ଭୁବନେଶ୍ବର ୮।୧: ବୋମା ଧମକ ସତ୍ତ୍ବେ ସ୍ବାଭାବିକ ହେଲା କୋର୍ଟ କାର୍ଯ୍ୟ । କଟକ, ଦେବଗଡ଼, ସମ୍ବଲପୁର ଜିଲ୍ଲା କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଥିବା ଜଣାପଡିଛି । ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ଓ ପୋଲିସର ଯାଞ୍ଚ ପରେ କାର୍ଯ୍ୟ ଆରମ୍ଭ ହୋଇଛି । ସେହିଭଳି ସ୍ବାଭାବିକ ହୋଇଛି ହାଇକୋର୍ଟଙ୍କ କାର୍ଯ୍ୟ । ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଆଉ ୩ ବିଚାରପତି ଆରମ୍ଭ କରିଥିଲେ ଶୁଣାଣି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଦେବଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲା କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା । ତେବେ ପରେ ଜଣାପଡ଼ିଥିଲା ଯେ ଏହା ଏକ ଗୁଜବ ସୃଷ୍ଟିକାରୀ ଇ-ମେଲ୍‌ ଥିଲା । ଦେଶର ଆଉ ୬ଟି ରାଜ୍ୟରେ ମଧ୍ୟ ସମାନ ଧରଣର ମେଲ୍‌ ଆସିଥିବା ବେଳେ ସେଠାରେ ମଧ୍ୟ ଚେକିଂ କରାଯାଇଥିଲା ।

ସମୟ ସକାଳ ୯ଟା ୨୨। ଦେବଗଡ଼ ଜିଲ୍ଲା କୋର୍ଟକୁ ଆସିଥିଲା ଧମକପୂର୍ଣ୍ଣ  ଇ-ମେଲ୍‌ । ସମୟ ଦିନ ୧୧ଟା ୩୦। ଖବର ରାଷ୍ଟ୍ର ହୋଇଗଲା । କୋର୍ଟ ପରିସର ବଢ଼ାଗଲା ସୁରକ୍ଷା । C-4 RDX ବ୍ୟବହାର କରି କୋର୍ଟ ପରିସରକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଆଉ ଏଥିପାଇଁ ସମୟ ଦିଆଯାଇଥିଲା ଦିନ ୨ଟା ୩୫ । ଦେବଗଡ଼, ସମ୍ବଲପୁର ଏବଂ କଟକର କୋର୍ଟକୁ ବୋମାରେ ଉଡାଇବା ପାଇଁ ଆସିଥିଲା ଧମକପୂର୍ଣ୍ଣ ମେଲ୍‌ । ଯେଉଁଥିପାଇଁ ଏସବୁ କୋର୍ଟରେ ଜୋରଦାର କରାଯାଇଥିଲା ଅପରେସନ । ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ଖାନତଲାସିରେ ଲାଗିଥିଲେ । ଏଥିସହିତ କୋର୍ଟ ପରିସରରୁ ବିଚାରପତି, ଆଇନଜୀବୀ, କର୍ମଚାରୀ ଓ ସାଧାରଣ ଲୋକଙ୍କୁ ବାହାର କରାଯାଇଥିଲା ।

ଯଦିଓ ହାଇକୋର୍ଟକୁ ଲକ୍ଷ୍ୟ କରି ସିଧାସଳଖ ଧମକ ଆସିନଥିଲା ତଥାପି ସେଠାରେ ସ୍ବତନ୍ତ୍ର ସୁରକ୍ଷା ବାହିନୀ ଆକ୍ସନକୁ ଆସିଥିଲେ । ଚାଲିଥିଲା ଜୋରଦାର ଅପରେସନ । ସେହିପରି ରାଜ୍ୟର ଅନ୍ୟ କୋର୍ଟ ଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା । ଜଗତସିଂହପୁର କୋର୍ଟ ଏବଂ ଜୟପୁର କୋର୍ଟର ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା । ସତର୍କତା ଭାବେ କୋର୍ଟ କାର୍ଯ୍ୟ ବନ୍ଦ କରାଯାଇ ସେଠାରେ ସୁରକ୍ଷା ବଢ଼ାଯାଇଥିଲା । ତେବେ ହାଇକୋର୍ଟରେ ମୁଖ୍ୟ ବିଚାରପତି କୋର୍ଟ କାର୍ଯ୍ୟ ଜାରି ରଖିଥିଲେ । ହାଇକୋର୍ଟ ପରିସରରେ ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଥିଲା । ଏଥିସହିତ ଧିରେ ଧିରେ ସ୍ବାଭାବିକ ହୋଇଥିଲା କୋର୍ଟ କାର୍ଯ୍ୟ । ହାଇକୋର୍ଟ ପରିସରକୁ ନିଜେ ପୋଲିସ ଡିଜି ଯାଇ ସ୍ଥିତି ପରଖିଥିଲେ ।

ଦେଶର ଆହୁରି ୬ଟି ରାଜ୍ୟର ହାଇକୋର୍ଟ ଓ ଜିଲ୍ଲା କୋର୍ଟ ଗୁଡ଼ିକୁ ମଧ୍ୟ ସମାନଧରଣର ଧମକପୂର୍ଣ୍ଣ ଚିଠି ଆସିଥିଲା । ତେବେ ସମୟ ଗଡ଼ିବା ସହିତ ଜଣା ପଡ଼ିଥିଲା ଏସବୁ କିଛି ଗୁଜବ ଥିଲା । ତଥାପି ବି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର  ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସବିଶେଷ ତଥ୍ୟ ସଂଗ୍ରହ କରି ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଘଟଣାର ତଦନ୍ତ ଆରମ୍ଭ ହୋଇଛି, ଉଭୟ କ୍ରାଇମବ୍ରାଞ୍ଚ ଏବଂ ସାଇବର ସେଲ ମାମଲାର ତଦନ୍ତ ଆରମ୍ଭ କରିଛି ବୋଲି ପୋଲିସ କମିଶନର କହିଛନ୍ତି । ଧମକପୂର୍ଣ୍ଣ ଇ-ମେଲ୍‌ର ସୋର୍ସ କ’ଣ ତାହା ଜାଣିବା ଲାଗି ପୋଲିସ ସବୁ ପ୍ରକାରର ଚେଷ୍ଟା କରୁଛି ବୋଲି କହିଛନ୍ତି ପୋଲିସ କମିଶନର । ଏଭଳି ହୀନକାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ତରଫରୁ ଦାବି ହୋଇଛି ।