ଭୁବନେଶ୍ଵର: ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୨ କି.ମି. ବେଗରେ ପ୍ରାୟ ପଶ୍ଚିମ ଦିଗରେ ଗତି କରିଛି। ଏହା ବିଶାଖାପାଟଣାଠାରୁ ୨୬୦ କି.ମି. ଦକ୍ଷିଣ-ପୂର୍ବରେ, କାକିନାଡାଠାରୁ ୩୦୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୩୮୦ କି.ମି. ଦକ୍ଷିଣରେ ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଅକ୍ଟୋବର ୨୮ ପୂର୍ବାହ୍ନ ସୁଦ୍ଧା ବାପଟଲା ଓ ବିଶାଖାପାଟଣା ମଧ୍ୟରେ ୟାନାମ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କି.ମି. ରହିବା ସହ ଝଟକା ପବନର ବେଗ ୧୪୦ କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ।

Also Read: ବାତ୍ୟା ପାଇଁ ସ୍କୁଲ୍ ଛୁଟି ! ୨୭ ଓ ୨୮ ଅକ୍ଟୋବରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ବିମାନ ବନ୍ଦର ରେ ଲୋ ଭିଜିବିଲିଟି ରହିଛି। କିନ୍ତୁ ଲ୍ୟାଣ୍ଡିଙ୍ଗ ଓ ଟେକ୍ ଅଫ୍ ରେ କୌଣସି ଅସୁବିଧା ନାହିଁ। ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି। ଓଡ଼ିଶାରେ ବନ୍ଦର ପାଇଁ ସି ଆଲର୍ଟ ଅଛି। କୌଣସି ବିପଦ ନାହିଁ।

ସେପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରୁ ନେଇ ରାଜଧାନୀ ଭୁବନେଶ୍ଵର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଆସିଛି। ବର୍ଷା ହେବା ସହ ପବନ ବହିବା ଆରମ୍ଭ ହୋଇ ଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ୯ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇ ସାରିଲାଣି। ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ବାତ୍ୟାର ପ୍ରକୋପ ଅଧିକ ରହିବ। ଦକ୍ଷିଣ ଓଡ଼ିଶା ସହ ଆଭ୍ୟନ୍ତରୀଣ ଏବଂ ଉପକୂଳରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲାଗୁଡ଼ିକୁ ରେଡ୍ ଓ୍ଵାର୍ଣ୍ଣିଂ ଏବଂ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ୮ଟି ଜିଲ୍ଲାରୁ ୪୮ ହଜାର ୧୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲାଣି।