ଭୁବନେଶ୍ୱର, ୦୨/୦୯: ବର୍ଷା ଉଜାଡ଼ିଦେଲା ପରିବା । ଭରସା ଥିଲା ଅଣ୍ଡା ଉପରେ । କିଛି ନଥିଲେ, ଭାତ ଓ ଅଣ୍ଡା ତରକାରୀରେ ପେଟ ପୂରିଯାଉଥିଲା। ହେଲେ ତା ଉପରେ ବି ବଜ୍ର ପଡ଼ିଲାଣି। ମାତ୍ର ଦୁଇ ଦିନ ମଧ୍ୟରେ ଗୋଟା ଅଣ୍ଡା ଦର ୬ଟଙ୍କାରୁ ୮ଟଙ୍କା ବଢ଼ିଯାଇଛି। ଆଗକୁ ଦର ଆହୁରି ବଢ଼ିବ। ଯଦି ଏମିତି ହୁଏ, କେବଳ ଗରିବଙ୍କ ଆହାରରେ ପାହାର ହେବନି ବରଂ ସ୍କୁଲ ଓ ଅଙ୍ଗନବାଡ଼ି ପିଲାଙ୍କ ପତ୍ରରେ ଅଣ୍ଡା ସଙ୍କଟ ଦେଖାଦେବ।

Also Read :- ନନ୍ଦନକାନନରେ ଅଘଟଣ : ଆକ୍ରମଣ କଲା ବାଘ, ଯୁବକଙ୍କୁ ମାରିଲା ପଞ୍ଝା

ଗୋଟିଏ ପଟେ ବ୍ରଏଲର ଦର ବଢୁଛି। ତାକୁ ତାଳ ଦେଇ ଅଣ୍ଡା ଦର ବି ଉପରକୁ ଉଠୁଛି । ଏବେ ବଜାରରେ ଗୋଟା ଅଣ୍ଡା ଦର ଆସି ୮ ହେଲାଣି। ବ୍ୟବସାୟୀଙ୍କ ଗୋଟିଏ ଯୁକ୍ତି, କୁକୁଡ଼ା ଦାନା ଦର ବଢ଼ୁଥିବାରୁ ଅଣ୍ଡା ଦର ବଢୁଛି। ଗ୍ରାହକଙ୍କ ଅଭିଯୋଗ, ଜାତୀୟ ଅଣ୍ଡା ସଂଯୋଜନା କମିଟି( ଏନଇସିସି) ଓଡ଼ିଶାରେ ଅଣ୍ଡା ଗୋଟା ୫.୮୫ ପଇସା ଧାର୍ଯ୍ୟ କରିଛି। କେବଳ ପରିବହନ ଖର୍ଚ୍ଚ ଯୋଗୁ ଆଉ ୨୫ ପଇସା ବଢ଼ିବ। ହେଲେ ଏହାକୁ ବେପାରୀ ମାନୁନାହାନ୍ତି।

ନିଖିଳ ଓଡ଼ିଶା ନନଭେଜ୍ ଟ୍ରେଡର୍ସ ଆସୋସିଏସନର ସୂଚନା ଅନୁସାରେ, ଏବେ ଗୋଟିଏ ଟ୍ରେ ଅଣ୍ଡାର ଦାମ୍ ୧୨୭୦ ଟଙ୍କା । ଗୋଟିଏ ଟ୍ରେରେ ୨୧୦ଟି ଅଣ୍ଡା ଥାଏ। ତେଣୁ ଗୋଟିଏ ଅଣ୍ଡା ଦାମ ୬ଟଙ୍କା ହେବ। ସେଥିରେ ପରିବହନ ଖର୍ଚ୍ଚ ମିଶିଲେ ଦର ୬ଟଙ୍କା ୫୦ ପଇସା ମଧ୍ୟରେ ରହିବା କଥା। ହେଲେ ରାଜଧାନୀ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଅଣ୍ଡା ଦର ସାଢ଼େ ୭ ଟଙ୍କାରୁ ୮ଟଙ୍କା ପର୍ଯ୍ୟନ୍ତ ରହିଛି।

