ପୁରୀ ୧୦।୭: ସୁସ୍ଥ ହେବେ ମହାପ୍ରଭୁ । ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି ଦଶମୂଳ ମୋଦକ‌ ।‌ ସ୍ବର୍ଗତ ବିନାୟକ ମିଶ୍ରଙ୍କ ଘରର ପରିବାର ସଦସ୍ୟ ମାନେ ଅତି ନିଷ୍ଠାର ସହିତ ପ୍ରସ୍ତୁତ କରିଛନ୍ତି ଦଶମୂଳ ମୋଦକ। ତେବେ ତ୍ରୟୋଦଶ ଶତାଦ୍ବୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା। ଅଣବସରର ଦଶମୀ ସନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ।

ଦେବ ସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଥିବା ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ୱାସ ରହିଛି । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ ହୁଏ ବୋଲି କହିଛନ୍ତି ରାଜବୈଦ୍ୟ।

ଶ୍ରୀମନ୍ଦିର ରାଜବୈଦ୍ୟ ସ୍ୱର୍ଗତ ବିନାୟକ ମିଶ୍ରଙ୍କ ଘରେ ଦଶମୀ ଦିନ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଅତି ନିଷ୍ଠା ଓ ପବିତ୍ରତାର ସହ ଚୁଲି ବସାଇ ପାଗ ହେବା ପରେ ପ୍ରସ୍ତୁତ ଚେରମୂଳି ଗୁଣ୍ଡକୁ ସେଥିରେ ପକାଯାଇ ଘଣ୍ଟା ଯାଏ। ଥଣ୍ଡା ହେବାପରେ ଏହି ମୋଦକ ପ୍ରସ୍ତୁତ ହୁଏ। କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଛି। ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ରାଜବୈଦ୍ୟ ଦଶମୂଳ ମୋଦକ ପ୍ରସ୍ତୁତ କରିଥାନ୍ତି। ଦଇତା ଏବଂ ପତି ମହାପାତ୍ର ସେବାୟତ ଏହି ମୋଦକ ମହାପ୍ରଭୁଙ୍କୁ ଲାଗି କରିବା ପରେ ମହାପ୍ରଭୁ ସୁସ୍ଥ ହୋଇଥିବାର ପରମ୍ପରା ରହିଛି । ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ରାଜବୈଦ୍ୟ ସେବା ମିଳିଥାଏ ବୋଲି କହିଛନ୍ତି ରାଜବୈଦ୍ୟ ପରିବାର।  

ଦଶମୂଳ ମୋଦକ ସେବନ ଦ୍ୱାରା ସର୍ବ ରୋଗହାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଗ ଓ ପୀଡ଼ା ଦୂର ହୋଇଥିବାର ବିଶ୍ୱାସ ଓ ପରମ୍ପରା ଚାଲି ଆସୁଛି। ଦଇତାପତି ସେବାୟତଙ୍କ ଦ୍ୱାରା ଅଣସର ଘରେ ଶ୍ରୀବିଗ୍ରହଙ୍କ ଗୁପ୍ତ ସେବା ଚାଲିଥିବା ବେଳେ କ୍ଷେତ୍ରାଧିପତିଙ୍କ ଏହି ବୈଦ୍ୟ ସେବା ପ୍ରଭୁଙ୍କ ମାନବୀୟଲୀଳାର ଆଉ ଏକ ପ୍ରମାଣ।