ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର (୧୬ ଏପ୍ରିଲ୍, ୨୦୨୬) ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସ୍ପାଇସଜେଟର ଏକ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ସମୟରେ, ପୂର୍ବରୁ ଛିଡ଼ା ହୋଇଥିବା ଅକାସା ଏୟାର ବିମାନ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍ପାଇସଜେଟର ବିମାନର ଡାହାଣ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଛି। ଏହାସହ ବିମାନର ବାମ ହରିଜଣ୍ଟାଲ ଷ୍ଟାବିଲାଇଜର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ, ସ୍ପାଇସଜେଟର ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ଗ୍ରାଉଣ୍ଡ କରିଦିଆଯାଇଛି ।

ଅକାସା ଏୟାରର ଜଣେ ମୁଖପାତ୍ର କହିଛନ୍ତି, ‘ଦିଲ୍ଲୀରୁ ହାଇଦ୍ରାବାଦ ଯିବାକୁ ଥିବା ଅକାସା ଏୟାରର ବିମାନ QP 1406 କୁ ଦୁର୍ଘଟଣା ପରେ ଉଡ଼ାଣ ଭରିପାରି ନାହିଁ । ଦୁର୍ଘଟଣା ସମୟରେ ଅକାସା ଏୟାରର ବିମାନଟି ସ୍ଥିର ଥିଲେ । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଆମର ଗ୍ରାଉଣ୍ଡ ଟିମ୍ ଯଥାଶୀଘ୍ର ଯାତ୍ରୀମାନଙ୍କୁ ହାଇଦ୍ରାବାଦ ପଠାଇବାକୁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି।’

ସ୍ପାଇସଜେଟର ଜଣେ ମୁଖପାତ୍ର କହିଛନ୍ତି, ‘ଏପ୍ରିଲ ୧୬ରେ, ଦିଲ୍ଲୀ ବିମାନବନ୍ଦରରେ ଟ୍ୟାକ୍ସି କରୁଥିବା ସମୟରେ ସ୍ପାଇସଜେଟର B737-700 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଅନ୍ୟ ଏକ ଏୟାରଲାଇନ୍ସର ବିମାନର ଡାହାଣ ୱିଙ୍ଗଲେଟ୍ ଏବଂ ବାମ ହରିଜଣ୍ଟାଲ ଷ୍ଟାବିଲାଇଜର କ୍ଷତିଗ୍ରସ୍ତ ହୋଇଛି । ସ୍ପାଇସଜେଟର ବିମାନକୁ ଦିଲ୍ଲୀରେ ଗ୍ରାଉଣ୍ଡେଡ୍ କରାଯାଇଛି।’