ମୁମ୍ଵାଇ ୧୪।୦୭; ଟେଲିଭିଜନ ଦୁନିଆର ପରିଚିତ ଚେହେରା ଦଲଜିତ କୌର। ଏବେ ନିଜ ଜୀବନରେ ଆଣୁଛନ୍ତି ଏକ ବଡ଼ ପରିବର୍ତ୍ତନ । ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିବା ପରେ ଏବେ ସେ ନିଜ କ୍ୟାରିୟରକୁ ଏକ ନୂଆ ଦିଗରେ ନେବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ, ଦଲଜିତ କୌର ଅଭିନୟ ସହ ଏବେ ଉଦ୍ୟୋଗୀ ଭାବେ ନୂଆ ଯାତ୍ରା ଆରମ୍ଭ କରିବେ । ସେ ରୂପା ଗହଣା ବ୍ୟବସାୟରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ନିଜ ପସନ୍ଦ ଓ ଡିଜାଇନ୍ରେ ପ୍ରସ୍ତୁତ ଗହଣାକୁ ନେଇ ସେ ଏକ ନୂଆ ବ୍ରାଣ୍ଡ ଆରମ୍ଭ କରିବାକୁ ଚାହୁଁଛନ୍ତି ।

ଦଲଜିତଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଅନେକ ଚ୍ୟାଲେଞ୍ଜରେ ଭରିଥିଲା । ପ୍ରଥମ ବିବାହ ଅଭିନେତା ଶାଲିନ ଭନୋଟଙ୍କ ସହ ହୋଇଥିଲା, ଯାହା ପରେ ଦୁହେଁ ଅଲଗା ହୋଇଥିଲେ । ପରେ ସେ ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ଦୀର୍ଘ ସମୟ ଚାଲିପାରିନଥିଲା । ଦୁଇଟି ବିବାହ ଭାଙ୍ଗିବା ପରେ ଦଲଜିତ ନିଜ ପୁଅ ଜେଡନଙ୍କ ଦେଖାଶୁଣା ସହ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଜୀବନର କଠିନ ପରିସ୍ଥିତିକୁ ପଛରେ ପକାଇ ସେ ଏବେ ନୂଆ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ୁଛନ୍ତି ।

ଦଲଜିତଙ୍କ କହିବା ଅନୁସାରେ, ତାଙ୍କ ପାଇଁ ଏହି ନୂଆ ଯାତ୍ରା କେବଳ ବ୍ୟବସାୟ ନୁହେଁ, ବରଂ ନିଜ ପସନ୍ଦ ଓ ସୃଜନଶୀଳତାକୁ ଏକ ନୂଆ ପରିଚୟ ଦେବାର ଚେଷ୍ଟା । ଏବେ ଦେଖିବାକୁ ବାକି ରହିଲା, ଟିଭି ପରଦାର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ନୂଆ ବ୍ୟବସାୟିକ ଯାତ୍ରା କେତେ ସଫଳ ହେଉଛି ।