Foreign investment in indian: ଭାରତୀୟ ଷ୍ଟକ୍ ବଜାର ପ୍ରତି ବିଦେଶୀ ନିବେଶକ (FPI)ଙ୍କ ବିଶ୍ୱାସ ହ୍ରାସ ପାଉଛି କି? ଜିରୋଧା ସିଇଓ ନୀତିନ କାମାଥ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସଂକେତ ଦେଇଛନ୍ତି। ବିଶ୍ୱ ନିବେଶକମାନେ ଏବେ ଭାରତ ବଦଳରେ ଅନ୍ୟ ଦେଶ ଆଡକୁ ମୁହାଁଇଛନ୍ତି। ଏହାର ଅନେକ କାରଣ ବି ରହିଛି। କାମଥ ଏହାର ପ୍ରମୁଖ କାରଣଗୁଡ଼ିକ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,ଯେଉଁଥିରେ ଟ୍ୟାକ୍ସ ଷ୍ଟ୍ରକ୍ଚର ଏବଂ ଜିଓପଲିଟିକାଲ ରିକ୍ସକୁ ବି ସେ ଇଙ୍ଗିତ କରିଛନ୍ତି।

ସେପଟେ ଜୋହୋ ଫାଉଣ୍ଡର ଶ୍ରୀଧର ଭେମ୍ବୁ କିନ୍ତୁ ଅଲଗା ତର୍କ ରଖିଛନ୍ତି। ଆମେ ବିଦେଶୀ ଟଙ୍କା ଅପେକ୍ଷା ଆମର ନିଜସ୍ୱ ଟେକ୍ନୋଲୋଜୀ ଏବଂ କ୍ଷମତା ଉପରେ ନିର୍ଭର କରିବା ଉଚିତ ବୋଲି ସେ କହିଛନ୍ତି। ଏବଂ ସେ ଏଥିରେ ଜାପାନର ଉଦାହରଣ ରଖିଛନ୍ତି। ବଜାରର ସ୍ୱାସ୍ଥ୍ୟ ପାଇଁ ଏହି ଦୁଇଟି ଦୃଷ୍ଟିକୋଣର ଅର୍ଥ କ'ଣ ତାହା ସାଧାରଣ ନିବେଶକଙ୍କ ପାଇଁ ବୁଝିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତା’ଛଡ଼ା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବରବାଦ ହୋଇଯାଇଥିବା ଜାପାନ କିଭଳି ପୁଣି ଶକ୍ତିଶାଳୀ ରାଷ୍ଟ୍ର ହୋଇଗଲା ଆସନ୍ତୁ ଜାଣିବା।

ପଛଘୁଞ୍ଚା ଦେଉଛନ୍ତି ବିଦେଶୀ ନିବେଶକ-

ବର୍ତ୍ତମାନର ଭୂରାନୈତିକ ସ୍ଥିତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ସେହିଭଳି ମାର୍କେଟରେ ମଧ୍ୟ ଘଡ଼ିକେ ଘୋଡ଼ା ଛୁଟିଛି। ଏଭଳି ଅସ୍ଥିର ପରିସ୍ଥିତିରେ ନିବେଶକ ମଧ୍ୟରେ ଭୟ ସୃଷ୍ଟି ହେବା ସ୍ୱାଭାବିକ। ଇରାନ ଯୁଦ୍ଧ ଆରମ୍ଭ ହେବା ଠାରୁ ଭାରତୀୟ ବଜାରରେ ବିଦେଶୀ ନିବେଶକଙ୍କ ପଳାୟନ ଜାରି ରହିଛି। ବିଦେଶୀ ନିବେଶକ ଭାରତୀୟ ମାର୍କେଟ୍‌ରୁ ନିବେଶ ହଟାଇ ବିଦେଶ ବଜାରରେ ନିବେଶ କରୁଛନ୍ତି। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜିରୋଧା ସିଇଓ ନୀତିନ କାମଥ। ଭାରତରେ ନିବେଶ ପାଇଁ ବିଦେଶୀ ନିବେଶକଙ୍କ ଉତ୍ସାହ ପ୍ରାୟତଃ ହ୍ରାସ ପାଇଛି ବୋଲି ସେ କହିଛନ୍ତି।

Also Read- UPI ପାଇଁ ଚାର୍ଜ ଦେବାକୁ ପଡ଼ିଲେ ବ୍ୟବହାର ବନ୍ଦ କରିଦେବେ ୭୫% ଲୋକ: ସର୍ଭେ ରିପୋର୍ଟ

