ଭୁବନେଶ୍ୱର, ୦୨/୦୯: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର କମଳାଙ୍ଗ, ମାନପୁର, କୁରୁଣ୍ଟି ଆଦି ଗ୍ରାମ ନିକଟ ନଦୀରେ କୁମ୍ଭୀର ଦେଖାଦେଇଛି। ନଦୀରେ ଏକ ବଡ଼ କୁମ୍ଭୀରକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମର ୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବନ୍ୟାଜଳ ସହ କୁମ୍ଭୀର ଭାସି ଆସି ବ୍ରାହ୍ମଣୀ ନଦୀରେ ପହଞ୍ଚିଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ଧରି ନଦୀର ବିଭିନ୍ନ ସ୍ଥାନରେ କୁମ୍ଭୀରଟି ଦେଖାଦେଉଥିବାରୁ ନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ଆତଙ୍କ ଖେଳିଯାଇଛି।

ପ୍ରଥମେ କମଳାଙ୍ଗ ନିକଟସ୍ଥ ବ୍ରାହ୍ମଣୀ ନଦୀରେ କୁମ୍ଭୀରଟି ଦେଖାଦେଇଥିଲା। ନଦୀରେ କୁମ୍ଭୀର ଦେଖାଯିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଅନେକ ଲୋକ ନଦୀକୁ ଯିବା ସମୟରେ ସତର୍କତା ଅବଲମ୍ବନ କରୁଥିବା ବେଳେ ନଦୀରେ ଗାଧୋଇବା, ମାଛ ଧରିବା ଓ ଅନ୍ୟାନ୍ୟ କାମ ପାଇଁ ଯାଉଥିବା ଲୋକେ ମଧ୍ୟ ଚିନ୍ତାରେ ରହିଛନ୍ତି। ଇତିମଧ୍ୟରେ ଦୁଇଦିନ ତଳେ କୁରୁଣ୍ଟି ଗ୍ରାମ ନିକଟରେ ଏବଂ କୁସୁପଙ୍ଗାଠାରେ ଥିବା ଟାଟା ଷ୍ଟିଲ୍ ପମ୍ପ ହାଉସ୍ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ପୁଣିଥରେ କୁମ୍ଭୀରଟି ଦେଖାଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଖବର ପାଇବା ପରେ ଟାଟା ଷ୍ଟିଲର କିଛି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପମ୍ପ ହାଉସ୍ ଏବଂ ନଦୀକୂଳବର୍ତ୍ତୀ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ କୁମ୍ଭୀରଟି କେଉଁଠାରୁ ଆସିଛି ଏବଂ ନଦୀରେ ଆଉ କେତେ କୁମ୍ଭୀର ରହିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ନଦୀକୂଳର ବିଭିନ୍ନ ସ୍ଥାନରେ କୁମ୍ଭୀର ଦେଖାଯାଉଥିବା ଖବର ମିଳୁଥିବାରୁ ସ୍ଥାନୀୟ ଲୋକେ ଏବେ ନଦୀ ନିକଟକୁ ଯିବାକୁ ଭୟ କରୁଛନ୍ତି । ବିଶେଷକରି ସକାଳ ଓ ସଂଧ୍ୟା ସମୟରେ ନଦୀକୂଳକୁ ଯାଉଥିବା ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।\

Also Read :- ବଢି଼ଲା ଅଣ୍ଡା ରେଟ୍ : ଛୁଇଁଲା ୮ ଟଙ୍କା, E-20 ପେଟ୍ରୋଲ ପାଇଁ ସବୁ ମହଙ୍ଗା !

ପ୍ରଶାସନ ଓ ବନ ବିଭାଗ ତୁରନ୍ତ ଘଟଣାର ତଦନ୍ତ କରି କୁମ୍ଭୀରର ଗତିବିଧି ଉପରେ ନଜର ରଖୁବା ସହ ନଦୀକୂଳବର୍ତ୍ତୀ ଗ୍ରାମଗୁଡ଼ିକର ଲୋକଙ୍କୁ ସତର୍କ କରାଇବାକୁ ଦାବି କରିଛନ୍ତି। ଆବଶ୍ୟକ ସ୍ଥାନରେ ସତର୍କତା ସୂଚନା ଫଳକ ଲଗାଇବା ସହ ନଦୀକୂଳକୁ ଯାଉଥିବା ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ଦାବି ହୋଇଛି। କୁମ୍ଭୀରଟିର ଗତିବିଧି ଉପରେ ତୁରନ୍ତ ନଜର ରଖାନଗଲେ ଆଗାମୀ ଦିନରେ କୌଣସି ଅଘଟଣ ଘଟିବାର ଆଶଙ୍କା ରହିଛି।