ନୂଆଦିଲ୍ଲୀ, ୦୧|ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିଛନ୍ତି । ସେ ନବମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଦେଶରେ କିପରି ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ ସେନେଇ ଫୋକସ ଦିଆଯାଇଛି । ସାମିରକ କ୍ଷେତ୍ରରେ ଶକ୍ତିଶାଳୀ ଭାରତ ଗଠନ ପାଇଁ ବଜେଟରେ ଅନେକ ପ୍ରାବଧାନ ହୋଇଛି ।

ଚଳିତ ବର୍ଷ ପ୍ରତିରକ୍ଷା କ୍ଷେତ୍ରରେ ୭.୮୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ । ଗତବର୍ଷ ୬.୮୧ ଲକ୍ଷ କୋଟିର ବ୍ୟୟ ବରାଦ ହୋଇଥିଲା । ଅର୍ଥାତ ଗତ ଥର ଅପେକ୍ଷା ଚଳିତବର୍ଷ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ଏହାଦ୍ୱାରା ମୋଦୀ ସରକାର ବାହ୍ୟ ଶତ୍ରୁଙ୍କ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଥିବା ନେଇ ସଙ୍କେତ ଦେଇଛନ୍ତି ।

ଗତବର୍ଷ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ପହଲଗାମ୍ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂରରେ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା । ସେପଟେ ଚୀନ୍ ସହ ମଧ୍ୟ ସୀମା ବିବାଦ ଅଛି । ଦୁଇ ପଡୋଶୀଙ୍କ ମୁକାବିଲା ପାଇଁ ଭାରତ ଅଧିକ ଅସ୍ତ୍ରଶସ୍ତ୍ରର ବିକାଶ କରିବ । ନିଜ ଦେଶରେ ଅନେକ ଅସ୍ତ୍ର ତିଆରି ହେବ । ଆମଦାନୀ ହେଉଥିବା ପ୍ରତିରକ୍ଷା ସରଞ୍ଜାମ ହ୍ରସ ପାଇବ । ଦେଶରେ କିପରି ଉନ୍ନତ ଶକ୍ତିଶାଳୀ ଅସ୍ତ୍ରର ବିକାଶ ହେବ ତାହା ସରକାରଙ୍କ ପ୍ରମୁଖ ଏଜେଣ୍ଡା ରହିଛି ।