ପଟ୍ଟାମୁଣ୍ଡାଇ,୧୨|୦୭: ନଦୀରେ ଗାଧୋଉଥିବା ଜଣେ ମହିଳାଙ୍କ ପିନ୍ଧା ଶାଢ଼ି କାନିକୁ ଝାମ୍ପି ମହିଳାଙ୍କୁ ପାଣି ଭିତରକୁ ଘୋଷାରି ନେବାକୁ ବସିଥିଲା କୁମ୍ଭୀର। ମହିଳା ଜଣକ ସାହସର ସହ ଉପସ୍ଥିତ ବୁଦ୍ଧି ଖଟାଇ ଶାଢ଼ିକୁ ଫିଙ୍ଗି କୂଳକୁ ଧାଇଁ ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କୁମ୍ଭୀର ମୁହଁରୁ। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅମୃତମଣୋହି ସ୍କୁଲ ସମ୍ମୁଖ ବ୍ରାହ୍ମଣୀ ନଦୀ ତୁଠରେ। ଏ ଖବର ପ୍ରଚାରିତ ହେବା ପରେ ସମଗ୍ର ପଟ୍ଟାମୁଣ୍ଡାଇ ଓ ଆଳି ବ୍ଳକ୍ ବ୍ରାହ୍ମଣୀ ନଦୀକୂଳିଆ ଗ୍ରାମରେ ଆତଙ୍କ ଖେଳିଯାଇଛି।

ମିଳିଥିବା ବିବରଣୀରୁ ପ୍ରକାଶ, ଅମୃତମଣୋହି ଗ୍ରାମର ସ୍ୱର୍ଗତ ରମେଶ ସେଠୀଙ୍କ ପତ୍ନୀ ବେଙ୍ଗୁଲି (୫୯) ଶନିବାର ମଧ୍ୟାହ୍ନରେ କପଡ଼ା ସଫା କରି ଗାଧୋଇବାକୁ ବ୍ରାହ୍ମଣୀ ନଦୀ ତୁଠକୁ ଯାଇଥିଲେ। ସେ ନଦୀରେ ଗାଧୋଉଥିବା ବେଳେ କୁମ୍ଭୀର ତାଙ୍କ ଶାଢ଼ି କାନିକୁ କାମୁଡ଼ି ଟାଣି ନେବାକୁ ବସିଥିଲା। ବେଙ୍ଗୁଲି ତୁରନ୍ତ ଶାଢ଼ିକୁ ଖୋଲି କୂଳକୁ ଆଖି ପିଛୁଳାକେ ଦୌଡ଼ି ପଳାଇ ଆସିବା ଫଳରେ କୁମ୍ଭୀରର ନିଶ୍ଚିତ ଆକ୍ରମଣରୁ ବର୍ଷି ଯାଇଥିଲେ।

Also Read :- ଘରେ ପଶିଯାଉଛି ସାପ ! ରୁହନ୍ତୁ ସତର୍କ...ଏହି ସବୁ କାରଣ ପାଇଁ ବଢୁଛି ସର୍ପାଘାତ ବିପଦ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଯଦି ସେ ପିନ୍ଧିଥିବା ଶାଢ଼ିକୁ ଖୋଲି ଫିଙ୍ଗି ନଥାନ୍ତେ, ତେବେ ମୁହୂର୍ଭକ ଭିତରେ କୁମ୍ଭୀର ତାଙ୍କୁ ଟାଣି ନେଇଥାଆନ୍ତା। ଖବର ପାଇ ଅମୃତମଣୋହି, ଅଣ୍ଢରା ଗାଁର ଶତାଧିକ ଲୋକ ସାହି ତୁଠରେ ପହଞ୍ଚି ବେଙ୍ଗୁଲିଙ୍କଠାରୁ ସବୁ କଥା ପଚାରି ବୁଝିଥିଲେ। ଅନ୍ୟ ପକ୍ଷରେ ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଆତଙ୍କ ଖେଳାଉଥିଲେ ହେଁ ପ୍ରଶାସନ ସେଭଳି କୌଣସି ଠୋସ୍ ପଦକ୍ଷେପ ନେଉ ନଥୁବାରୁ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା।

ନଦୀକୂଳିଆ ଲୋକମାନେ ସବୁ କାମ ପାଇଁ ବ୍ରାହ୍ମଣୀ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ଓ ବନ ବିଭାଗ ମୁଣ୍ଡ ଖେଳାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବନ ବିଭାଗ ଅତ୍ୟାବଶ୍ୟକ ସ୍ଥାନମାନଙ୍କରେ ଯଥାଶୀଘ୍ର ମଜବୁତ ତାରବାଡ଼ ନିର୍ମାଣ କରିବା ଲାଗି ମତ ପ୍ରକାଶ ପାଇଥିଲା ।