ନୂଆଦିଲ୍ଲୀ: ଭାରତକୁ ବିଶ୍ୱର ସବୁଠାରୁ ବଡ଼ 'ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକ୍ଚରିଂ ହବ୍'ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ବଢ଼ାଇବା ଏବଂ ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପାର୍ଟସ୍ ଏବଂ ମେସିନାରୀ ଉପରୁ କଷ୍ଟମ୍ସ ଡ୍ୟୁଟି ବା ସୀମା ଶୁଳ୍କ ହ୍ରାସ କରିଛନ୍ତି । ସରକାରଙ୍କ ଏହି ନୂଆ ନିୟମ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ନିଷ୍ପତ୍ତି ଯୋଗୁ ଆଗାମୀ ଦିନରେ ସ୍ମାର୍ଟଫୋନ୍, ଲିଥିୟମ୍- ଆୟନ ବ୍ୟାଟେରୀ ଏବଂ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟଗୁଡ଼ିକ ଶସ୍ତା ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ପାଇଁ ବଡ଼ ସଞ୍ଜୀବନୀ

ବର୍ତ୍ତମାନ ସୁଦ୍ଧା ଭାରତରେ ଇଲେକ୍ଟ୍ରୋନିକ୍ସ ବଜାର ବହୁତ ବଡ଼ ହୋଇଥିଲେ ମଧ୍ୟ ଏହାର କଞ୍ଚାମାଲ ଏବଂ ମେସିନାରୀ ପାଇଁ ବିଦେଶୀ ବଜାର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କେନ୍ଦ୍ର ସରକାରଙ୍କ ଏହି ରିହାତି ଫଳରେ ଘରୋଇ କମ୍ପାନୀଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବହୁମାତ୍ରାରେ କମିଯିବ। ଏହାଦ୍ୱାରା ଦେଶକୁ ବହୁ ପରିମାଣର ବିଦେଶୀ ପୁଞ୍ଜିନିବେଶ (FDI) ଆସିବା ସହ ପ୍ରଧାନମନ୍ତ୍ରୀଙ୍କ 'ମେକ୍ ଇନ୍ ଇଣ୍ଡିଆ' ସ୍ୱପ୍ନ ସାକାର ହେବା ଦିଗରେ ନୂଆ ଗତି ମିଳିବ।

Also Read: ଭାରତରେ ନୂଆ ସାଟେଲାଇଟ ଫୋନ୍ ଲଞ୍ଚ୍ କଲା BSNL, ହେଲେ ସହଜରେ ମିଳିବନି ବ୍ୟବହାର ଅନୁମତି

ଲିଥିୟମ୍- ଆୟନ ବ୍ୟାଟେରୀ ତିଆରି ହେବ ସହଜ

ବର୍ତ୍ତମାନର ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଇଭି ପର୍ଯ୍ୟନ୍ତ ସବୁଥିରେ ଲିଥିୟମ୍- ଆୟନ ବ୍ୟାଟେରୀ ବ୍ୟବହାର କରାଯାଉଛି । ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ କଷ୍ଟମ୍ସ (CBIC) ଅନୁସାରେ, ବ୍ୟାଟେରୀ ତିଆରି ପାଇଁ ବ୍ୟବହାର ହେଉଥିବା ପ୍ରାୟ ୮୫ ପ୍ରକାରର ଅତ୍ୟାଧୁନିକ ମେସିନ୍ ଉପରେ କଷ୍ଟମ୍ସ ଡ୍ୟୁଟି ଛାଡ଼ କରାଯାଇଛି। ଏଥିମଧ୍ୟରେ ବ୍ୟାଟେରୀ ପାଉଡର ପ୍ରସ୍ତୁତି, ଲେଜର ୱେଲଡିଂ, କୋଟିଂ ଏବଂ ଟେଷ୍ଟିଂ ସହ ଜଡ଼ିତ ସମସ୍ତ ବଡ଼ ବଡ଼ ଯନ୍ତ୍ରାଂଶ ସାମିଲ ରହିଛି ।

ଶସ୍ତା ହେବ ଡିସପ୍ଲେ ଏବଂ ୱାୟରଲେସ୍ ଚାର୍ଜିଂ ପାର୍ଟସ

ଗାଡ଼ି ଓ ମେଡିକାଲ ଡିସପ୍ଲେ: ଅଟୋମୋବାଇଲ୍, ମେଡିକାଲ୍ ଉପକରଣ ଏବଂ ଶିଳ୍ପଭିତ୍ତିକ ମେସିନରେ ଲାଗୁଥିବା ଡିସପ୍ଲେ ଆସେମ୍ବଲିର ଅନେକ ପାର୍ଟସ୍ ଯେପରିକି ବ୍ୟାକଲାଇଟ୍ ୟୁନିଟ୍ ଏବଂ ଫ୍ରେମ୍ ଉପରୁ ଟ୍ୟାକ୍ସ କମାଇ ଦିଆଯାଇଛି । ତେବେ ଏହି ରିହାତିରୁ କେବଳ ମୋବାଇଲ୍ ଓ ଟିଭି ଡିସପ୍ଲେ ବାଦ ପଡ଼ିଛି।

ପ୍ରିମିୟମ୍ ସ୍ମାର୍ଟଫୋନ୍ ଫିଚର: ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା ୱାୟରଲେସ୍ ଚାର୍ଜିଂ ଫିଚରକୁ ଦେଶ ଭିତରେ ଶସ୍ତାରେ ପ୍ରସ୍ତୁତ କରିବା ପାଇଁ ପଥ ପରିଷ୍କାର ହୋଇଛି।ଏଥିରେ ଲାଗୁଥିବା ଚାର୍ଜିଂ ମଡ୍ୟୁଲ୍, ଇଣ୍ଡକ୍ଟର କଏଲ୍ ଏବଂ ଚୁମ୍ବକ (NdFeB) ପରି ଯନ୍ତ୍ରାଂଶ ଉପରୁ ମଧ୍ୟ ଶୁଳ୍କ ହ୍ରାସ କରାଯାଇଛି।

ସରକାରଙ୍କ ଏହି ସ୍ୱଚ୍ଛ ନୀତି ଏବଂ ବୈଷୟିକ କୋହଳତା ଯୋଗୁ ଆଗାମୀ ଦିନରେ ଭାରତୀୟ ଇଲେକ୍ଟ୍ରୋନିକ୍ସ ବଜାରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଯାହାର ସିଧାସଳଖ ଫାଇଦା ଦେଶର ସାଧାରଣ ଗ୍ରାହକ ପାଇପାରିବେ ।