି ନେଇଛି। ଅନ୍ୟପଟେ ଲକ୍ଷ୍ନୌ ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ସମର୍ଥକଙ୍କୁ ନିରାଶ କରିଛି।

୧୪୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲରେ ହିଁ କେଏଲ ରାହୁଲଙ୍କୁ ପାଭିଲିୟନ ପଠାଇଥିଲେ ମହମ୍ମଦ ଶାମି। ଏହା ପରେ ନୀତିଶ ରାଣା ୧୫ ରନ, ପଥୁମ ନିଶଙ୍କା ୧ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଅକ୍ଷର ପଟେଲ୍ ଖାତା ଖୋଲି ପାରି ନ ଥିଲେ। ୨୬ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଦିଲ୍ଲୀର ମୋର୍ଚ୍ଚା ସମ୍ଭାଳିଥିଲେ ସମୀର ରିଜଭି ଓ ଟ୍ରିଷ୍ଟନ ଷ୍ଟବ୍ସ। ଉଭୟ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ।

ତେବେ କ୍ରିଜରେ ସେଟ୍ ହେବା ପରେ ହାତ ଖୋଲିବା ଆରମ୍ଭ କରିଥିଲେ ଦୁଇ ବ୍ୟାଟର। ଉଭୟ ଶାଣିତ ବୋଲିଂ କରିଥିବା ଏଲଏସଜି ବୋଲରଙ୍କୁ ଆଉ ସୁଯୋଗ ଦେଇ ନ ଥିଲେ। ଏହି କ୍ରମରେ ରିଜଭି ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ରିଜଭି ଓ ଷ୍ଟବ୍ସ ଅବିଭାଜିତ ପଞ୍ଚମ ଓ୍ଵିକେଟ୍ ପାଇଁ ୧୧୯ ରନର ଶତକୀୟ ଇନିଂସ ଯୋଡ଼ିଥିଲେ। ଦୁଇ ବ୍ୟାଟରଙ୍କ ଆଗରେ ଅସହାୟ ନଜର ଆସିଥିଲେ ଏଲଏସଜି ବୋଲର।

ଶେଷରେ ଦିଲ୍ଲୀ ଅନାୟସରେ ୧୭ ବଲ୍ ପୂର୍ବରୁ ମ୍ୟାଚକୁ ୬ ଓ୍ଵିକେଟରେ ଜିତି ନେଇଛି। ରିଜଭି ୪୭ ବଲରୁ ୫ ଚୌକା ଓ ୪ ଛକା ସହ ୭୦ ରନରେ ଅପରାଜିତ ଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇ ଟ୍ରିଷ୍ଟନ ଷ୍ଟବ୍ସ ୩୯ ରନ କରି କ୍ରିଜରେ ଥିଲେ। ବୋଲିଂରେ ପ୍ରିନ୍ସ ଯାଦବ ୨୦ ରନ ଦେଇ ୨ଟି, ମହମ୍ମଦ ଶାମି ୨୮ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ।  

ଲକ୍ଷ୍ନୌର ଇନିଂସ

ଲକ୍ଷ୍ନୌ ପାଇଁ ଇନିଂସ ଓପନ କରିଥିବା ମିଚେଲ ମାର୍ଶ ଦ୍ୱିତୀୟ ସର୍ବାଧିକ ସ୍କୋରର ଥିଲେ। ମାର୍ଶ ୨୮ ବଲରେରେ ଦୁଇଟି ଚୌକା ଏବଂ ତିନୋଟି ଛକା ସହାୟତାରେ ୩୫ ରନ କରିଥିଲେ। ଦଳର ୧୧ ବ୍ୟାଟରଙ୍କ ମଧ୍ୟରୁ ଛଅ ଜଣ ଦୁଇ ଅଙ୍କରେ ପହଞ୍ଚିପାରି ନଥିଲେ। କୌଣସି ବ୍ୟାଟର ଅଧିକ ସମୟ ପାଇଁ କ୍ରିଜରେ ରହିପାରିଲେ ନାହିଁ, ଯାହା ଲକ୍ଷ୍ନୌ ପାଇଁ ସମସ୍ୟା ସୃଷ୍ଟି କରିଥିଲା, ଏବଂ ଦଳ ୧୫୦ ରନର ସ୍କୋର ମଧ୍ୟ ହାସଲ କରିପାରି ନଥିଲା। ଋଷବ ପନ୍ତ ୭ ରନ କରିଥିଲେ।