ନୂଆଦିଲ୍ଲୀ: ବିଶ୍ୱ ଫୁଟବଲର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ବିଶ୍ବକପ୍‌ ଖେଳିବେ ନାହିଁ । ଏନେଇ ଖୋଦରୋନାଲ୍ଡୋ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି  । ସେ କହିଛନ୍ତି ଯେ, ଚଳିତ ବିଶ୍ୱକପ୍‌ ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍‌ । ସୋମବାର ଡାଲାସ୍‌ଠାରେ ପର୍ତ୍ତୁଗାଲ ଏବଂ ସ୍ପେନ୍ ମଧ୍ୟରେ ଖେଳାଯିବାକୁ ଥିବା ପ୍ରି-କ୍ୱାର୍ଟରଫାଇନାଲ୍ (Last-16) ମ୍ୟାଚ୍ ପୂର୍ବରୁ ସେ ଏହି ବଡ଼ ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ପାଇଁ ତାଙ୍କର କୌଣସି ଅବଶୋଷ ନାହିଁ।

୪୧ ବର୍ଷୀୟ ରୋନାଲ୍ଡୋ ନିଜ କ୍ୟାରିୟରର ରେକର୍ଡ ଷଷ୍ଠ ବିଶ୍ୱକପ୍ ଖେଳୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀର ଶେଷ ଆଡ଼କୁ ସେ ନିଜ ସନ୍ୟାସ ଘୋଷଣା କରିଛନ୍ତି । ସେ କହିଛନ୍ତି,‘ଏହା ମୋର ଶେଷ ବିଶ୍ୱକପ୍ ହେବାକୁ ଯାଉଛି। ମୁଁ ଆଶା କରୁଛି ଯେ, ଆସନ୍ତାକାଲିର ମ୍ୟାଚ୍‌ (ସ୍ପେନ୍ ବିପକ୍ଷରେ) ମୋର ଶେଷ ମ୍ୟାଚ୍ ନହେଉ।’

ତାଙ୍କର ଏହି ଭାବୁକ ବୟାନ ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ତାଳି ମାରି ତାଙ୍କୁ ସମ୍ମାନ ଜଣାଇଥିଲେ। ମାଞ୍ଚେଷ୍ଟର ୟୁନାଇଟେଡ୍ ଏବଂ ରିୟଲ ମାଡ୍ରିଡର ଏହି ପୂର୍ବତନ ତାରକା ଷ୍ଟ୍ରାଇକର ପୂର୍ବରୁ ଏହା ତାଙ୍କର ଶେଷ ବିଶ୍ୱକପକି ନାହିଁ, ସେ ନେଇ ସ୍ପଷ୍ଟ କରୁନଥିଲେ। କାରଣ ୨୦୩୦ ବିଶ୍ୱକପ୍ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିବ। ପ୍ରଥମେ ସେ କହିଥିଲେ, ‘ମୁଁ କେବେ ଅବସର ନେବି, ତାହା ମୁଁ ନିଜେ ସ୍ଥିର କରିବି। ଆପଣମାନେ ସବୁବେଳେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି। କିନ୍ତୁ ବର୍ତ୍ତମାନ ଉଛି ଆସନ୍ତାକାଲି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ।’

ରୋନାଲ୍ଡୋ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି କୌଣସି ଅଭାବ ବା ଆବଶ୍ୟକତା ପାଇଁ ଫୁଟବଲ ଖେଳୁନାହାନ୍ତି, ବରଂ ଏହା ତାଙ୍କର ଫୁଟବଲ୍‌ ଖେଳ ପ୍ରତି ଭଲପାଇବା। ସେ ନିଜ ଦେଶ ପାଇଁ ଖେଳିବାକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ମ୍ୟାଚ୍ ଜିତିବା ପାଇଁ ସେ ନିଜ ଉପରେ କୌଣସି ପ୍ରକାରର ମାନସିକ ଚାପ ପକାଇବାକୁ ଚାହାନ୍ତି ନାହିଁ।