ଇନ୍ଦୋର: ଖଜୁରାହୋ ସ୍ଥିତ ଜାଭାରୀ ମନ୍ଦିରର ୧୧ଶ ଶତାବ୍ଦୀର ପ୍ରାଚୀନ ଭଗବାନ ବିଷ୍ଣୁଙ୍କ ମୁଣ୍ଡହୀନ ପ୍ରତିମା ଦେଖି ଶହ ଶହ ବର୍ଷ ଧରି ଭକ୍ତଙ୍କ ମନକୁ ଆଘାତ ପହଞ୍ଚୁଥିଲା । ଏବେ ଶ୍ରଦ୍ଧାଳୁଙ୍କ ସେହି କଷ୍ଟ ଦୂର ହେବାକୁ ଯାଉଛି । ହଜିଯାଇଥିବା ମୁଣ୍ଡକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ଦ୍ୱାରା ଉଦ୍ଧାର କରାଯାଇଛି । ଏଏସଆଇକୁ ଏହି ସାତ ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିର ନିଖୋଜ ମୁଣ୍ଡକୁ ସଂସ୍ଥାର ଏକ ସଂଗ୍ରହାଳୟର ଭଣ୍ଡାରରୁ ମିଳିଛି । ବୈଷୟିକ ଅଧ୍ୟୟନ ଏବଂ ଆବଶ୍ୟକୀୟ ପ୍ରକ୍ରିୟା ପୂରା ହେବା ପରେ ଏହାକୁ ପୁଣିଥରେ ପ୍ରତିମୂର୍ତ୍ତି ସହ ଯୋଡ଼ିବାକୁ ଯୋଜନା ରହିଛି ।

ଏଏସଆଇ ମହାନିର୍ଦ୍ଦେଶକ ଡକ୍ଟର ଯଦୁବୀର ସିଂହ ରାୱତ କହିଛନ୍ତି ଯେ ବିଭାଗର ଷ୍ଟୋର ଘରରୁ ପ୍ରତିମାର ମୁଣ୍ଡ ମିଳିଛି । ମୁଣ୍ଡଟି ପ୍ରତିମାରୁ କିପରି ଅଲଗା ହେଲା ତାହାର ପ୍ରମାଣ ଏଏସଆଇ ପାଖରେ ନାହିଁ ।

ଖଜୁରାହୋ ସଂଗ୍ରହାଳୟ, ଯେଉଁଠାରୁ ମୁଣ୍ଡ ମିଳିଛି ତାହା ୧୯୧୦ ମସିହାରେ ବ୍ରିଟିଶ ଅଧିକାରୀ ଡବ୍ଲୁ.ଏ.ଜାର୍ଡିନ୍ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ଖଜୁରାହୋ ମନ୍ଦିର ଚାରିପାଖରେ ବିଛାଡ଼ି ହୋଇଥିବା ମୂର୍ତ୍ତିକୁ ସଂରକ୍ଷଣ କରିବା ପାଇଁ ମାତଙ୍ଗେଶ୍ୱର ମନ୍ଦିର ନିକଟରେ ଏକ ଖୋଲା ସ୍ଥାନରେ ଏହାକୁ ସ୍ଥାପନ କରିଥିଲେ । ସେତେବେଳେ ଏହାକୁ ଜାର୍ଡିନ୍ ସଂଗ୍ରହାଳୟ କୁହାଯାଉଥିଲା । ୧୯୫୨ ମସିହାରେ, ଏହା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନକୁ ଆସିଥିଲା ଏବଂ ଏହାକୁ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ନାମ ଦିଆଯାଇଥିଲା । ଜଣେ ଏଏସଆଇ ଅଧିକାରୀ କହିଛନ୍ତି ଯେ ସଂଗ୍ରହାଳୟରେ ଥିବା ମୁଣ୍ଡଟି ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିର ବୋଲି କେହି ଜାଣି ନଥିଲେ । ସେ କହିଛନ୍ତି ଯେ ମୁଣ୍ଡଟି ୧୯୧୦ ମସିହାରେ ପ୍ରତିଷ୍ଠା ହେବା ଦିନଠାରୁ ସଂଗ୍ରହାଳୟରେ ଥିଲା ।

ଖଜୁରାହୋର ଜାଭାରୀ ମନ୍ଦିରରେ ମୁଣ୍ଡହୀନ ବିଷ୍ଣୁ ମୂର୍ତ୍ତିକୁ ନେଇ ବିବାଦ ଗତ ବର୍ଷ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ହରିୟାଣାର ଓକିଲ ରାକେଶ ଦଲାଲ ସାତ ଫୁଟ ଉଚ୍ଚ ମୂର୍ତ୍ତିର ପୁନରୁଦ୍ଧାର, ବଦଳ କିମ୍ବା ପୁନଃନିର୍ମାଣ ପାଇଁ ଦାବି କରିଥିଲେ । ଆବେଦନରେ ଦାବି କରାଯାଇଥିଲା ଯେ ପ୍ରାୟ ୫୦୦ ବର୍ଷ ପୂର୍ବେ ମୋଗଲ ଆକ୍ରମଣ ସମୟରେ ମୂର୍ତ୍ତିଟି କ୍ଷତିଗ୍ରସ୍ତ ହୋଇଥିଲା । ଆବେଦନ ବିଚାରାଧୀନ ଥିବା ସମୟରେ, ତତ୍କାଳୀନ ପ୍ରଧାନ ବିଚାରପତି ବି.ଆର.ଗଭାଇ କହିଥିଲେ, "ଯାଅ ଏବଂ ଭଗବାନଙ୍କୁ ନିଜେ କିଛି କରିବାକୁ କୁହ ।"

ତତ୍କାଳୀନ ପ୍ରଧାନ ବିଚାରପତି ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଥିଲେ । ପରେ ଜଷ୍ଟିସ୍ ଗଭାଇ ସ୍ପଷ୍ଟ କରିଥିଲେ ଯେ ସେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି । ଘଟଣା ପରେ କୋର୍ଟ ରୁମ ଭିତରେ ଜଣେ ଓକିଲ ତାଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଏହି ଘଟଣାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ହୋଇଥିଲା ।

ଉଲ୍ଲେଖଯୋଗଦ୍ୟ ଯେ ଖଜୁରାହୋରରେ ଅବସ୍ଥିତ ଜାଭାରୀ ମନ୍ଦିରଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଏହା ୧୧ଶ ଶତାବ୍ଦୀର ଶେଷ ଭାଗରେ ଚଣ୍ଡେଲା ଶାସକମାନଙ୍କ ରାଜତ୍ୱ ସମୟରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ । ମନ୍ଦିରର ଐତିହାସିକ ଏବଂ ସ୍ଥାପତ୍ୟଗତ ଗୁରୁତ୍ୱ ଯୋଗୁଁ ଏହା ଖଜୁରାହୋ ବିଶ୍ୱ ଐତିହ୍ୟ ଗୋଷ୍ଠୀ ସ୍ମାରକୀର ଏକ ଅଂଶ । ମୂର୍ତ୍ତିର ମୁଣ୍ଡର ଆବିଷ୍କାର ପରେ ଏହାର ମୂଳ ରୂପ ପୁନରୁଦ୍ଧାର ହେବାର ଆଶା ସୃଷ୍ଟି ହୋଇଛି ।