ନୀତିନ କାମଥଙ୍କ ଅନୁଯାୟୀ ଭୂରାଜନୈତିକ ଦୃଷ୍ଟିରୁ ଭାରତକୁ ଏକ ସମ୍ବେଦନଶୀଳ ବଜାର ଭାବରେ ବିବେଚନା କରାଯାଏ। ତେଣୁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ବଡ଼ ପ୍ରଭାବ ମଧ୍ୟ ଭାରତୀୟ ମାର୍କେଟ୍ ଉପରେ ପଡ଼ିପାରେ। ଏହା ବ୍ୟତୀତ, ଭାରତୀୟ ବଜାରରେ ଗୁରୁତ୍ୱପୂର୍ଣ୍ଣ AI (କୃତ୍ରିମ ବୁଦ୍ଧିମତ୍ତା) ସମ୍ବନ୍ଧୀୟ ବିକଳ୍ପଗୁଡ଼ିକର ଅଭାବ ଏବଂ ଉଚ୍ଚ ଷ୍ଟକ୍ ମୂଲ୍ୟ ମଧ୍ୟ ନିବେଶକମାନଙ୍କୁ ଭାରତୀୟ ବଜାରରେ ନିବେଶ କରିବାକୁ ବାଧା ଦେଉଛି।

ମୁଦ୍ରା ମୂଲ୍ୟ ହ୍ରାସ ଓ ଟ୍ୟାକ୍ସ ନିୟମ ସାଜୁଛି ବାଧକ

ସେହିପରି ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ହେବା ଓ ଟ୍ୟାକ୍ସ ନିୟମ ମଧ୍ୟ ନିବେଶକଙ୍କୁ ନିରୁତ୍ସାହିତ କରୁଛି ବୋଲି କାମଥ କହିଛନ୍ତି। ତାଙ୍କ ମତରେ ବର୍ତ୍ତମାନ ଟଙ୍କାର ପରିସ୍ଥିତି ବିଦେଶୀ ନିବେଶକଙ୍କୁ ସୁହାଉ ନାହିଁ। ଏନେଇ ସେ କହିଛନ୍ତି, "ଯେଉଁ ନିବେଶକମାନେ ପୂର୍ବରୁ ଲାଭରେ ଥିଲେ ସେମାନେ ବି ନିବେଶ ପ୍ରତ୍ୟାହାର କରିନେଇଛନ୍ତି ଏବଂ ଏବେ ଜାପାନ, ତାଇୱାନ, କୋରିଆ ଏବଂ ୟୁରୋପ ଭଳି ବଜାର ଆଡ଼କୁ ମୁହାଁଇଛନ୍ତି।"

ତା’ ଛଡ଼ା ଭାରତର ଲଙ୍ଗ ଟର୍ମ ଓ ଶର୍ଟ ଟର୍ମ କ୍ୟାପିଟାଲ ଗେନ୍ସ ( ଦୀର୍ଘକାଳୀନ ଏବଂ ସ୍ୱଳ୍ପକାଳୀନ ପୁଞ୍ଜି ଲାଭ) (LTCG/STCG) ଟ୍ୟାକ୍ସ ଷ୍ଟ୍ରକ୍ଚର ଏବଂ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ (STT) ରେ ବୃଦ୍ଧି ମଧ୍ୟ ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି କାମଥ। ତାଙ୍କ ମତ ଅନୁସାରେ, ବିଦେଶୀ ନିବେଶକଙ୍କୁ ଭାରତୀୟ ମାର୍କେଟ୍‌କୁ ପୁଣିଥରେ ଫେରାଇ ଆଣିବାକୁ ହେଲେ ପ୍ରଥମେ ଏହି ଟିକସ ନିୟମଗୁଡ଼ିକୁ ଠିକ୍ କରିବାକୁ ପଡ଼ିବ। ଏହା ହିଁ ସବୁଠାରୁ ସହଜ କାର୍ଯ୍ୟ ହେବ ବୋଲି କାମାଥ ମତ ଦେଇଛନ୍ତି।

ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ ବିଦେଶୀ ନିବେଶକଙ୍କ ପଳାୟନର କାରଣ, ଓ ସେମାନଙ୍କୁ ଫେରାଇ ଆଣିବାକୁ ହେଲେ କ’ଣ କରିବାକୁ ପଡ଼ିବ? ସେ ନେଇ ନିଖିଲ କାମଥ କ’ଣ କହିଲେ, ତାହା ତ ଆପଣ ଜାଣିଲେ। ହେଲେ ଏ କ୍ଷେତ୍ରରେ ଜୋହୋ ଫାଉଣ୍ଡର ଶ୍ରୀଧର ଭେମ୍ବୁଙ୍କ ଦୃଷ୍ଟିକୋଣ କିନ୍ତୁ ଅଲଗା। ତାଙ୍କ ମତରେ ବିଦେଶୀ ନିବେଶ ଆସିବା ଯିବା ଜାରି ରହିବ। ଆତ୍ମନିର୍ଭରଶୀଳ ହେବା ସବୁଠୁ ଜରୁରୀ। ଏନେଇ ସେ ଜାପାନର ଉଦାହରଣ ବି ଦେଇଛନ୍ତି। ତେଣୁ ଜଣେ ନିବେଶକ ହିସାବରେ ଭେମ୍ବୁଙ୍କ ଦୃଷ୍ଟିକୋଣ ବି ଜାଣିବା ନିହାତି ଦରକାର।

 ଜାପାନ ମଡେଲର ଉଦାହରଣ ଦେଲେ ଭେମ୍ବୁ

ନୀତିନ କାମତଙ୍କ ପରାମର୍ଶ ଉପରେ ମତ ଦେଇ, ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ କିନ୍ତୁ ଏକ ଭିନ୍ନ ଦୃଷ୍ଟିକୋଣ ରଖିଛନ୍ତି। ଭେମ୍ବୁ କହିଛନ୍ତି ଜାପାନ କିନ୍ତୁ ନିଜର ଆର୍ଥିକ ଅଭିବୃଦ୍ଧି ସମୟରେ ବିଦେଶୀ ନିବେଶ ଉପରେ ନିର୍ଭର କରି ନଥିଲା। ବରଂ ଏହା ବଦଳରେ ବିଦେଶୀ ଟେକ୍ନୋଲୋଜୀ ଲାଇସେନ୍ସ ନେଲା, ଏଥିରୁ ନିଜେ ଶିଖିବା ସହ ଏଥିରେ ସୁଧାର କରି ସାରା ବିଶ୍ୱକୁ ପଛରେ ପକାଇ ଦେଲା। ତା’ ଛଡ଼ା ବିଦେଶୀ ନିବେଶ ନେଇ ସେ ସତର୍କ ମଧ୍ୟ କରାଇଛନ୍ତି। ସେ କହିଛନ୍ତି ଯେ ବିଦେଶୀ ସଂସ୍ଥାଗତ ନିବେଶ (FII) ସ୍ୱାଭବତଃ ଅସ୍ଥିର ହୋଇଥାଏ, ଏବଂ ପ୍ରାୟତଃ ବଜାରରେ 'କ୍ୟାସିନୋ' ଅର୍ଥାତ ଜୁଆ ଖେଳ ଭଳି ମାନସିକତାକୁ ପ୍ରୋତ୍ସାହିତ କରେ।

ନ୍ୟାସନାଲ ସିକ୍ୟୁରିଟିଜ୍ ଡିପୋଜିଟୋରୀ ଲିମିଟେଡର ରିପୋର୍ଟ ଅନୁସାରେ, ବର୍ଷ ଆରମ୍ଭରୁ ଏଯାଏ ଗତ ୪ ମାସର ରିପୋର୍ଟ ଦେଖିଲେ ଜାନୁଆରୀ, ମାର୍ଚ୍ଚ ଓ ଏପ୍ରିଲ୍‌ରେ ନିବେଶକ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ଜାନୁଆରୀ ମାସରେ ୨୯ ହଜାର ୨୪୦.୨୬ କୋଟି, ମାର୍ଚ୍ଚ ମାସରେ ସର୍ବାଧିକ ୧ ଲକ୍ଷ ୨୫ ହଜାର ୭୩୬.୪୦ କୋଟି ଓ ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ୫୮ ହଜାର ୯୦୭.୦୦ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି।

