ନୂଆଦିଲ୍ଲୀ ୨୭।୧୦; ଉତ୍ତରାଖଣ୍ଡର କୁଞ୍ଜାପୁରୀ ମେଳାରେ ଦଲେର ମେହେନ୍ଦିଙ୍କ ସଙ୍ଗୀତ ପରିବେଷଣକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଗାୟକଙ୍କୁ ମନ୍ତ୍ରୀ ସୁବୋଧ ଉନିୟାଲ କ୍ଷମା ମାଗିଥିବା ନେଇ ମୀକା ସିଂହଙ୍କ ଟିମ୍ ଦାବି କରିଥିବା ବେଳେ, ଏହାକୁ ଖଣ୍ଡନ କରିଛନ୍ତି ନିଜେ ମନ୍ତ୍ରୀ। ଆଉ ଏବେ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ମନ୍ତ୍ରୀ ଓ ଗାୟକଙ୍କ ସମର୍ଥକ।

ଏକ ସାକ୍ଷାତକାରରେ ସୁବୋଧ ଉନିୟାଲ ସ୍ପଷ୍ଟ କରିଛନ୍ତି ଯେ, ସେ କାହିଁକି କ୍ଷମା ମାଗିବେ? ସେ କୌଣସି ଅପରାଧ କରିନାହାନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି। ଏହା ସହ ଦଲେର ମେହେନ୍ଦିଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ। ଯଦି ଗାୟକଙ୍କ ଦେହ ଖରାପ ଥିଲା, ତେବେ ସେ କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ ଆୟୋଜକଙ୍କୁ ଜଣାଇବା ଉଚିତ ଥିଲା ବୋଲି ସେ କହିଛନ୍ତି।

ଏହି ବିବାଦର ଆରମ୍ଭ ହୋଇଥିଲା ଦଲେର ମେହେନ୍ଦିଙ୍କ ମଞ୍ଚ ପ୍ରଦର୍ଶନକୁ ନେଇ। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ମଞ୍ଚକୁ ଆସି ମନ୍ତ୍ରୀ ତାଙ୍କ ଗୀତ ଗାଇବା ଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଲିପ୍-ସିଙ୍କ୍ ଏବଂ ମଦ୍ୟପାନ କରି ଆସିଥିବା ଭଳି ଅଭିଯୋଗ କରିଥିଲେ।

ଏହାପରେ ଦଲେର ମେହେନ୍ଦିଙ୍କ ସମର୍ଥନରେ ବାହାରିଥିଲେ ତାଙ୍କ ଭାଇ ତଥା ଗାୟକ ମୀକା ସିଂହ। ମନ୍ତ୍ରୀଙ୍କ ଆଚରଣକୁ ନେଇ ଆପତ୍ତି ଉଠାଇବା ସହ କ୍ଷମା ମାଗିବାକୁ ଦାବି କରିଥିଲେ। ବିବାଦର ସମାଧାନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଦଲେର ମେହେନ୍ଦି ଓ ମୀକା ସିଂହଙ୍କ ସହ କଥା ହୋଇଥିବା ଏବଂ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିଥିବା ଖବର ଆସିଥିଲା। କିନ୍ତୁ ଏବେ ମନ୍ତ୍ରୀଙ୍କ ଖଣ୍ଡନ ପରେ ପୁଣି ତେଜିଛି । ତେବେ ଏହି ଘଟଣାରେ ଆଗକୁ କେଉଁ ମୋଡ଼ ଆସୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।