ନୂଆଦିଲ୍ଲୀ, ୨୮। ୦୭ : ମହିଳା ସଟ୍ ପୁଟ (ଏଫ୍୫୭)ରେ ଶର୍ମିଳା ଧନକର ସ୍ୱର୍ଣ୍ଣ ଓ ଶିଳ୍ପା କେ. ଶ୍ୟାଲା ବ୍ରୋଞ୍ଜ ପଦକ ଜିତିଛନ୍ତି। ଶର୍ମିଳା ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ବିତୀୟ ସ୍ୱର୍ଣ୍ଣ ଭେଟି ଦେଇଥିଲେ। ସେମିତି ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି ସର୍ବେଶ କୁଶାରେ।

ମହିଳା ସଟ୍ ପୁଟ (ଏଫ୍୫୭)

ଶର୍ମିଳା ପ୍ରଥମ ପ୍ରୟାସରେ ୯.୪୮ ମିଟର ଫିଙ୍ଗିଥିଲେ । ପରେ ତୃତୀୟ ପ୍ରୟାସରେ ୯.୮୧ ମିଟର ପିଙ୍ଗି ସ୍ୱର୍ଣ୍ଣ ପକ୍କା କରିଥିଲେ। ଘାନାର ଜିନାବୁ ଇସା (୮.୬୫ ମିଟର) ରୌପ୍ୟ ଏବଂ ଶିଳ୍ପା କେ. ଶ୍ୟଲା (୭.୨୬ ମିଟର) ବ୍ରୋଞ୍ଜ ଜିତିଥିଲେ । ସେ ନିଜ ପ୍ରଥମ ପ୍ରୟାସରେ ୬.୬୯ ମିଟର ଫିଙ୍ଗିଥିଲେ। ତୃତୀୟ ପ୍ରୟାସରେ ୭.୨୬ ମିଟର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଶର୍ମିଳାଙ୍କର ଏହା ସିଳନରେ ଶ୍ରେଷ୍ଠ ପ୍ରଦର୍ଶନ ଥିବାବେଳେ ଶିଳ୍ପାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

କର୍ଣାଟକର କଞ୍ଚୁଗାରା କୋପାଲୁର ୩୭ ବର୍ଷୀୟା ପାରା-ଆଥଲେଟ୍ ଶିଳ୍ପା ମାତ୍ର ଚାରି ବର୍ଷ ବୟସରେ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବା ପରେ ବାମ ଗୋଡ଼ ହରାଇଥିଲେ । ତାଙ୍କ ବାପା, ମାଆଙ୍କ ସମର୍ଥନ ଏବଂ ନିଜର ଦୃଢ଼ ନିଷ୍ଠା ବଳରେ ସେ ପ୍ରତ୍ୟେକ ଆହ୍ୱାନକୁ ଅତିକ୍ରମ କରିଥିଲେ। ବି.ଏଡ୍. ଶେଷ କରିବା ପରେ ସେ ଜଣେ ଶିକ୍ଷୟିତ୍ରୀ ହୋଇଥିଲେ । ଶିଳ୍ପାଙ୍କ ବାନ୍ଧବୀ ଗୀତା ତାଙ୍କୁ ମହିଳା ଭଲିବଲ୍ (ସିଟିଂ) ଦଳରେ ଯୋଗଦେବାକୁ ଉତ୍ସାହିତ କରିଥିଲେ। ଏହାଠାରୁ ତାଙ୍କର କ୍ରୀଡ଼ା ଯାତ୍ରା ଆରମ୍ଭ ହୋଇଥିଲା।

Also Read :- ଛାଡି଼ବନି ବର୍ଷା, ଫୁଲୁଛି ସବୁ ନଦୀ ! ୨୪ ଘଣ୍ଟା ସତର୍କ ରହିବାକୁ ଏହି ଜିଲ୍ଲାକୁ ଆଲର୍ଟ

ଶିଳ୍ପା କର୍ଣ୍ଣାଟକ ଦଳର ଅଧିନାୟକ ହୋଇଥିଲେ ଏବଂ ରାଜ୍ୟକୁ ୪ଟି ଜାତୀୟ ଚାମ୍ପିଅନସିପ୍ ଟାଇଟଲ୍ ଭେଟି ଦେଇଥିଲେ। ପରେ ସେ ‘ଟ୍ରାକ୍ ଆଣ୍ଡ୍ ଫିଲ୍ଡ’ରେ ପ୍ରବେଶ କରିଥିଲେ। ଦୁବାଇ ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ବ୍ରୋଞ୍ଜ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦକ ରହିଥିଲା।

ପୁରୁଷ ହାଇଜମ୍ପ

ଜାମାଇକାର ରୋମେନ ବେକଫୋର୍ଡ ଓ କୁଶାରେଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦିତା ହୋଇଥିଲା । ଉଭୟ ୨.୨୫ ମିଟର ଉଚ୍ଚ ଜମ୍ପ କରିଥିଲେ । ୨.୨୫ ମିଟରରେ ବେକଫୋର୍ଡ ପ୍ରଥମ ପ୍ରୟାସରେ କ୍ଲିୟର କରିଥିଲେ । ମାତ୍ର କୁଶାରେଙ୍କର ପ୍ରଥମ ଦୁଇ ପ୍ରୟାସ ବିଫଳ ଯାଇଥୁଲା I ତୃତୀୟ ପ୍ରୟାସରେ ସେ ସଫଳ ହୋଇଥିଲେ। ତେଣୁ ବେକଫୋର୍ଡଙ୍କୁ ସ୍ୱର୍ଣ୍ଣ ଏବଂ କୁଶାରେଙ୍କୁ ରୌପ୍ୟ ମିଳିଥିଲା । ଇଂଲଣ୍ଡର କିମାନି ଜ୍ୟାକ (୨.୨୦ ମିଟର) ବ୍ରୋଞ୍ଜ ଜିତିଥିଲେ।