ଟେକ୍ସାସ,|୦୭ପର୍ତ୍ତୁଗାଲ-ସ୍ପେନ ମ୍ୟାଚ୍ ସୋମବାର ରାତି ୧୨ଟା ୩୦ ମିନିଟରୁ ଆରମ୍ଭ ହେବ। ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟରରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖୁଛନ୍ତି।

ସେ କହିଛନ୍ତି, ସ୍ପେନ ବିଶ୍ୱକପ୍ ଟାଇଟଲ ଦାବିଦାର ରହିଛି। କିନ୍ତୁ ଆମେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ଉପରେ ଧ୍ୟାନ ଦେଉଛୁ। ନିଜ ସଂପର୍କରେ ରୋନାଲ୍ଡୋ କହିଥିଲେ, ମୋତେ ୧୮ ବର୍ଷ ବୟସ ହୋଇଥିଲା, ମୁଁ ଜାତୀୟ ଦଳରେ ସାମିଲ ହୋଇଥୁଲି। ସେବେଠୁ ସବୁବେଳେ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛି। ଆଜି ମଧ୍ୟ ଦେବାକୁ ପ୍ରୟାସ କରୁଛି। ପୂର୍ବରୁ ମଧ୍ୟ କହିଥିଲି, ଆଜି ବି କହୁଛି, ଯେବେ ଚାହିଁବି ମୁଁ ଅବସର ନେବି। ତେଣୁ ଏଭଳି ପ୍ରଶ୍ନ ମୋତେ ବାରମ୍ବାର ପଚାରିବା ସମୟ ଅପଚୟ ଛଡ଼ା କିଛି ନୁହେଁ। ତେଣୁ ଅବସରକୁ ନେଇ କିଛି ଚିନ୍ତା କରୁନି।

ସେ ଆହୁରି କହିଛନ୍ତି ଯେ, ଏବେ ଆମର ଫୋକସ ହେଉଛି ସ୍ପେନ ବିପକ୍ଷ ମ୍ୟାଚ ଉପରେ। ଆମେ ଏହି ମ୍ୟାଚରେ କିଭଳି ଭଲ ପ୍ରଦର୍ଶନ କରିବୁ ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବା ଉପରେ ଆମେ ଅଧିକ ଧ୍ୟାନ ଦେଉଛୁ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।