ଫେବ୍ରୁଆରୀ ରିପୋର୍ଟରେ ଶୁଭ ସଂକେତ

ଉପରୋକ୍ତ ତଥ୍ୟ ଦେଖିଲେ ମାର୍ଚ୍ଚ ମାସରେ ଐତିହାସିକ ଭାବେ ପୁଞ୍ଜି ପ୍ରତ୍ୟାହାର କରାଯାଇଛି। କିନ୍ତୁ ଫେବୃଆରୀରେ ଯେଉଁ ପୁଞ୍ଜି ନିବେଶ ବଢ଼ିଛି,ସେଥିରୁ ଜଣାପ଼ୁଛି ଯେ ବିଶ୍ୱ ପରିସ୍ଥିତି ସ୍ଥିର ରହିଲେ FPIs(Foreign Portfolio Investment ଫେରି ଆସିପାରେ। ବର୍ତ୍ତମାନ, ଭାରତୀୟ ବଜାରର ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ଦୃଢ଼ ଘରୋଇ ଚାହିଦା ଏବେ ବି ନିବେଶକମାନଙ୍କୁ ଆକର୍ଷିତ କରିବାର ସମ୍ଭାବନା ରଖିଛି। କିନ୍ତୁ ଯଦି ବାହ୍ୟ ବିପଦ କମ୍ ରହେ ତେବେ।

Also Read- EV Policy: ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି ଉପରେ ଲାଗିବନି ରୋଡ୍ ଟ୍ୟାକ୍ସ, ଦିଲ୍ଲୀ ସରକାର ଆଣୁଛନ୍ତି ନୂଆ ଇଭି ନୀତି

ଆତ୍ମନିର୍ଭରତା ଉପରେ ଗୁରୁତ୍ୱ

ଶ୍ରୀଧର ଭେମ୍ବୁଙ୍କ କହିବା କଥା ହେଲା ଯେ ଆମେ କେବଳ ଆର୍ଥିକ ସଂସ୍କାର ମାଧ୍ୟମରେ ସମୃଦ୍ଧି ହାସଲ କରିପାରିବୁ ନାହିଁ। ଏଥିପାଇଁ ଜାପନର କୌଶଳରୁ କିଛି ଶିଖିବାକୁ ପଡ଼ିବ। ଦୁର୍ବଳ ଜନସଂଖ୍ୟା ସତ୍ତ୍ୱେ ଜାପାନ କିଭଳି ଅନେକ ପ୍ରମୁଖ ଟେକ୍ନୋଲୋଜୀରେ ଆଶା ଠାରୁ ବି ଭଲ ପ୍ରଦର୍ଶନ କରି ଅନ୍ୟ ଦେଶଗୁଡ଼ିକ ଠାରୁ ଆଗରେ ରହିଛି, ତାହା ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଭେମ୍ବୁଙ୍କ କହିା ଅନୁସାରେ, ବିଦେଶୀ ନିବେଶକଙ୍କ ତାଳେ ତାଳେ ନାଚିବା ଅପେକ୍ଷା ଆମକୁ ଆମର ନିଜସ୍ୱ ଟେକ୍ନୋଲୋଜୀ ବିଶେଷଜ୍ଞତା ହାସଲ କରିବା ଉପରେ ଧ୍ୟାନ ଦେବା ଉଚିତ।

ଶ୍ରୀଧର ଭେମ୍ବୁ ତାଙ୍କ ଉଦାହରଣରେ ବାରମ୍ବାର ଜାପାନ କଥା ଉଲ୍ଲେଖ କରିଛନ୍ତି। ପ୍ରକୃତରେ ଜାପାନର ଅଭିବୃଦ୍ଧି ଦେଖିଲେ ଆପଣ ବି ହୁଏତ ଶ୍ରୀଧର ଭେମ୍ବୁଙ୍କ କଥାରେ ଏକମତ ହୋଇପାରନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନର ଆର୍ଥିକ ଅଭିବୃଦ୍ଧିର କାହାଣୀ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ୧୯୪୫ ମସିହା ଯୁଦ୍ଧରେ ଏକପ୍ରକାର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜାପାନ ୧୯୬୦ ଦଶକ ସୁଦ୍ଧା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହୋଇଗଲା। ଯାହା ଦେଖି ଆମେରିକା ବି କାବ୍ବା ହୋଇଯାଇଥିଲା। ଜାପାନର ଯାତ୍ରା ଖେମିତି ଥିଲା ପଢ଼ନ୍ତୁ ରିପୋର୍ଟ।

୧. ଜାପାନର ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ଯାତ୍ରା (୧୯୪୫-୧୯୯୦)

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ,ଜାପାନ ପାଖରେ ନା କୌଣସି ଭିତ୍ତିଭୂମି ଥିଲା ନା ସମ୍ବଳ।ତଥାପି,୧୯୫୦ ରୁ ୧୯୯୦ ମଧ୍ୟରେ,ଜାପାନ ପ୍ରାୟ ୧୦% ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ହାସଲ କରିଥିଲା। ଏହାକୁ ସେତେବେଳେ ଏକ "ଚମତ୍କାର" ବୋଲି କୁହାଯାଉଥିଲା।କାରଣ ଏହି ଅଭିବୃଦ୍ଧି ପାଇଁ ଜାପାନ କୌଣସି ପ୍ରାକୃତିକ ସମ୍ପଦ (ଯେପରିକି ତେଲ କିମ୍ବା ଖଣିଜ ପଦାର୍ଥ) ସାହାରା ନେଇ ନଥିଲା।

୨. ଜାପାନର ସଫଳତା ପଛେ ସ୍ୱତନ୍ତ୍ର ନୀତି ଓ ସାମାଜିକ ସୁଧାର

ବିଦେଶୀ ଟେକନିକର ବ୍ୟବହାର:ଜାପାନ ପ୍ରଥମେ ବିଦେଶୀ ଟେକ୍ନୋଲୋଜୀର ଲାଇସେନ୍ସ କିଣି ଏ ଦିଗରେ କାମ କରିବା ଆରମ୍ଭ କରିଦେଲା। ସେମାନେ କେବଳ ଏହାକୁ ନକଲ କଲେ ନାହିଁ ବରଂ ଏହାକୁ ଆହୁରି ଉନ୍ନତ କରି ନିଜ ମାର୍କେଟ୍କୁ ଉନ୍ନତ କରିଥିଲେ।(Keiretsu)କିରେଟ୍ଜୁ ସିଷ୍ଟମ-ଜାପାନରେ କମ୍ପାନୀ, ବ୍ୟାଙ୍କ ଏବଂ ସପ୍ଲାଏକାରୀମାନଙ୍କର ଏକ ଦୃଢ଼ ନେଟୱାର୍କ ବିକଶିତ କରାଗଲା। ଏହି କମ୍ପାନୀମାନେ ପରସ୍ପରକୁ ସହଯୋଗ କଲେ ଏବଂ ଦୀର୍ଘକାଳୀନ ନିବେଶ ଉପରେ ଧ୍ୟାନ ଦେଲେ।ଶିକ୍ଷା ଏବଂ ଦକ୍ଷତା:ଜାପାନ ଏହାର ଜନସଂଖ୍ୟାକୁ ଶିକ୍ଷିତ କରିବା ଓ ସେମାନଙ୍କୁ ଟେକ୍ନୋଲୋଜୀ କ୍ଷେତ୍ରରେ ଦକ୍ଷ କରାଇବା ପାଇଁ ବିପୁଳ ନିବେଶ କରିଥିଲା। ଯାହାଦ୍ୱାରା ଜାପାନର ଜନତା ଖୁବ୍ କୁଶଳୀ ଟେକ୍ନୋଲୋଜୀ ସମ୍ପନ୍ନ ହୋଇପାରିଥିଲେ।କ୍ୱାଲିଟି କଣ୍ଟ୍ରୋଲ ବା ମାନ ନିୟନ୍ତ୍ରଣ-ଜାପାନୀ କମ୍ପାନୀଗୁଡ଼ିକ "କାଇଜେନ୍" ବା ନିରନ୍ତର ସୁଧାରର ନୀତିକୁ ଗ୍ରହଣ କରିଥିଲେ। ଟୟୋଟା ଏବଂ ସୋନି ଭଳି କମ୍ପାନୀଗୁଡ଼ିକ ବିଶ୍ୱକୁ ଦେଖାଇଲେ ଯେ "ମେଡ୍ ଇନ୍ ଜାପାନ"ର ଅର୍ଥ ସବୁଠାରୁ ଭଲ କ୍ୱାଲିଟ ପ୍ରଡକ୍ଟ।

୩. ସରକାର ଓ ଉଧ୍ୟୋଗ ମଧ୍ୟରେ ତାଳମେଳ

ଜାପାନ ସରକାର, ଏବଂ ବିଶେଷକରି ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (MITI) ଶିଳ୍ପ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସରକାର ଇସ୍ପାତ, ଜାହାଜ ନିର୍ମାଣ ଏବଂ ପରେ ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଭଳି କ୍ଷେତ୍ରକୁ ପ୍ରୋତ୍ସାହିତ କରିଥିଲେ, ଯାହାକୁ ଭବିଷ୍ୟତ ପାଇଁ ଅତ୍ୟାବଶ୍ୟକ ଥିଲା। ତେଣୁ ଏ ଦିଗରେ ଜାପାନ ସାରା ବିଶ୍ୱରେ ପରିଚୟ ହାସଲ କଲା।

୪. ସଞ୍ଚୟ ଓ ନିବେଶ କଂସ୍କୃତି-

ଜାପାନୀ ଲୋକମାନେ ବହୁତ ସଞ୍ଚୟ କରୁଥିଲେ। ଆଉ ଏହି ସଞ୍ଚୟଗୁଡ଼ିକୁ ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ଦେଶର ଶିଳ୍ପଗୁଡ଼ିକରେ ନିବେଶ କରାଯାଇଥିଲା। କମ୍ପାନୀଗୁଡ଼ିକୁ ବିସ୍ତାର ପାଇଁ ବ୍ୟାଙ୍କ ଶସ୍ତା ଋଣ ଯୋଗାଇଥିଲା। ମାତ୍ର କିଛି ବର୍ଷ ମଧ୍ୟରେ ଏହାର ପରିଣାମ ଦେଖିଥିଲା ସାରା ବିଶ୍ୱ।

ଭାରତ ପାଇଁ ଶିକ୍ଷା

ଟେକ୍ନୋଲୋଜୀ ସାର୍ବଭୌମତ୍ୱ: ଭାରତ ବର୍ତ୍ତମାନ କେବଳ ଏକ ଆସେମ୍ବଲି ଲାଇନ ହୋଇଯାଇଛି। ନିଜସ୍ୱ ଟେକ୍ନୋଲୋଜୀ ବିକଶିତ କରିବା ଦିଗରେ ପଛରେ ପଡ଼ିଯାଇଛି। ତେଣୁ ଖାଲି ଆସେମ୍ବଲି ଲାଇନ ହୋଇ ରହିବା ଅପେକ୍ଷା ନିଃଜସ୍ୱ ଟେକ୍ନୋନୋଲୋଜୀର ବିକାଶ କରିବା ଦେଶ ପାଇଁ ଜରୁରୀ ହୋଇପଡ଼ିଛି।
କ୍ୱାଲିଟି ଉପରେ ଫୋକସ୍: ଭାରତୀୟ ଉତ୍ପାଦଗୁଡ଼ିକୁ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବା ପାଇଁ ହେଲା ଏହାର ଗୁଣାତ୍ମକ ମାନକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ଯାହା ଉପରେ ସରକାର ଅଧିକ ଫୋକସ କରିବା ଉଚିତ।
FII ବନାମ ସ୍ଥିରତା: ବିଦେଶୀ ପୋର୍ଟଫୋଲିଓ ନିବେଶ (FII) ର ଉତ୍ଥାନ-ପତନ ଉପରେ ନିର୍ଭର କରିବା ଅପେକ୍ଷା ଘରୋଇ ସଞ୍ଚୟ ଏବଂ ଦୀର୍ଘକାଳୀନ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିବା ଅଧିକ ସ୍ଥାୟୀ ହେବ। ଏଥିରେ ଭାରତୀୟ ଅର୍ଥନୀତି ଭିତରୁ ମଜଭୁତ ହେବ।

Also Read- Rubio India Visit: ମେ’ରେ ଭାରତ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ, ସୂଚନା ଦେଲେ ସର୍ଗିଓ ଗୋର୍

ଜାପାନ ସାରା ବିଶ୍ୱ ପାଇଁ ଏକ ଉଦାହରଣ ହୋଇପାରେ। ଜାପାନର କେସ୍ ଷ୍ଟଡି ଏହା ପ୍ରମାଣ କରୁଛି ଯେ ଯଦି କୌଣସି ଦେଶ ଏହାର ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଆଭ୍ୟନ୍ତରୀଣ ଶୃଙ୍ଖଳା ଉପରେ ଧ୍ୟାନ ଦିଏ, ତେବେ ଏହା ବିଦେଶୀ ଆର୍ଥିକ ନିବେଶ (FII) ବିନା ମଧ୍ୟ ଏକ ବିଶ୍ୱ ସୁପରପାୱାର ହୋଇପାରିବ। ଆଉ ଭାରତ ପାଖରେ ଏହି ସମ୍ଭାବନା ଅଛି। ହେଲେ ସରକାରୀ ଉଦାସୀନତା, ଦୁର୍ନୀତି ଓ ଦୁର୍ବଳ ସିଷ୍ଟମ ଏ କ୍ଷେତ୍ରରେ ବାଧକ ସାଜୁଛି।