ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଭାରତୀୟ ଆଥଲେଟ୍‌ମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଶନିବାର ରାତି ଭାରତୀୟ ବକ୍ସିଂ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସାବ୍ୟସ୍ତ ହୋଇଛି। କେବଳ ବକ୍ସିଂରୁ ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ଚାଲିଛନ୍ତି। ଏଥିସହିତ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୧ରେ ପହଞ୍ଚିବା ସହ ପଦକ ତାଲିକାରେ ଦେଶ ଏକ ବଡ଼ ଲମ୍ଫ ମାରିଛି।

ସାକ୍ଷୀ ଚୌଧୁରୀଙ୍କ ଦମଦାର ବିଜୟ

ମହିଳା ୫୧ କିଲୋଗ୍ରାମ୍ ବର୍ଗର ଫାଇନାଲ ମ୍ୟାଚରେ ଭାରତୀୟ ବକ୍ସର ସାକ୍ଷୀ ଚୌଧୁରୀ ଏକତରଫା ପ୍ରଦର୍ଶନ କରିଛନ୍ତି। ସେ ଇଂଲଣ୍ଡର ରୁବି ୱାଇଟ୍ଙ୍କୁ ୫-୦ ପଏଣ୍ଟରେ ପରାସ୍ତ କରି ଭାରତକୁ ୯ମ ସ୍ୱର୍ଣ୍ଣ ପଦକ ଦେଇଥିଲେ। ପ୍ରାରମ୍ଭରୁ ହିଁ ଆକ୍ରାମକ ଶୈଳୀ ଆପଣାଇ ସାକ୍ଷୀ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଅନ୍ତିମ ରାଉଣ୍ଡରେ ବିପକ୍ଷ ଖେଳାଳି ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସାକ୍ଷୀ ସମସ୍ତ ଚାଲ୍କୁ ବିଫଳ କରିଦେଇଥିଲେ।

Also Read: Commonwealth Gamesରେ ଇତିହାସ ରଚିଲେ ଅସ୍ମିତା ଦେ’ ଏବଂ ହର୍ଷ ସିଂହ: ଜୁଡୋରେ ଭାରତକୁ ଡବଲ୍ ଗୋଲ୍ଡ

୪୫ ମିନିଟରେ ପୁଣି ଜିତିଲେ ୨ଟି ସ୍ୱର୍ଣ୍ଣ

ସାକ୍ଷୀଙ୍କ ସ୍ୱର୍ଣ୍ଣିମ ସଫଳତାର ମାତ୍ର ୪୫ ମିନିଟ୍ ମଧ୍ୟରେ ଭାରତୀୟ ବକ୍ସରମାନେ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ଦେଶ ପାଇଁ ହାସଲ କରିଥିଲେ। ମହିଳା ୬୦ କିଗ୍ରା ବର୍ଗର ଫାଇନାଲରେ ପ୍ରିୟା ପୁନିଆ (ପ୍ରିୟା ଘଙ୍ଘାସ) କାନାଡାର ମାରି ବାଥୋଲ୍ ଅଲ-ଅହମ୍ମଦିଆଙ୍କୁ ୪-୧ରେ ପରାସ୍ତ କରି ଦେଶକୁ ୧୦ମ ସ୍ୱର୍ଣ୍ଣ ଭେଟି ଦେଇଥିଲେ।

ଅରୁନ୍ଧତୀଙ୍କ ହ୍ୟାଟ୍ରିକ୍ ଗୋଲ୍ଡ

ଏହାପରେ ରାତି ପ୍ରାୟ ୧୦ଟାରେ ମହିଳା ୭୦ କିଗ୍ରା ବର୍ଗର ଫାଇନାଲରେ ଅରୁନ୍ଧତୀ ଚୌଧୁରୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ପାଇଁ ୧୧ଶ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗୋଟିଏ ପରେ ଗୋଟିଏ ସ୍ୱର୍ଣ୍ଣ ଜିତି ଭାରତୀୟ ମହିଳା ବକ୍ସରମାନେ ସମଗ୍ର କ୍ରୀଡ଼ା ଜଗତରେ ଭାରତର ପତାକା ଉଡ଼ାଇଛନ୍ତି। ଆଗାମୀ ମ୍ୟାଚ୍ଗୁଡ଼ିକରେ ମଧ୍ୟ ଭାରତ ଆହୁରି ପଦକ ଜିତିବାର ଆଶା ରହିଛି।