ନୂଆଦିଲ୍ଲୀ: କାଶ କିମ୍ବା ଅନ୍ୟ କୌଣସି ସିରପ୍ (Cough Syrup) କିଣିବା ନିୟମରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନଠାରୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କୌଣସି ମେଡିକାଲ୍ ଷ୍ଟୋରରୁ ସିରପ୍ କିଣିହେବ ନାହିଁ। ସରକାର ସିରପର 'ଓଭର-ଦି-କାଉଣ୍ଟର' (OTC) ବା ବିନା ପ୍ରେସକ୍ରିପସନ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ 'ଡ୍ରଗ୍ସ ରୁଲ୍ସ, ୧୯୪୫' ର 'ସିଡ୍ୟୁଲ୍ K' (Schedule K)ରେ ବଡ଼ ସଂଶୋଧନ କରି ଏହି ନୂଆ ନିୟମ ଲାଗୁ କରିଛନ୍ତି।'ସିଡ୍ୟୁଲ୍ K' ଅନ୍ତର୍ଗତ କିଛି ସାଧାରଣ ଔଷଧକୁ ବିନା ଡାକ୍ତରୀ ପରାମର୍ଶରେ ବିକ୍ରି କରିବାକୁ ଅନୁମତି ଥିଲା। ଯେଉଁଥିରେ 'ସିରପ୍' ମଧ୍ୟ ସାମିଲ ଥିଲା। କିନ୍ତୁ ଏବେ ସରକାର ଏହି ତାଲିକାରୁ 'ସିରପ୍' ଶବ୍ଦକୁ ହଟାଇ ଦେଇଛନ୍ତି। ଯାହାଫଳରେ ସିରପ୍ ବର୍ଗକୁ ମିଳୁଥିବା ସବୁ ଛାଡ଼ ଏବେ ଶେଷ ହୋଇଛି।

Also Read: ମୁଖ୍ୟମନ୍ତ୍ରୀ ବିଜୟଙ୍କ ମେଗା ଘୋଷଣା, ୧୪ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ

ସୂଚନାଥାଉକି, ବିଗତ କିଛି ବର୍ଷ ମଧ୍ୟରେ କେତେକ ରାଜ୍ୟରେ ବିଷାକ୍ତ କଫ୍ ସିରପ୍ ପିଇବା ଯୋଗୁ ଅନେକ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଯେଉଁଥିରେ 'ଡାଇଏଥିଲିନ ଗ୍ଲାଇକଲ' (DEG) ଏବଂ 'ଏଥିଲିନ ଗ୍ଲାଇକଲ' (EG) ଭଳି ବିଷାକ୍ତ କେମିକାଲ୍ ମିଳିଥିଲା। ଏମିତିରେ ଏହାର ଦୁରୁପଯୋଗ ରୋକିବା ପାଇଁ ସରକାର ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଯଦି କାହାକୁ କାଶ ବା ଥଣ୍ଡା ପାଇଁ ସିରପ୍ ଆବଶ୍ୟକ ହୁଏ, ତେବେ ତାଙ୍କୁ ଡାକ୍ତରଙ୍କ ଦ୍ବାରା ଲେଖାଯାଇଥିବା ବୈଧ ପ୍ରେସକ୍ରିପସନ ଦେଖାଇବା ବାଧ୍ୟତାମୂଳକ ହେବ।