ମୁମ୍ଵାଇ ୨୫।୦୭; ବଲିଉଡର ଚର୍ଚ୍ଚିତ ଫ୍ରାଞ୍ଚାଇଜ୍ "ବ୍ରହ୍ମାସ୍ତ୍ର"ର ସିକ୍ୱେଲ୍ ଅର୍ଥାତ୍ "ବ୍ରହ୍ମାସ୍ତ୍ର ପାର୍ଟ ୨"କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ଭତରେ ଫିଲ୍ମର କାଷ୍ଟିଂକୁ ନେଇ ଏକ ବଡ଼ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ଦୀପିକା ପାଦୁକୋଣ ଏହି ଫିଲ୍ମର ଅଂଶ ନଥିବା ନେଇ ସ୍ପଷ୍ଟ କରାଯାଇଛି।

ଦୀପିକା ପାଦୁକୋଣ "ବ୍ରହ୍ମାସ୍ତ୍ର-୨"ରେ ଅଭିନୟ କରୁଥିବା ନେଇ ଯେଉଁ ସବୁ ରିପୋର୍ଟ ସାମ୍ନାକୁ ଆସୁଥିଲା। ତାହାକୁ ଅଭିନେତ୍ରୀଙ୍କ ଟିମ୍ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହି ଖାରଜ କରିଛନ୍ତି। ରଣବୀର କପୁର ଏବଂ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମର ପ୍ରଥମ ପାର୍ଟ ୨୦୨୨ରେ ମୁକ୍ତିଲାଭ କରିଥିଲା ଏବଂ ୱାଲ୍ଡ ୱାଇଡ ବକ୍ସ ଅଫିସରେ ୪୦୦ କୋଟିରୁ ଅଧିକ ଆୟ କରି ଏକ ବଡ଼ ବାଣିଜ୍ୟିକ ସଫଳତା ହାସଲ କରିଥିଲା।

ଆହୁରି ଦମଦାର ହେବ ସିକ୍ୱେଲ୍

ନିର୍ଦ୍ଦେଶକ ଅୟନ୍ ମୁଖାର୍ଜୀ ବର୍ତ୍ତମାନ "ୱାର-୨"ର କାମରେ ବ୍ୟସ୍ତ ଅଛନ୍ତି। ରଣବୀର କପୁରଙ୍କ କହିବାନୁଯାୟୀ, "ବ୍ରହ୍ମାସ୍ତ୍ର -୨"ର କାହାଣୀ ପ୍ରଥମ ଭାଗ ଠାରୁ ପ୍ରାୟ ଦଶ ଗୁଣ ବଡ଼ ହେବ। ଏହା ସହ ପ୍ରଥମ ଭାଗରେ ଥିବା ଡାଏଲଗ ଏବଂ କେମିଷ୍ଟ୍ରିକୁ ଧ୍ୟାନରେ ରଖି ସିକ୍ୱେଲକୁ ଆହୁରି ଉନ୍ନତ କରାଯାଉଛି।

"ୱାର-୨" ଶେଷ ହେବା ପରେ, ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷର ଆରମ୍ଭରେ "ବ୍ରହ୍ମାସ୍ତ୍ର-୨"ର ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି । ତେବେ ଦୀପିକାଙ୍କ ଏହି ଫିଲ୍ମରେ ରହିବା ନେଇ ଚର୍ଚ୍ଚାର ଅନ୍ତ ଘଟିଥିବାବେଳେ, ରଣବୀର-ଆଲିଆଙ୍କ ଏହି ପ୍ରୋଜେକ୍ଟ ଦର୍ଶକଙ୍କ ପାଇଁ କିପରି ମନୋରଞ୍ଜନ ଆଣୁଛି। ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।