ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଇସ୍ଲାମାବାଦରେ ଅନୁଷ୍ଠିତ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ଏହି ବିଫଳତା ଦୁଇ ସପ୍ତାହର ଯୁଦ୍ଧବିରାମକୁ ନେଇ ସନ୍ଦେହ ସୃଷ୍ଟି କରିଥିବା ବେଳେ ବୈଶ୍ୱିକ ବିତ୍ତିୟ ବଜାରରେ ହଲଚଲ ସୃଷ୍ଟି କରିଛି। ଏହି କାରଣରୁ ଗ୍ଲୋବାଲ ମାର୍କେଟ, ଅଶୋଧିତ ତୈଳ ଓ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କିପରି ପ୍ରଭାବ ପକାଇବ ଆସନ୍ତୁ ଜାଣିବା।

ପୁଣି ୧୦୦ ଡଲାର ପାର କରିବ ଅଶୋଧିତ ତୈଳ
ବଜାର ବିଶେଷଜ୍ଞଙ୍କ ଅନୁସାରେ ବାର୍ତ୍ତା ବିଫଳ ହେବା ପରେ ଅଶୋଧିତ ତୈଳ ମୂଲ୍ୟରେ ଦ୍ରୁତ ବୃଦ୍ଧି ଆଶଙ୍କା ବଢି ଯାଇଛି। ହର୍ମୁଜ ପ୍ରଣାଳୀ ଯେଉଁ ମାର୍ଗ ଦେଇ ବିଶ୍ୱର ୨୦% ଇନ୍ଧନ ପ୍ରବାହିତ ହୋଇଥାଏ ତାକୁ ନେଇ ପୁଣି ଅନିଶ୍ଚିତତା ଉପୁଜିଛି। ଭୂ-ରାଜନୈତିକ ଉତ୍ତେଜନା ବଢିବା ଓ ଯୋଗାଣରେ ବାଧା ଉପୁଜିବା ପରିସ୍ଥିତିରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରଲପିଛା ୧୦୦ଡଲାର ବା ତା ଠୁ ଅଧିକ ବଢିପାରେ। ଯୁଦ୍ଧବିରାମ ପରେ ବଜାରରେ ଯେଉଁ ଆଶା ସୃଷ୍ଟି ହୋଇଥିଲା ତାହା ଏବେ ସମାପ୍ତ ହେଉଥିବା ଦେଖା ଯାଉଛି।

ସେୟାର ବଜାର ଉପରେ ପ୍ରଭାବ
ଯଦିଓ ତୈଳ ବଜାରରେ ବୃଦ୍ଧି ଆଶଙ୍କା କରାଯାଉଛି ହେଲେ ଇକ୍ୟୁଟି (ସେୟାର) ବଜାର ପାଇଁ ଦୃଷ୍ଟିକୋଣ ଭିନ୍ନ। ବାର୍ତ୍ତା ବିଫଳ ହୋଇଥିବାରୁ ବଜାର ଉପରତଳ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଏଥିରେ ଭୀଷଣ ଅଥବା ନିରନ୍ତର ହ୍ରାସର କୌଣସି ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ପରିସ୍ଥିତି ବଦଳୁଛି ହେଲେ ବଜାରକୁ ଲାଗୁଛି ଆମେରିକା ଉପରେ ପ୍ରସଙ୍ଗର ସମାଧାନ ପାଇଁ ଅଧିକ ଚାପ ରହିବ। ତେବେ ପରିସ୍ଥିତି ଯାହା ବି ହେଉ ନିବେଶକଙ୍କୁ ଧିରେ ଧିରେ ନିବେଶ ର ପରାମର୍ଶ ଦିଆଯାଉଛି।

