କନ୍ଧମାଳ: ବିବାହର ଅନେକ ବର୍ଷ ପରେ ବି ଦମ୍ପତି ବଞ୍ଚିତ ଥିଲେ ସନ୍ତାନ ସୁଖରୁ। ବୋଧ ହୁଏ ଏହି ଦୁଃଖ ସେମାନଙ୍କୁ ନେଇଯାଇଥିଲା ଅନ୍ଧବିଶ୍ବାସ ଆଡ଼କୁ। ବାଧ୍ୟ କରିଥିଲା ଗୁଣିଆର ସହାୟତା ନେବାକୁ। ହେଲେ ଏହି ଭୁଲ୍ ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ସନ୍ତାନ ସୁଖ ତ’ ମିଳିଲାନି କିନ୍ତୁ ଅକାରଣେ ଚାଲିଗଲା ଦମ୍ପତିଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ନେଡିପଙ୍ଗା ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର କାହ୍ନୁ ଚରଣ କହଁର ଓ ତାଙ୍କ ସ୍ତ୍ରୀ ଲଳିତା କହଁରଙ୍କ ବିବାହକୁ ବହୁ ବର୍ଷ ବିତିଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ହୋଇନଥିଲା । ସନ୍ତାନ ପାଇଁ ଦମ୍ପତି ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଗୁଣିଆଙ୍କଠାରୁ ଚେରମୂଳି ଔଷଧ ଆଣିଥିବା ଅଭିଯୋଗ ହୋଇଛି । ଏମିତିରେ ଗତ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଦୁହେଁ ଏହି ଔଷଧ ଖାଇଥିଲେ । ଏହାପରେ ରାତିରେ ଉଭୟଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା ।

Also Read: ଭାଇ-ଭଉଣୀଙ୍କୁ ଚୋଟ ମାରିଲା ସାପ : ଶୋଇଥିବା ବେଳେ ଛଟପଟ ହୋଇ ଚାଲିଗଲା ଜୀବନ

ରାତି ତମାମ ଅସୁସ୍ଥ ରହିବା ପରେ ସକାଳେ ପଡ଼ୋଶୀମାନେ ଜାଣି ଉଭୟଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ଲଳିତା କହଁରଙ୍କ ମୃତ୍ୟୁ ହୋଇଥିଲା । ପରେ ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ କାହ୍ନୁ ଚରଣଙ୍କ ମୃତ୍ୟୁ ହୋଇଥିଲା।

ତେବେ ଦୁହିଁଙ୍କ ମୃତଦେହକୁ ପରିବାର ଲୋକେ ଗାଁକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଏହି ଘଟଣା ପରେ ମୃତକଙ୍କ ଶାଳକ ଓ ପରିବାର ଲୋକେ ସମ୍ପୃକ୍ତ ଗୁଣିଆଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଚେରମୂଳି ଔଷଧ ଦେବା ସହ ଗୁଣିଆ ଦମ୍ପତିଙ୍କଠାରୁ ଦୁଇ ଭରି ସୁନା ଏବଂ ଏକ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।