ବିଶେଷଜ୍ଞଙ୍କ କହିବା କଥା, କୁକୁଡ଼ା ଖାଦ୍ୟର ଏକ ବଡ଼ ଅଂଶ ହେଉଛି ମକା। କିନ୍ତୁ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ବହୁ ପରିମାଣର ମକାକୁ ଇଥାନଲ ଉତ୍ପାଦନରେ ବ୍ୟବହାର କରାଯାଉଛି। ଫଳରେ କୁକୁଡ଼ା ଖାଦ୍ୟ ପାଇଁ ମକାର ଅଭାବ ଦେଖାଦେଇଛି ଏବଂ ମକାର ଦାମ ବଢ଼ିଯିବା ଯୋଗୁଁ କୁକୁଡ଼ା ପାଳନର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । କେଜି ପିଛା ମକା ୧୭ଟଙ୍କାରୁ ୨୬ ଟଙ୍କା ହୋଇଥିବା ବେଳେ ସୋୟା ମଞ୍ଜି ଦର ମଧ୍ଯ ୩୫ଟଙ୍କାରୁ ୬୮ଟଙ୍କା ହୋଇଯାଇଛି। ଏଭଳି ସ୍ଥିତି ଲାଗି ରହିଲେ ଅଣ୍ଡା ଦର ଆହୁରି ବଢ଼ିବ।

ଅଣ୍ଡା ଦର ବଢ଼ିବା ଯୋଗୁ ଏବେ ସ୍କୁଲ ଓ ଅଙ୍ଗନବାଡ଼ି କର୍ମୀଙ୍କ ଚିନ୍ତା ଘାରିଛି। ସରକାର ଅଙ୍ଗନବାଡ଼ିରେ ପଢ଼ୁଥିବା ପ୍ରତି ପିଲାଙ୍କ ଅଣ୍ଡା ପାଇଁ ୭ଟଙ୍କା ଦେଉଛନ୍ତି। ହେଲେ ଦର ଆହୁରି ୧ଟଙ୍କା ଅଧିକ ହେଲାଣି। ଗତମାସ ଅଣ୍ଡା ଦର ୯ଟଙ୍କା ହୋଇଥିବା ବେଳେ ଅଙ୍ଗନବାଡ଼ି କର୍ମୀମାନେ ସରକାରଙ୍କୁ ସମସ୍ୟାର ସମାଧାନ ପାଇଁ ନେହୁରା ହୋଇଥିଲେ । ସେହିପରି ପୁଷ୍ଟି ସହାୟତା ପାଇଁ ୧୧ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ମାସକୁ ୧୬ଟି ଅଣ୍ଡା, ଅତିଶୟ ପୃଷ୍ଟିହୀନ ଶିଶୁ, ଗର୍ଭବତୀ, ପ୍ରସୂତି ମହିଳା, ୬ମାସରୁ ୩ବର୍ଷ ଯାଏ ସାଧାରଣ ଶିଶୁଙ୍କୁ ମାସକୁ ୧୨ଟି ଅଣ୍ଡା ମିଳୁଛି। ଯଦି ଦର ବଢ଼େ ଏସବୁ ପ୍ରଭାବିତ ହେବେ। ଓଡ଼ିଶାରେ ମୁଣ୍ଡପିଛା ବର୍ଷକୁ ଅଣ୍ଡାର ଉତ୍ପାଦନ ହେଉଛି ୮୦ଟି । ହେଲେ ଆବଶ୍ୟକତା ରହିଛି ୧୮୩ଟି। ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ଦୈନିକ ପ୍ରାୟ ୧ କୋଟି ୧୭ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି | ହେଲେ ଦରକାର ୧ କୋଟି ୮୦ଲକ୍ଷ । ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ରାଜ୍ୟରେ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି ।