ଖଲ୍ଲିକୋଟ: ଗଣେଶ ପୂଜା ଅବସରରେ ବଡ଼ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚର କଥା ବସ୍ତୁ ଉପରେ ନିର୍ମିତ ଏହି ଆଧ୍ୟାତ୍ମିକ ସିନେମାରେ ଦେଖିବାକୁ ମିଳିବ ଦଣ୍ଡନାଚ ଓ ମା’ ଦଣ୍ଡକାଳୀଙ୍କ ପ୍ରତି ରହିଥିବା ସାଧାରଣ ଲୋକଙ୍କ ଆସ୍ଥା, ବିଶ୍ବାସ ଓ ଭକ୍ତି। ଓଲିଉଡର ନାମଦାମୀ କଳାକାରଙ୍କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ରହିଛି ଭିନ୍ନ ଏକ କାହାଣୀ।

ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ଗଞ୍ଜାମର ଗଣପର୍ବ ଦଣ୍ଡନାଚ ସହିତ ଆଧ୍ୟାତ୍ମିକ ତଥା ପାରିବାରିକ ବିଷୟବସ୍ତୁକୁ ଉପସ୍ଥାପନ କରାଯାଇଛି। ଅଭିଷିକ୍ତl ମିଶ୍ରଙ୍କ ରଚନାରେ ଏହି ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଥିବାବେଳେ ଏହି କାହାଣୀ ଆଧାରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହାର ଚିତ୍ର ଉତ୍ତୋଳନ କରାଯାଇଛି। ଫିଲ୍ମଟି ରାଜଶ୍ରୀ ସିନେ କ୍ରାଫ୍ଟ ବ୍ୟାନରର ପ୍ରଥମ ଅବଦାନ।

ଫିଲ୍ମ ସେପ୍ଟେମ୍ବର ୧୧ରେ ରିଲିଜ୍ ହେବାକୁ ଯାଉଥିବା ବେଳେ, ରୁପେଲି ପରଦାରେ ଝଲସିବେ ମା’ ଦଣ୍ଡକାଳୀ । ଆଉ ଯୋଡ଼ି ହେବ ଓଡ଼ିଆ ସିନେ ଜଗତରେ ଆଉ ଏକ ଅଧ୍ୟାୟ। ଦୀର୍ଘ ଦିନର ପରିଶ୍ରମରେ ନିର୍ମିତ କଥାଚିତ୍ର ମୁକ୍ତିଲାଭ କରିବ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ। ଅଭିନେତା ଓ ଅତିଥି କଳାକାରଙ୍କ ଉଚ୍ଚକୋଟୀର ଅଭିନୟକୁ ନେଇ ପ୍ରଯୋଜନା ସଂସ୍ଥା ବେଶ୍ ଆଶାବାଦୀ।

Also Read: ଦୀର୍ଘ ବ୍ୟବଧାନ ପରେ ମଞ୍ଚକୁ ଫେରିଲେ କେ.ଜେ. ୟେସୁଦାସ, ଗୀତ ଶୁଣି ଝୁମିଲେ ଦର୍ଶକ

ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନା ତଥା ରାଜଶ୍ରୀ ଘୋଷଙ୍କ ପ୍ରଯୋଜନାରେ ନିର୍ମିତ ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ର, ମହେଶ୍ୱତା ରାୟ, ଉଷସୀ ମିଶ୍ର ତଥା ଏଲି ପାଢ଼ୀଙ୍କ ଭଳି ଲୋକ ପ୍ରିୟ ଅଭିନେତା ଅଭିନେତ୍ରୀ ଅଭିନୟ କରିଛନ୍ତି। ଖଲ୍ଲିକୋଟର ଚିତ୍ରସେନ ଘୋଷ ପ୍ରଥମ ଥର ପାଇଁ ଅଭିନେତା ଭାବେ ବଡ଼ ପରଦାରେ ଦେଖାଦେବେ। ସେହିଭଳି ପ୍ରେମାନନ୍ଦଙ୍କ ଉଚ୍ଚକୋଟୀର ସଙ୍ଗୀତ ସଂଯୋଜନା ସହିତ ଅମିତ୍ ନାୟକଙ୍କ ନୃତ୍ୟ ନିର୍ଦ୍ଦେଶନା ଦର୍ଶକଙ୍କୁ ବିମୋହିତ କରିବା ନେଇ ଆଶାବାଦୀ ଅଛନ୍ତି ପ୍ରଯୋଜନା ସଂସ୍ଥା।