ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ରସୁଲଗଡ଼ ଛକରୁ ଡମଣା ଛକ ପର୍ଯ୍ୟନ୍ତ ସିରିଜ ଦୁର୍ଘଟଣା ଘଟାଇଲା ଇଭି କାର୍ । ରାସ୍ତାରେ ଯାଉଥିବା ଏକାଧିକ ଗାଡ଼ି ସହ ଲୋକଙ୍କୁ ମଧ୍ୟ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଇଭି କାର୍ଟି ରସୁଲଗଡ଼ ଛକରୁ ଡମଣା ଛକ ଆଡ଼କୁ ଯାଉଥିବା ବେଳେ ବାଟରେ ଏକାଧିକ ଗାଡ଼ି ଓ ଲୋକଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ କାର୍ଟି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ଏହାର ପିଛା କରିଥିଲେ। ଶେଷରେ ଭିଏସ୍ଏସ୍ ନଗର ଅଞ୍ଚଳରୁ ଚାଳକଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ।

ଚାଳକଙ୍କୁ ଧରିବା ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାଡ଼ ମାରିବା ସହ କାର୍ଟିକୁ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତିନୋଟି ପିସିଆର୍ ଭ୍ୟାନ୍ ସହ ଚନ୍ଦ୍ରଶେଖରପୁର ଥାନାର ଅଧିକାରୀ ଓ କର୍ମଚାରୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ପରେ ଚାଳକଙ୍କୁ ନିଜ ହେପାଜତକୁ ନେଇ ଥାନାକୁ ନେଇଛି ପୋଲିସ।

ତେବେ ଅଭିଯୁକ୍ତ ଚାଳକଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ କ’ଣ ଏବଂ ଦୁର୍ଘଟଣାରେ କେତେ ଜଣ ଆହତ ହୋଇଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।