ଜଗତସିଂହପୁର ୧୬।୯: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ । ବୃଦ୍ଧା ନଦୀର ଗଭୀର ପାଣିରେ ଭାସିଗଲେ ୪ ଯୁବକ । ୩ ଜଣଙ୍କ ପ୍ରାଣହାନି, ଜଣେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଣ୍ଡୁଆ ଗୋପାଳପୁର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା ।

ଓରନାଳ ଗ୍ରାମର କିଛି ଯୁବକ ବୁଧବାର ଅପରାହ୍ନରେ ଘର ପାଖ ବୃଦ୍ଧା ନଦୀକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ସମୟରେ ଅସାବଧାନତା ହେତୁ ୪ ଜଣ ଯୁବକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଆଉ ଦୁଇ ଜଣଙ୍କ ମୃତଦେହ ମଧ୍ୟ ନଦୀରୁ ଉଦ୍ଧାର କରାଯାଇଛି । ମୃତ ଯୁବକ ମାନେ ହେଲେ ସୁଶୀଲ ପଲେଇ, ମନୋଜିତ ସ୍ୱାଇଁ, ସ୍ୱପ୍ନଜିତ ବାରିକ ଏବଂ ରଶ୍ମି ରଞ୍ଜନ ନାୟକ ।

 Also Read:- ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ ; ପୁରୀରୁ ଜଗତସିଂହପୁର ଯାଏଁ ବାତ୍ୟା ଭୟ

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ତେବେ ସମସ୍ତଙ୍କ ମୃତଦେହ ମିଳିବା ପରେ ଆନନ୍ଦର ଉତ୍ସବ ବିଷାଦରେ ଭରିଯାଇଛି  ପାର୍ବଣ ଆନନ୍ଦ ମଧ୍ୟରେ ଏହି ବିଷାଦଜନକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଓରନାଳ ଗାଁରେ ଏବେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକଙ୍କ କାନ୍ଦବୋବୋଳିରେ ପରିବେଶ ହୃଦୟବିଦାରକ ହୋଇପଡ଼ିଛି ।

Watch Video: