• ସରକାର ଆନ୍ଦୋଳନ ଡରରେ ମୋଟ୍ରୋ ସେବା ବନ୍ଦ କରି, ସଡକ ସିଲ୍ କରି ପୁରା ଦିଲ୍ଲୀକୁ ସୁରକ୍ଷା ବଳୟରେ ରଖି ବାଣିଜ୍ୟ ବ୍ୟବସାୟକୁ ପ୍ରଭାବିତ କରୁଛନ୍ତି
  • ରାହୁଲ ଲେଖିଛନ୍ତି ଯେ ଚୋରି ଭୋଟରେ କିଛି ବି ସୁରକ୍ଷିତ ନୁହେଁ, ନା ଆପଣଙ୍କ ଦୋକାନ ନା ଜମା ପୁଞ୍ଜି ନା ଆପଣଙ୍କ ପିଲାଙ୍କ ଭବିଷ୍ୟତ
  • ବିକ୍ଷୋଭ ପ୍ରଦର୍ଶନ ଓ ସଡ଼କ ବନ୍ଦ ରହିବା ଯୋଗୁ ବ୍ୟବସାୟୀ ପୂର୍ବରୁ ୩ ହଜାର କୋଟି ଟଙ୍କାର ବିପୁଳ କ୍ଷତି ସହିଛନ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବ୍ୟବସାୟୀମାନେ ସୋମବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ଅବସରରେ ଆନ୍ଦୋଳନ ଯୋଗୁ ବ୍ୟବସାୟରେ ହେଉଥିବା କ୍ଷତି ସମ୍ପର୍କରେ ଗାନ୍ଧିଙ୍କୁ ସୂଚିତ କରିଛନ୍ତି। ବ୍ୟବସାୟରେ କ୍ଷତି ଅଭିଯୋଗ ନେଇ ବ୍ୟବସାୟୀଙ୍କ କଥାରେ ସହମତ ହୋଇଛନ୍ତି ରାହୁଲ ଗାନ୍ଧି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ସରକାର ଆନ୍ଦୋଳନ ଡରରେ ମୋଟ୍ରୋ ସେବା ବନ୍ଦ କରି, ସଡକ ସିଲ୍ କରି ପୁରା ଦିଲ୍ଲୀକୁ ସୁରକ୍ଷା ବଳୟରେ ରଖି ବାଣିଜ୍ୟ ବ୍ୟବସାୟକୁ ପ୍ରଭାବିତ କରୁଛନ୍ତି।

ସରକାରଙ୍କ ଏହି ସବୁ କଟକଣାକୁ ରାହୁଲ ଗାନ୍ଧି ଭୋଟ ଚୋରି ସହ ଯୋଡି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ। ଏ ନେଇ ସେ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ରାହୁଲ ଗାନ୍ଧି ବ୍ୟବସାୟୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି ଯେ ‘ସେମାନଙ୍କ କଷ୍ଟ ଓ ଯନ୍ତ୍ରଣାକୁ ମୁଁ ଭଲ ଭାବେ ବୁଝି ପାରୁଛି। ସେ କହିଛନ୍ତି ଯେ ସରକାର ମେଟ୍ରୋ ବନ୍ଦ କରିଦେଲେ, ରାସ୍ତା ସିଲ କରିଦେଲେ ଓ ରାଜଧାନୀକୁ ଠପ କରିଦେଲେ’। ରାହୁଲ ଲେଖିଛନ୍ତି ଯେ ଚୋରି ଭୋଟରେ କିଛି ବି ସୁରକ୍ଷିତ ନୁହେଁ, ନା ଆପଣଙ୍କ ଦୋକାନ ନା ଜମା ପୁଞ୍ଜି ନା ଆପଣଙ୍କ ପିଲାଙ୍କ ଭବିଷ୍ୟତ। ଏଣୁ ମୋଦିଙ୍କୁ କୁହନ୍ତୁ ଅଭିଯୁକ୍ତ ନମ୍ବର ୪ ଜ୍ଞାନେଶ କୁମାରଙ୍କୁ ହଟାନ୍ତୁ ଓ ବିରୋଧ ପ୍ରଦର୍ଶନ ୩୦ ସେକେଣ୍ଡରେ ବନ୍ଦ ହୋଇଯିବ।

ରାହୁଲ ଗାନ୍ଧିଙ୍କ ଏହି ବୟାନ ବିରୋଧ ପ୍ରଦର୍ଶନକୁ ନେଇ ବ୍ୟବସାୟୀ ତାଙ୍କୁ ଭେଟିବା ପରେ ଆସିଛି। ବ୍ୟବସାୟୀମାନେ ରାହୁଲଙ୍କୁ ବିରୋଧ ପ୍ରଦର୍ଶନ ରୋକିବାକୁ ନିବେଦନ କରିଛନ୍ତି। ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରିର ବ୍ୟବସାୟୀମାନେ କହିଛନ୍ତି ଯେ ପ୍ରଦର୍ଶନ ଓ ବନ୍ଦ ଯୋଗୁ ବ୍ୟବସାୟ ବାଣିଜ୍ୟ ପ୍ରଭାବିତ ହେଉଛି। ଏଣୁ ନଭେମ୍ବର ୧ରେ ରାମଲିଳା ମୈଦାନରେ ପ୍ରସ୍ତାବିତ ଇଣ୍ଡି ମେଣ୍ଟ ରାଲିକୁ ସ୍ଥଗିତ କରିବାକୁ ନିବେଦନ କରିଛନ୍ତି। ବ୍ୟବସାୟୀ ସଙ୍ଗଠନଙ୍କ କହିବା କଥା ହେଉଛି ଦିପାବଳୀର ବ୍ୟସ୍ତତମ ବ୍ୟବସାୟ ଋତୁରେ ଏହି ପ୍ରଦର୍ଶନ ଯୋଗୁ ପାଖାପାଖି ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ପ୍ରଭାବିତ ହୋଇପାରେ।

ସଙ୍ଗଠନ କହିଛି ଯେ ଚଳିତବର୍ଷ ନଭେମ୍ବର ୬ ତାରିଖରେ ଧନତେରସ ଓ ୮ ତାରିଖରେ ଦିପାବଳୀ ଓ ୧୦ ତାରିଖରେ ଭାଇଦୁଜ ପର୍ବ ପାଳନ ହେବ। ଲୋକେ ପାର୍ବଣର କିଣାକିଣି ସପ୍ତାହକ ପୂର୍ବରୁ କରନ୍ତି ଏଣୁ କେବଳ ରାଜଧାନୀ ଦିଲ୍ଲୀରେ ଧନତେରସ ଓ ଦିପାବଳୀ ସମୟରେ ସୁନା, ରୂପା, କଂସାବାସନ, ଇଲେକ୍ଟ୍ରୋନିକ୍ସ, ବସ୍ତ୍ର, ଡ୍ରାୟ ଫ୍ରୁଟ, ମିଠାଇ, ଅଟୋମୋବାଇଲ ଓ ଗିଫ୍ଟର ପ୍ରାୟ ୨୫,୦୦୦ କୋଟି ଟଙ୍କାର କାରବାର ହୋଇଥାଏ ଓ ଏହା ଦିଲ୍ଲୀ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ। ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି ଅନୁସାରେ ପାର୍ବଣର ଠିକ ପୂର୍ବରୁ ବଜାରମାନଙ୍କରେ ଗ୍ରାହକଙ୍କ ଭିଡ ବଢିଥାଏ। ଏଣୁ ରାଜନୈତିକ ଦଳର ରାଲି ସମୟକୁ ନେଇ ବ୍ୟବସାୟୀ ଏବେ ଚିନ୍ତାରେ ପଡିଛନ୍ତି।

ସଙ୍ଗଠନ ପଦାଧିକାରୀଙ୍କ ଅନୁସାରେ ଅକ୍ଟୋବର ମାସରେ କନ୍ନଟ ପ୍ଲେସ୍, ସେଣ୍ଟ୍ରାଲ ଦିଲ୍ଲୀ ଓ ଇଣ୍ଡିଆ ଗେଟ୍ ରେ ବିଭିନ୍ନ ରାଲି, ବିକ୍ଷୋଭ ପ୍ରଦର୍ଶନ ଓ ସଡ଼କ ବନ୍ଦ ରହିବା ଯୋଗୁ ବ୍ୟବସାୟୀ ପୂର୍ବରୁ ୩ ହଜାର କୋଟି ଟଙ୍କାର ବିପୁଳ କ୍ଷତି ସହିଛନ୍ତି।