​​​​​​​ନୂଆଦିଲ୍ଲୀ: ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷା। କେମିତି ଦେବେ ପରୀକ୍ଷା ? ତାହାକୁ ନେଇ ନ୍ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍ (CUET UG) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (IISER)ର ଆପ୍ଟିଚ୍ୟୁଡ୍ ଟେଷ୍ଟ (IAT)ର ତାରିଖ ଏକାଠି ପଡ଼ିଯାଇଥିବାରୁ ଏହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ। ଏହି ଦୁଇ ପ୍ରମୁଖ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ ୭ ତାରିଖରେ ହେବାକୁ ଯାଉଛି।

କାହିକିଁ ଉପୁଜିଲା ସମସ୍ୟା ?

ଗତ ମେ' ୨୮ ତାରିଖରେ ସ୍ଥଗିତ ହୋଇଥିବା CUET UG ପରୀକ୍ଷାକୁ NTA, ପୁନଃନିର୍ଦ୍ଧାରିତ କରି ଜୁନ୍ ୬ ଏବଂ ୭ ତାରିଖରେ କରିବାକୁ ଘୋଷଣା କରିଥିଲା। ମାତ୍ର ପୂର୍ବରୁ ହିଁ ଜୁନ୍ ୭ ତାରିଖରେ IISER IAT ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇସାରିଛି।

Also Read: NEET-UG ପେପର ଲିକ୍ ମାମଲା, ୩ ଅଭିଯୁକ୍ତଙ୍କୁ ଜୁନ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ମନୋଜ କୁମାର ଗୁଜେଲା ନାମକ ଜଣେ ଅଭିଭାବକ ଏହି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଲେଖିଛନ୍ତି ଯେ, ତାଙ୍କ ଝିଅର ଜୁନ୍ ୭ରେ ଉଭୟ CUET ଏବଂ IISER ପରୀକ୍ଷା ପଡୁଛି। ଜଣେ ପରୀକ୍ଷାର୍ଥୀ ପାଇଁ ଗୋଟିଏ ସମୟରେ ଦୁଇଟି ଅଲଗା ଅଲଗା ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବା ଅସମ୍ଭବ। ତେଣୁ ସେ NTAକୁ ଏହି ପରୀକ୍ଷା ସୂଚୀ ବଦଳାଇବାକୁ ଅନୁରୋଧ କରିଛନ୍ତି। କେବଳ IAT ନୁହେଁ, NEST ଏବଂ JIPMAT ଭଳି ଅନ୍ୟ ପରୀକ୍ଷାଗୁଡ଼ିକର ତାରିଖ ମଧ୍ୟ ଏହି ସମୟରେ ପଡୁଥିବାରୁ ପରୀକ୍ଷାର୍ଥୀମାନେ ବିକଳ୍ପ ସ୍ଲଟ୍‌ ଦେବାକୁ ଦାବି କରିଛନ୍ତି।

NTAର ପ୍ରତିକ୍ରିୟା ଓ ସ୍ପଷ୍ଟୀକରଣ

ଏହି ବିବାଦ ଏବଂ ବାରମ୍ବାର ବୈଷୟିକ ତ୍ରୁଟିର ଅଭିଯୋଗ ପରେ NTA ମଧ୍ୟ ସ୍ପଷ୍ଟୀକରଣ ରଖିଛି। ଏଜେନ୍ସି ସୂଚନା ଦେଇଛି ଯେ, ଗତ ମେ' ୩୦ ତାରିଖରେ ବୈଷୟିକ ସମସ୍ୟା କାରଣରୁ ଯେଉଁ ପରୀକ୍ଷାର୍ଥୀମାନେ CUET UG ପରୀକ୍ଷା ଦେଇପାରିନଥିଲେ, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୁନଃ-ପରୀକ୍ଷା କରାଯିବ।

Also Read: CBSEର OSM ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ଯୁବ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଧରିବା ପରେ ସତ ସ୍ୱୀକାର କଲା ସିବିଏସ୍‌ଇ

NTA ଅନୁସାରେ, ସେହିଦିନ ପରୀକ୍ଷା କେନ୍ଦ୍ରରେ ବାୟୋମେଟ୍ରିକ ପଞ୍ଜୀକରଣ ସରିବା ପରେ ପ୍ରାୟ ୩,୭୬୫ ଜଣ ଛାତ୍ରଛାତ୍ରୀ ସେବା ସ୍ୱାଭାବିକ ହେବା ପୂର୍ବରୁ ହିଁ କେନ୍ଦ୍ର ଛାଡ଼ି ଚାଲିଯାଇଥିଲେ। ସେହି ପରୀକ୍ଷାର୍ଥୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ସୁଯୋଗ ଦିଆଯାଉଛି ଏବଂ ଏହାର ସଂଶୋଧିତ ତାରିଖ ତଥା ବିସ୍ତୃତ ସୂଚୀ ଖୁବ୍ ଶୀଘ୍ର ପୃଥକ ଭାବେ ପ୍ରକାଶ କରାଯିବ। ଏହାସହ ତାରିଖକୁ ନେଇ ଉପୁଜିଥିବା ସମସ୍ୟା ଦୂର କରିବା ଏଜେନ୍ସି ପଦକ୍ଷେପ ନେଉଥିବା ଜଣାପଡ଼ିଛି।

ତେବେ ପରୀକ୍ଷା ସମ୍ବନ୍ଧୀୟ ସଦ୍ୟତମ ଅପଡେଟ୍ ପାଇଁ ଛାତ୍ରଛାତ୍ରୀମାନଙ୍କୁ NTA ର ଅଫିସିଆଲ୍ ୱେବସାଇଟ୍ ନିୟମିତ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।