ଭାରତୀୟ ବଜାର ଉପରେ ପ୍ରଭାବ
ମହଙ୍ଗା ତେଲର ସିଧା ପ୍ରଭାବ ଅଏଲ ମାର୍କେଟିଂ କମ୍ପାନୀ, ଏଭିଏସନ ଓ ପେଣ୍ଟ କମ୍ପାନୀଙ୍କ ଉପରେ ପଡିବ। ଏଥିରେ ଲାଭରେ ରହୁଥିବା ସେକ୍ଟରଙ୍କ କଥା କହିଲେ ଅପଷ୍ଟ୍ରିମ୍ ତୈଳ ଉତ୍ପାଦକ ଓ ଶକ୍ତି କମ୍ପାନୀମାନଙ୍କୁ ଏହି ବୃଦ୍ଧିର ଲାଭ ମିଳିବ। ତେବେ ସୋମବାର ଦେଶର ପ୍ରମୁଖ ସୂଚକାଙ୍କ ହ୍ରାସର ସହିତ ଖୋଲି ପାରେ। ଏହି ସପ୍ତାହରେ ବଜାର ଉପରେ ମୁଦ୍ରାସ୍ଫୀତି ତଥ୍ୟ, କମ୍ପାନୀମାନଙ୍କ ଚତୁର୍ଥ ତ୍ରୈମାସିକ ଫଳାଫଳ ଓ ବିଦେଶୀ ନିବେଶକଙ୍କ ଗତିବିଦ୍ଧି ର ମଧ୍ୟ ପ୍ରଭାବ ରହିବ। ଏହା ଛଡା ଏପ୍ରିଲ ୧୩ ତାରିଖରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଓ ଏପ୍ରିଲ ୧୪ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ତଥ୍ୟ ମଧ୍ୟ ଜାରି ହେବ। ଯାହା ମୁଦ୍ରାସ୍ଫୀତିର ସ୍ଥିତି ନେଇ ସଂକେତ ଦେବେ।

ମୁଦ୍ରାସ୍ଫୀତି ଓ ଟଙ୍କା ଉପରେ କିପରି ରହିବ ପ୍ରଭାବ?
ଅଶୋଧିତ ତୈଳ ମୂଲ୍ୟରେ ନିରନ୍ତର ବୃଦ୍ଧି ଯୋଗୁ ଘରୋଇ ମୁ୍ଦ୍ରାସ୍ଫୀତି ଉପରେ ପ୍ରଭାବ ପଡିପାରେ। ଏହା ଦ୍ୱାରା ଭାରତୀୟ ମୁଦ୍ରା ଉପରେ ନିକଟ ଭବିଷ୍ୟତରେ ଚାପ ଓ ଅସ୍ଥିରତା ଦେଖିବାକୁ ମିଳିପାରେ। ତେବେ ବାର୍ତ୍ତା ବିଫଳ ହେବାର ଅର୍ଥ ନୁହେଁ ଯେ କୂଟନୀତିର ଦ୍ୱାର ବନ୍ଦ ହୋଇଯାଇଛି। ହେଲେ ଏହା ଦ୍ୱାରା ସମାଧାନର ସମୟ ସୀମା ବଢି ଯାଇଛି। ଯେଉଁ ପର୍ଯ୍ୟନ୍ତ ୨ ଦେଶଙ୍କ ମଧ୍ୟରେ ସ୍ପଷ୍ଟ ସହମତି ନ ହୋଇଛି ବଜାରରେ ଅସାମଞ୍ଜସ୍ୟ ସ୍ଥିତି ଜାରି ରହିବ ବୋଲି ବିଶେଷଜ୍ଞ କହିଛନ୍ତି।

Also Read..କାହିଁକି ରିସ୍କ ମାର୍କେଟ୍ ହେଉଛି ଭାରତ? ଫେରିବେ ତ ବିଦେଶୀ ନିବେଶକ? ଶ୍ରୀଧର ଭେମ୍ବୁ କହିଲେ, ଜାପାନ ଠାରୁ ଶିଖିବା ଉଚିତ୍