ବେଙ୍ଗାଲୁରୁ ୮।୧: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ପୃଥିବୀର ବାୟୁମଣ୍ଡଳ ନେଇ ବଡ଼ ରହସ୍ୟ ଉଦଘାଟନ କରିଛନ୍ତି। ଇସ୍ରୋଙ୍କ ଅନୁସାରେ ଅନ୍ତରୀକ୍ଷରେ ଥିବା ଧୂଳିକଣା ପ୍ରତି ୧୬ ମିନିଟ୍ ରେ ପୃଥିବୀ ସହ ଧକ୍କା ହେଉଛି। ଇସ୍ରୋ ଦେଶରେ ନିର୍ମିତ ପ୍ରଥମ କସ୍ମିକ ଡଷ୍ଟ ଡିଟେକ୍ଟର ‘ଦି ଡଷ୍ଟ ଏକ୍ସପିରିମେଣ୍ଟ’ (ଡିଇଏକ୍ସ) ସହାୟତାରେ ଏହା ଜାଣିବାକୁ ପାଇଛନ୍ତି। ଧୂଳିକଣାର ସୂଚନା ଦେଇ ଇସ୍ରୋ କହିଛନ୍ତି ଯେ ମହାକାଶରେ ପ୍ରାୟତଃ କମେଣ୍ଟ ଓ ଏଷ୍ଟ୍ରଏଡ ଭାଙ୍ଗି ବିଛୁରିତ ହୋଇଥାନ୍ତି। କେତେକ କ୍ଷେତ୍ରରେ ଏଗୁଡିକ ପୃଥିବୀରୁ ଦେଖା ବି ଯାଆନ୍ତି। ଯାହାକୁ ଆମ ଭାଷାରେ ‘ତାରା ଖସିବା’ କହିଥାଉ।

ଇସ୍ରୋଙ୍କ ଅନୁସାରେ ୧୪୦ ଡିଗ୍ରିର ଡିଇଏକ୍ସ ଧୂଳିକଣାକୁ ସଫଳତା ପୂର୍ବକ ଅନୁମାନ କରିଛି। ୧ ଜାନୁୟାରୀରୁ ୯ ଫେବୃଆରୀ ୨୦୨୪ ମଧ୍ୟରେ ଡିଇଏକ୍ସ ଏହି ଧୂଳିକଣାର ପରୀକ୍ଷଣ ମଧ୍ୟ କରିଥିଲା। ଏଥିରୁ ଡିଇଏକ୍ସର କ୍ଷମତା ମଧ୍ୟ ପରୀକ୍ଷା ହୋଇଯାଇଛି। ଇସ୍ରୋ କହିଛନ୍ତି ଯେ ପ୍ରତି ୧ ହଜାର ସେକେଣ୍ଡ (୧୬ ମିନିଟ୍)ରେ ଡିଇଏକ୍ସ ଧୂଳି ଝଡର ସମ୍ମୁଖୀନ ହେଉଛି। ଏହି ସମୟରେ ଧୂଳିକଣା ସହ ଡିଇଏକ୍ସର ଧକ୍କା ମଧ୍ୟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଡିଇଏକ୍ସ ୩ କେଜି ଓଜନର ଏକ ଉପକରଣ, ଏହାକୁ ୧ ଜାନୁୟାରୀ ୨୦୨୪ରେ ମହାକାଶରେ ସ୍ଥାପନା କରାଯାଇଥିଲା। ଏହା ଇସ୍ରୋଙ୍କ ଏକ୍ସପ୍ରୋ ସ୍ୟାଟ୍ ର ଅଂଶବିଶେଷ ଥିଲା। ଏହି ସମୟରେ ବୈଜ୍ଞାନିକ ମହାକାଶରେ ଥିବା ଧୂଳିକଣା ଚିହ୍ନଟ କରିଥିଲେ। ଅନ୍ତରୀକ୍ଷରେ ଭାସି ବୁଲୁଥିବା ଧୂଳିକଣାକୁ ବୁଝିବା ଲାଗି ଡିଇଏକ୍ସ ବେଶ୍ ସହାୟକ ହୋଇପାରେ। ଏଥିରୁ ମିଳୁଥିବା ସୂଚନା ଅନୁସାରେ ଇସ୍ରୋ ସାଟେଲାଇଟ୍ ସମେତ ସ୍ପେସ୍ କ୍ରାଫ୍ଟର ସୁରକ୍ଷା କରିପାରିବ।

ଡିଇଏକ୍ସ ଦ୍ୱାରା ଦିଆଯାଉଥିବା ସୂଚନା ଗଗନୟାନ ମିସନ ଲାଗି ମଧ୍ୟ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଶୁକ୍ର ଓ ମଙ୍ଗଳ ଭଳି ଅନ୍ୟ ଗ୍ରହଙ୍କ ବାୟୁମଣ୍ଡଳ ଅନୁସନ୍ଧାନରେ ଡିଇଏକ୍ସର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି।