ବ୍ରହ୍ମପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ବୁଧବାର ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଉଛନ୍ତି ବ୍ରହ୍ମପୁର ଗଜପତି ନଗରର ରୋଜାଲିନ ମିଶ୍ର । ସେହିଭଳି ଏହି ଦୁର୍ଘଟଣାରେ ୯ ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ପଠାଇଥିଲେ ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଚମାଖଣ୍ଡି ଛକ ନିକଟରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ପ୍ରଥମେ ଧକ୍କା ହୋଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ୫ ବାଇକ୍ ଓ ଏକ ସାଇକଲକୁ ଧକ୍କା ଦେବାରୁ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏହି ଦୁଇ ଗାଡ଼ି ତଳେ ବାଇକ ଓ ସାଇକେଲ ଚାପି ହୋଇ ରହିଛି । ମୃତ ରୋଜାଲିନ ମିଶ୍ରଙ୍କ ସେ ଛତ୍ରପୁର ଟ୍ରେଜେରି ଅଫିସରେ କାର୍ଯ୍ୟରତ ଥିଲେ । ତେବେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।

ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିବା ଯୋଗୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଖବର ପାଇ ଗଞ୍ଜାମ ଏସ୍ପି ହରିଶ ବିଶି, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ବହୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଓ ପ୍ରଶାସନ ସହ ଆଲୋଚନା କରି ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଦୁର୍ଘଟଣା ରୋକିବା ପାଇଁ ଓଭରବ୍ରିଜ୍ ନିର୍ମାଣ, ଜାତୀୟ ରାଜପଥରେ ପୁଲିସ ମୁତୟନ ଏବଂ ବ୍ୟାରିକେଡ୍ ବ୍ୟବସ୍ଥା କରିବା ନେଇ ଦାବି କରିଥିଲେ। ପୁଲିସ ଓ ପ୍ରଶାସନ ସହ ଆଲୋଚନା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ହଟାଇଥିଲେ। ଫଳରେ ଜାତୀୟ ରାଜପଥରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଛି ।

Also Read: ନିଜ ଘରେ ଫ୍ୟାନରେ ଝୁଲି ପଡ଼ିଲେ ARI, କାରଣ ଖୋଜୁଛି ପୋଲିସ

ଆହତମାନେ ହେଲେ କୃଷ୍ଣ ବିଶୋଇ, ଟି. କ୍ରିଷ୍ଣା, ବିକାଶ ରାଜପୁତ, ବିନୋଦ କୁମାର, ରୋଷନ ନାହାକ,ଲଷ୍ମୀଧର ଗୌଡ଼, ପ୍ରଭାକର ନାହାକ, ଲିପିସା ରାଣୀ, ମୋହନ ଚନ୍ଦ୍ର, ଏନ ୟସୱନ୍ତ ରେଡ୍ଡୀ ଏବଂ ଚନ୍ଦନ ରାଉଳ । ଛତ୍ରପୁର ବିଧାୟକ କୃଷ୍ଣ ନାୟକ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସମସ୍ତ୯ ଆହତଙ୍କ ଉତ୍ତମ ଚିକିତ୍ସା କରାଯାଉଛି l ସେମାନଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ମେଡିକାଲ ସୁପରିନଟେଣ୍ଡେଣ୍ଟ l