ଭୁବନେଶ୍ୱର, ୧୬।୧୧ : ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ଗତିପଥ ଓ ଲ୍ୟାଣ୍ଡଫଲକୁ ନେଇ ତାଜା ଆକଳନ ଜାରି କରିଛନ୍ତି ବିଭିନ୍ନ ମଡେଲ୍ ଓ ବିଶେଷଜ୍ଞ। ଏହି ଆକଳନ ଅନୁସାରେ ବାତ୍ୟା ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ମୁ ହାଁଇପାରେ। ଯଦି ଏଭଳି ହୁଏ, ତେବେ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିନପାରେ। ତଥାପି ବର୍ଷା ସହ ପବନ ଆଶଙ୍କା ରହିଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେବା ଆଶଙ୍କା ଅଛି। ଆସନ୍ତା ୧୯ ତାରିଖ ରାତିରେ ଉତ୍ତର ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ର ଉପକୂଳ ମଧ୍ୟରେ ଏହା ସ୍ଥଳଭାଗରେ ପ୍ରବେଶ (ଲ୍ୟାଣ୍ଡଫଲ) କରିପାରେ। ଏହା ପ୍ରଭାବରେ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏ ନେଇ ଆଗକୁ ଚିତ୍ର ଅଧିକ ସ୍ପଷ୍ଟ ହେବ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ନେଇ ଏଯାବତ୍ କୌଣସି ନିର୍ଦ୍ଦିଷ୍ଟ ସୂଚନା ଜାରି କରିନି। ହେଲେ ଶନିବାର ରାତିରେ ଆଇଏମଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଜଣାପଡୁଛି, ଆନ୍ଧ୍ରର ଦକ୍ଷିଣ ଉପକୂଳକୁ ମୁହାଁଇପାରେ ଅକଭାନ୍।

ଆଇଏମଡି ଅନୁସାରେ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ଉତ୍ତର-ଉତ୍ତର ପଶ୍ଚିମରେ ଗତି କରି ସୋମବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେଇପାରେ। ୧୭ ସନ୍ଧ୍ୟା ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ୧୮ ତାରିଖକୁ ଅତି ଭୀଷଣ ବାତ୍ୟା ରୂପ ନେଇପାରେ ସମୁଦ୍ର ଭିତରେ। ୧୯ ତାରିଖ ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଅତି ଭୀଷଣ ବାତ୍ୟା ରୂପ ନେଇ ସାରିଥିବ। ସେତେବେଳେ ସମୁଦ୍ରରେ ପବନ ବହୁଥିବ ପ୍ରାୟ ୧୧୦-୧୨୦ କିମି ବେଗରେ। ଝଟକା ପବନ ୧୩୦ କିମି ପର୍ଯ୍ୟନ୍ତ ରହିପାରେ। ସନ୍ଧ୍ୟା ସୁଦ୍ଧା ପବନ ବେଗ ବଢ଼ି ୧୨୦–୧୩୦ କିମି ଛୁଇଁପାରେ। ଝଟକା ପବନ ୧୪୫ କିମି ଯାଇପାରେ।

ଆଇଏମଡି ଆକଳନ ଅନୁସାରେ ୧୯ ଓ ୨୦ରେ ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୯ ସନ୍ଧ୍ୟାରୁ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୨୦-୧୩୦ ପବନ ଏବଂ ଝଟକା ପବନ ୧୪୫ କିମି ରହିପାରେ। ଓଡ଼ିଶାରେ ୧୮ରୁ ବର୍ଷା ଆରମ୍ଭ ହେବା ସହ ୧୯ରୁ ୨୧ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ କେତେକ ଅଞ୍ଚଳରେ। ଓଡ଼ିଶା ଉପକୂଳରେ ୧୯ ସନ୍ଧ୍ୟାରୁ ୨୦ ସକାଳ ପର୍ଯ୍ୟନ୍ତ ୫୦-୬୦ କିମି ପବନ, ଝଟକା ପବନ ୭୦ କିମି ପର୍ଯ୍ୟନ୍ତ ରହିପାରେ।

Also Read :-ପାକିସ୍ତାନ ସେନାର ପୂର୍ବତନ କ୍ୟାପ୍ଟେନ୍‌ ଏବେ ବଲୁଚ ଆର୍ମିର ମୁଖ୍ୟ, ରିପୋର୍ଟ ପରେ ହଇଚଇ

ଭୁବନେଶ୍ବର ପାଣିପାଗ କେନ୍ଦ୍ର ୧୯ରୁ ୨୧ ଯାଏ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶା, ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ଅଧିକ ବର୍ଷା ରହିପାରେ। ୧୭ରୁ ୧୯ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।