ମାଲକାନଗିରି ୧୮।୧୧ : ବାତ୍ୟା ‘ଅକଭାନ’କୁ ନେଇ ମାଲକାନଗିରିରେ ଛାନିଆ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରଦାର ହୋଇଛି ପ୍ରଶାସନିକ ପ୍ରସ୍ତୁତି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ଆଶଙ୍କା କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏଥିସହ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

ସ୍କୁଲଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ତେଣୁ ସମସ୍ତ ଶିକ୍ଷକ, କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି ।

ସେପଟେ ସତୀଗୁଡ଼ା ଓ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ସମସ୍ତ ଜଳକ୍ରୀଡ଼ା ବନ୍ଦ ରଖାଯାଇଛି । ତଳିଆ ଅଞ୍ଚଳ, କଚ୍ଚା ଘରେ ରହୁଥିବା ଲୋକଙ୍କ ସମେତ ଭୂସ୍ଖଳନ ପ୍ରବଣ ନାକାମାମୁଡ଼ି, ବଣ୍ଡାଘାଟି ଓ ଚିତ୍ରକୋଣ୍ଡା ଅଞ୍ଚଳର ଲୋକଙ୍କୁ ତିନିଟି ପର୍ଯ୍ୟାୟରେ ସୁରକ୍ଷିତ ସ୍ଥାନକୁ ନିଆଯିବ । ଆଜି ସନ୍ଧ୍ୟା ସୁଦ୍ଧା ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଯୋଜନା ରହିଛି ।

Also Read:-ଦାଉଦ ଗଡ଼ରେ ଚାଲିବ ବୁଲଡୋଜର୍ : ମାଟିରେ ମିଶିବ ଡି-କମ୍ପାନୀର ପ୍ରମୁଖ ବିଲ୍ଡିଂ

ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ପହଞ୍ଚିଛନ୍ତି ଦୁଇଟି ଓଡ୍ରାଫ୍ ଟିମ୍ । ଏହାସହ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ମଧ୍ୟ ପହଞ୍ଚିବାକୁ ଥିବା ବେଳେ ୯ଟି ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି । ବୋଟ୍, ଲାଇଫ୍ ଜ୍ୟାକେଟ୍, ଗଛ କାଟିବା ଯନ୍ତ୍ର ସହ ଘାଟି ରାସ୍ତାରୁ ମାଟି ଅତଡ଼ା ହଟାଇବା ପାଇଁ ଜେସିବି ମୁତୟନ କରାଯାଇଛି ।

ଅନ୍ୟପଟେ ଗର୍ଭବତୀ ମହିଳାଙ୍କୁ ଆଗୁଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ମାଆ ଗୃହକୁ ସ୍ଥାନାନ୍ତର କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ବାତ୍ୟା ଆଶଙ୍କାରେ ଚାଷୀଙ୍କ ଚିନ୍ତା ମଧ୍ୟ ବଢ଼ିଛି । କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାକୁ କୃଷି ବିଭାଗ ପରାମର୍ଶ ଦେଇଛି । ହେଲେ ଆତଙ୍କିତ ଚାଷୀ ଅଧାପାଚିଲା ଧାନ କାଟିବାରେ ଲାଗିଛନ୍ତି ।